ନାଳର ଖରସ୍ରୋତା ପାଣିରେ ଜୀବନକୁ ବାଜିଲଗାଇ ପାଠପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ
ହରଭଙ୍ଗା: ଗାଁକୁ ରାସ୍ତା ଖଣ୍ଡିଏ ନାହିଁ କି ପୋଲ ଖଣ୍ଡିଏ ନାହିଁ। ବର୍ଷାଦିନ ଆସିଲେ ସମସ୍ତଙ୍କ ମୁଣ୍ଡରେ ଘାରେ ନାଳ ପାରି ଚିନ୍ତା।ସୁବିଧା ହେଉ କି ଅସୁବିଧା ସମୟରେ ଯାଇହୁଏ ନାହିଁ କି ଆସିହୁଏ ନାହିଁ। ନାଳ ଗାଁ ଲୋକଙ୍କ ପାଇଁ କାଳ ସାଜିଛି। ନାଳର ଖରସ୍ରୋତା ପାଣିରେ କିଭଳି ଜୀବନକୁ ବାଜି ଲଗାଇ ପିଲା ସ୍କୁଲ ଯିବା ଆସିବା କରୁଛନ୍ତି ତାହାର ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର୫୭ନମ୍ବର ଜାତୀୟ ରାଜପଥ କଡରେ ଥିବା ଡିଗସିରା ଗ୍ରାମରେ। ବ୍ଲକର ବାଣୀଭୁଷଣପୁର ପଂଚାୟତର ୧ନମ୍ବର ଓାର୍ଡ ଅର୍ନ୍ତଗତ ଡିଗସିରା ଗ୍ରାମରେ ୭୦ପରିବାରରେ ୨ଶହ୫୦ଲୋକ ବସବାସ କରନ୍ତି।ଗ୍ରାମର ୧୪ଜଣ ପିଲା ନିକଟସ୍ଥ ପୁରୁଣାକଟକ ହାଇସ୍କୁଲ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ପାଠପଢନ୍ତି।୫୭ନମ୍ବର ଜାତୀୟ ରାଜପଥରୁ ଗ୍ରାମକୁ ଯିବାପାଇଁ ହେଲେ ସେମାନଙ୍କୁ ଲକ୍ଷ୍ମୀନାଳ ପାରହେବାକୁ ପଡିଥାଏ।ପିଲାମାନେ ସ୍କୁଲରୁ ଫେରିବା ସମୟରେ ନାଳରେ ବନ୍ୟାପାଣି ବଢିଯାଇଥିଲା। ଫଳରେ ପିଲାମାନେ ରାଜପଥ କଡରେ ରହିଥିବା ଏକ ଗ୍ୟାରେଜରେ ରହି ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ। ପରିବାରଲୋକ ଆସିବା ପରେ ପିଲାଙ୍କୁ କାନ୍ଧରେ ବସାଇ ନାଳପାର କରାଯାଇଥିଲା। ଏଭଳି ଅବସ୍ଥାରେ ବର୍ଷା ୪ମାସ ଜୀବନକୁ ବାଜି ଲଗାଇ ଡିଗସିରା ଗ୍ରାମର ପିଲାମାନେ ସ୍କୁଲ ଯାଉଥିବା ଅଭିଭାବକ ଯୁଗଳ ବଗର୍ତ୍ତି, କଂସ ବଗର୍ତ୍ତି, ବିଳାସ ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି। ନାଳରେ ଅଧିକ ପାଣି ହେଲେ ଛାତ୍ରଛାତ୍ରୀ ପାଠପଢା ଠପ୍ ହୋଇଯାଉଛି।ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।
Comments are closed.