ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଡେଣିଗଡ ପଂଚାୟତର କଣ୍ଡରା, କାଚପାଜୁ, ସାରୁପଦର, ବାଙ୍କପାଜୁ ଏବଂ ସୁଲକେଟି ଭଳି ୫ଟି ଅନ୍ଧାରୀମୂଲକ ଗାଁ ପାଇଁ ନିର୍ମାଣ ହେବ ସ୍ଥାୟୀ ରାସ୍ତା। ହରଭଙ୍ଗା ବ୍ଲକର ଅପହଞ୍ଚ ଇଲାକାର ଏଭଳି ଅବହେଳିତ ଗାଁ ଲୋକଙ୍କ ରାସ୍ତା ସମସ୍ୟା ନେଇ ବାରମ୍ବାର ସମାଜରେ ଖବର ପ୍ରକାଶିତ ପରେ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହୋଇଛି। ଗତ ୨୦୧୭ ନଭେମ୍ବରରେ ସମାଜରେ ଏଭଳି ଏକ ଅନୁସନ୍ଧାନ ମୂଳକ ଖବର ପ୍ରକାଶିତ ପରେ ରାଜ୍ୟ ଗୃହମନ୍ତ୍ରାଳୟ ପକ୍ଷରୁ ଏହାର ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ ପାଇଁ ବୌଦ୍ଧ ଜିଲ୍ଲାପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ଧାରିମୂଲକ କଣ୍ଡରା, କାଚପାଜୁ ଗ୍ରାମର ବିକାଶରେ ଘାଟିରାସ୍ତା ବାଟଓଗାଳୁଥିବା ପ୍ରଶାସନ ପକ୍ଷରୁ ଗୃହମନ୍ତ୍ରାଳୟକୁ ଜଣାଇ ଦିଆଯାଇଥିଲା। ରାସ୍ତା ନିର୍ମାଣ ହେଲେ ଏଠାକାର ଲୋକଙ୍କ ସମସ୍ୟା ସବୁଦିନ ପାଇଁ ଦୂର ହୋଇପାରିବ ବୋଲି ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା। ରାସ୍ତା ନିର୍ମାଣ ପାଇଁ ୧କୋଟି ଟଙ୍କା ଖର୍ଚ୍ଚ ପାଇଁ ପ୍ରାଥମିକ ଆକଳନ ରିପୋର୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ମାତ୍ର କଣ୍ଡରା, କାଚପାଜକୁ ସଂଯୋଗ କରୁଥିବା ୮କିଲୋମିଟର ଘାଟି ରାସ୍ତାରୁ ଜଙ୍ଗଲ ବିଭାଗର ୩କି.ମି ରାସ୍ତା ରହିଥିବାରୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ସହିତ ବାଧା ଉପୁଜିଥିଲା। ପୁର୍ନବାର ଗାଁ ଲୋକେ ଭତା ଏବଂ ରାସନ ଚାଉଳ ସାମଗ୍ରୀ ପାଇଁ ବାରମ୍ବାର ହଇରାଣ ଭୋଗୁଥିବା ନେଇ ଗତ ୨୩ ତାରିଖ ସମାଜରେ ଖବର ପ୍ରକାଶିତ ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ମାଧପୁର ରେଞ୍ଜ ଅଫିସର ସରୋଜ ମିଶ୍ରଙ୍କ ନେତୃତ୍ୱରେ ଆଡେଣିଗଡ ଫରେଷ୍ଟର ସଦଳବଳେ କଣ୍ଡରା, କାଚପାଜୁ ଘାଟିରାସ୍ତା ପରିଦର୍ଶନ କରିଛନ୍ତି।ରାସ୍ତା ନିର୍ମାଣ ହେଲେ ଜଙ୍ଗଲ ବିଭାଗର କେତେ ପରିମାଣରେ ଗଛ ନଷ୍ଟ ହେବ ସେ ନେଇ ଏକ ରିପୋର୍ଟ ବୌଦ୍ଧ ଡି.ଏଫ.ଓଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
ସେହିପରି ଜିଲ୍ଲାପାଲଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ସହକାରୀ ଯନ୍ତ୍ରୀ ଅର୍ଜ୍ଜୁନ ଗଡନାୟକ ଏବଂ କନିଷ୍ଠ ଯନ୍ତ୍ରୀ ମଧୁସୂଦନ ଦୋରା ଘାଟି ରାସ୍ତା ପରିଦର୍ଶନ କରି ଏ ବିଷୟରେ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣାପଡିଛି।ବନବିଭାଗର ଫିଜିବିଲିଟି ରିପୋର୍ଟ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୦ଫୁଟିଆ ଘାଟି ରାସ୍ତା ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଘାଟି ରାସ୍ତା ନିର୍ମାଣ ହେଲେ ୫ଶହ ବର୍ଷ ପରେ ଏଠାକାର ଅଧିବାସୀଙ୍କ ପାଇଁ ସ୍ୱପ୍ନ ହୋଇରହିଥିବା ରାସ୍ତା ସମସ୍ୟା ଦୂର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ମାତ୍ର ଆଗକୁ ରାସ୍ତା କାର୍ଯ୍ୟ କେତେଶୀଘ୍ର ନିର୍ମାଣ ହେବ ତାକୁ ନେଇ ଅନ୍ଧାରୀମୂଲକବାସୀଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି। ରାଜ୍ୟ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଅନ୍ଧାରୀମୂଳକ ଗାଁ ଲୋକଙ୍କ ମୌଳିକ ସମସ୍ୟା ଦୂର ପାଇଁ ଗାଁ ଲୋକେ ଦାବୀ କରିଛନ୍ତି।



