ହରଭଙ୍ଗା:ହରଭଙ୍ଗା ବ୍ଲକ କୁଶଙ୍ଗ ପଂଚାୟତ ଅର୍ନ୍ତଗତ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଥିବା ମାରଡା ଗାଁ ମହାନଦୀରେ ବନ୍ୟା ଯୋଗୁଁ ଦୀର୍ଘ ୧୦ଦିନ ହେଲା ପାଣି ଘେରରେ ରହିଛି।ଉଦଣ୍ଡୀ ନାଳରେ ମହାନଦୀର ଉଛୁଳା ପାଣି ଯୋଗୁଁ ମାରଡା ଗ୍ରାମର ୨୬ଟି ପରିବାର ଲୋକେ ପ୍ରଭାବିତ ହେବା ସହିତ ଗାଁଟି ଏବେ ବି ବାହ୍ୟଜଗତରୁ ବିଛିନ୍ନ ହୋଇ ରହିଛି।
ବନ୍ୟାକୁ ଦୃଷ୍ଟିରେ ରଖି ପଂଚାୟତ ପକ୍ଷରୁ ପୂର୍ବରୁ ୩ଦିନ ପାଇଁ ଚୂଡା ଚିନି ପ୍ରଭୃତି ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା। ଗାଁ ଟି ଏବେ ବି ପାଣିଘେରରେ ରହିଥିବାରୁ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଆଉ ୪ଦିନ ପାଇଁ ଚାଉଳ,ଡାଲି,ଆଳୁ ,ତେଲ,ଲୁଣ ପ୍ରଭୃତି ରନ୍ଧାଖାଦ୍ୟ ପାଇଁ ପଞ୍ଚାୟତ ପକ୍ଷରୁ ରିଲିଫ ସାମଗ୍ରୀ ଗୁରୁବାର ଯୋଗାଇ ଦିଆଯାଇଛି। ନିଜେ ସ୍ଥାନୀୟ ପଞ୍ଚାୟତର ଜଗଦୀଶ ମଲ୍ଲିକ ଏବଂ ସମାଜସେବୀ ସଂଜୀବ ଦେହୁରୀ ପ୍ରମୁଖ ଉଦଣ୍ଡୀ ନାଳ ପାର୍ଶ୍ବରେ ପହଞ୍ଚି ଗାଁ ଲୋକଙ୍କୁ ଡାକି ରିଲିଫ ସାମଗ୍ରୀ ପ୍ରଦାନ କରିଛନ୍ତି। ଗାଁ ଲୋକେ ବାଉଁଶ ଭେଳା କରି ରିଲିଫ ସାମଗ୍ରୀ ନେବାକୁ ଆସିଥିବା ଦେଖାଯାଇଛି। ପଞ୍ଚାୟତ ସଦରମହକୁମା ଠାରୁ ଦୀର୍ଘ ୨୫କି.ମି ଦୂରରେ ଅଭୟାରଣ୍ୟ ମଧ୍ୟରେ ରହିଥିବା ଏହି ଗ୍ରାମବାସୀ ମହାନଦୀ ବନ୍ୟାରେ ପ୍ରତିବର୍ଷ ପ୍ରଭାବିତ ହେଉଥିବା ବେଳେ ଗାଁ ଲୋକେ ଭିଟାମାଟି ଛାଡିବାକୁ ଇଛାପ୍ରକାଶ କରୁନାହିାଁନ୍ତି। ଗୋଟିଏ ପଟେ ଅଭୟାରଣ୍ୟ କଟକଣା ଅନ୍ୟପଟେ ବର୍ଷାଦିନେ ଜଳବନ୍ଦୀ ଜୀବନ କାଟୁଥିବା ଏହି ଅଧିବାସୀଙ୍କୁ ପ୍ରଶାସନ ପକ୍ଷରୁ ସମାଜର ମୁଖ୍ୟସ୍ରୋତକୁ ଫେରାଇଆଣିବା ପାଇଁ କ୍ଷତିପୂରଣ ଏବଂ ସରକାରୀ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ପରେ ବି ସେମାନେ ଭିଟାମାଟି ଛାଡିବାକୁ ମନବଳାଉନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।



