BJD Bijuli 480×75 Mob

ହମାସ୍‌ ମୁଖ୍ୟାଳୟ ଧ୍ୱଂସ

BJD Bijuli 480×75 Mob

ତେଲ ଅବିବ୍‌ : ଭୟଙ୍କର ହେଉଛି ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ। ୧୨ ଦିନରେ ପହଞ୍ଚିଲାଣି ଦୁଇ ଦେଶ ମଧ୍ୟରେ ସଂଘର୍ଷ। ଇସ୍ରାଏଲ୍‌ ଡିଫେନ୍ସ ଫୋର୍ସ ଉତ୍ତର ଗାଜାକୁ ଟାର୍ଗେଟ୍ କରୁଛି। ଆକାଶ, ଭୂମି ସହିତ ସମୁଦ୍ରରୁ ମଧ୍ୟ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛନ୍ତି, ‘ସାର୍‌ ୬’ ମିସାଇଲକୁ ଜାହାଜରୁ ହମାସ୍‌ର ଅସ୍ତ୍ରଶସ୍ତ୍ର ଉତ୍ପାଦନ କାରଖାନା ଉପରେ ଆକ୍ରମଣ କରାଯାଇଛି। ଫଳରେ କାରଖାନାଟି ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି। ଏଥିରେ କେତେ ହମାସ୍‌ ଆତଙ୍କୀ ନିପାତ ହୋଇଛନ୍ତି ସେ ବାବଦରେ କୌଣସି ସୂଚନା ଦିଆଯାଇନାହିଁ। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ଠାରୁ ଆଦେଶ ପାଇବା କ୍ଷଣି ସ୍ଥଳଭାଗରେ ସେନା ପଶି ହମାସ୍‌ ସଦସ୍ୟଙ୍କୁ ଖୋଜି ଖୋଜି ମାରୁଛନ୍ତି। ହମାସ୍‌ର ମୁଖ୍ୟାଳୟ ଉପରେ ବୋମା ମାଡ଼ କରି ଉଡ଼ାଇ ଦେଇଛି ଇସ୍ରାଏଲ୍ ସେନା। ସେହିଭଳି ଦକ୍ଷିଣ ଗାଜାର କେତେକ ସ୍ଥାନରେ ମଧ୍ୟ ଆଇଡିଏଫ୍‌ର ସୈନ୍ୟମାନେ ବୋମା ବର୍ଷାଣ କରିଛନ୍ତି। ଏହାଯୋଗୁ ୮୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ହମାସ୍‌ର ୭ ଜଣ କମାଣ୍ଡର ନିପାତ ହେଲେଣି। ସେପଟେ ଇସ୍ରାଏଲ୍‌କୁ ଡରାଇବା ପାଇଁ ହମାସ୍‌ ପୁଣି ଏକ ଚାଲ୍‌ ଖେଳିଛି। ଏହା ନିକଟରେ ଅଧିକ ଲୋକ ବନ୍ଧକ ଥିବା ଦାବି କରିଛି। ହମାସ୍‌ର ସାମରିକ ମୁଖପାତ୍ର ଅବୁ ଓବେଦା କହିଛନ୍ତି ଯେ ସେମାନଙ୍କ ନିକଟରେ ୨୦୦ରୁ ୨୫୦ ଲୋକ ପଣବନ୍ଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ କିଛି ବିଦେଶୀ ନାଗରିକ ରହିଛନ୍ତି। ଗାଜାର କେନ୍ଦ୍ରାଞ୍ଚଳସ୍ଥିତ ଅଲ୍‌-ଆହ୍‌ଲି ଅଲ୍‌-ଆରବୀ ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ୫୦୦ ଜନତାଙ୍କ ମୃତ୍ୟୁକୁ ନେଇ ତୀବ୍ର ବିବାଦ ସୃଷ୍ଟି ହୋଇଥିବାବେଳେ ବିଶ୍ବବ୍ୟାପୀ ଏହାକୁ ନିନ୍ଦା କରାଯାଇଛି। ଏହି ଘଟଣାକୁ ନେଇ ମଧ୍ୟପ୍ରାଚ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଛି। ଏହି ବିସ୍ଫୋରଣ ନେଇ ହମାସ୍‌ ଓ ଇସ୍ରାଏଲ ସେନା ପରସ୍ପର ଆରୋପ-ପ୍ରତ୍ୟାରୋପ ଚଳାଇଛନ୍ତି। ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ୍‌) ପକ୍ଷରୁ ଡାକ୍ତରଖାନା ଉପରେ ଆକ୍ରମଣ କରାଯାଇଥିବା ହମାସ୍‌ ଅଭିଯୋଗ କରିବା ପରେ ଆଇଡିଏଫ୍‌ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଛି। ଏକାଧିକ ଭିଡିଓ ଓ ଅଡିଓ ପ୍ରସାରଣ କରି ଆଇଡିଏଫ୍‌ ଦାବି କରିଛି ଯେ ଇସ୍‌ଲାମିକ୍‌ ଆତଙ୍କବାଦୀ ସଂଗଠନ ‘ଇସ୍‌ଲାମିକ୍‌ ଜିହାଦ’ ଇସ୍ରାଏଲକୁ ଲକ୍ଷ୍ୟ କରି ଛାଡ଼ିଥିବା ରକେଟ ଦିଗଭ୍ରଷ୍ଟ ହୋଇ ଡାକ୍ତରଖାନାରେ ମାଡ଼ ହେବା ଦ୍ବାରା ଏହି ଅଘଟଣ ଘଟିଛି। ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଏ ସଂକ୍ରାନ୍ତ ବାର୍ତ୍ତାଳାପ ଉକ୍ତ ଅଡିଓରେ ରେକର୍ଡ ହୋଇଛି।
ଏହି ଅଡିଓ ଓ ଭିଡିକୁ ଆଧାର କରି ଆଇଡିଏଫ୍‌ ଦର୍ଶାଇଛି ଯେ ସ୍ଥାନୀୟ ସମୟ ସନ୍ଧ୍ୟା ୬ଟା ୧୫ରେ ହମାସ୍‌ ପକ୍ଷରୁ ବହୁ ସଂଖ୍ୟକ ରକେଟ ଛଡ଼ା ଯାଇଥିଲା। ଏହା ପରେ ୬ଟା ୫୯ରେ ଇସ୍‌ଲାମିକ୍‌ ଜିହାଦ ପକ୍ଷରୁ ଏକକାଳୀନ ୧୦ଟି ରକେଟ ଛଡ଼ା ଯାଇଥିଲା। ଏହି ରକେଟ ଡାକ୍ତରଖାନାରେ ମାଡ଼ ହୋଇଥିଲା। ଗତ ୧୧ ଦିନ ମଧ୍ୟରେ ହମାସ୍‌ ପକ୍ଷରୁ ଛଡ଼ା ଯାଇଥିବା ରକେଟ୍‌ରୁ ୪୫୦ଟି ବିଫଳ ହୋଇ ନିକଟବର୍ତ୍ତୀ ଅଞ୍ଚଳରେ ପଡ଼ିଛି। ଆଇଡିଏଫ୍‌ ପକ୍ଷରୁ ହୋଇଥିବା ତଦନ୍ତରେ ମଧ୍ୟ ଡାକ୍ତରଖାନା ଉପରେ ଆକ୍ରମଣ କରାଯାଇଥିବାର କୌଣସି ପ୍ରମାଣ ମିିଳିନାହିଁ ବୋଲି ଏହା ଦାବି କରିଛି। ଏହି ପରିପ୍ରେକ୍ଷୀରେ ଆଇଡିଏଫ୍‌ ବିସ୍ଫୋରଣ ପୂର୍ବ ଓ ପର ସମୟରେ ଡାକ୍ତରଖାନାର ଫଟୋ ପ୍ରସାର କରିଛି। ଇସ୍‌ଲାମିକ୍‌ ଜିହାଦ୍‌ ସଂଗଠନର ରକେଟ ଖୁବ୍‌ ଶକ୍ତିଶାଳୀ ଓ ବିସ୍ଫୋରଣ ସ୍ଥଳରୁ ଏହାର କ୍ଷତିକାରକ ପ୍ରଭାବ ସ୍ପଷ୍ଟ ବୋଲି ଆଇଡିଏଫ୍‌ ଦାବି କରିଛି। ଇସ୍‌ଲାମିକ୍‌ ଜିହାଦ୍‌ ଗୋଷ୍ଠୀର ରକେଟ ଲକ୍ଷ୍ୟଭ୍ରଷ୍ଟ ହୋଇ ଡାକ୍ତରଖାନାର ପାର୍କିଂ ସ୍ଥଳରେ ପଡ଼ିବା ପରେ ବିସ୍ଫୋରଣ ଘଟିବା ସହ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଡାକ୍ତରଖାନା କୋଠା କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ରକେଟ ଇନ୍ଧନରେ ଅାଭ୍ୟନ୍ତର ଜଳି ଯାଇଛି। ଏଥିରେ ପୋଡ଼ିଯାଇ ଲୋକଙ୍କ ମୃତ୍ୟୁ ଘଟିଛି। ତେବେ ଡାକ୍ତରଖାନା ବିସ୍ଫୋରଣ ଘଟଣାରେ ଏହାର ହାତ ଥିବା ନେଇ ଇସ୍ରାଏଲର ଅଭିଯୋଗକୁ ପିଆଇଜେ ଖଣ୍ଡନ କରିଛି। ଅଭିଯୋଗ ଅମୂଳକ ବୋଲି ଏହା କହିଛି।
ଆଇଡିଏଫ୍‌ର ଏହି ଦାବିକୁ ସମର୍ଥନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ବୁଧବାର ତେଲ୍‌ ଆବିବ୍‌ରେ ପହଞ୍ଚିଥିବା ବାଇଡେନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ ଡାକ୍ତରଖାନା ଉପରେ ହୋଇଥିବା ଆକ୍ରମଣ ପଛରେ ଇସ୍ରାଏଲ ନୁହେଁ; ଅନ୍ୟ ଶକ୍ତି ସମ୍ପୃକ୍ତ ରହିଛି। ନିଜ ଦେଶର ପ୍ରତିରକ୍ଷା ବିଭାଗ ସୁତ୍ରରୁ ସେ ଏହି ସୂଚନା ପାଇଛନ୍ତି। ଇହୁଦି ରାଷ୍ଟ୍ର ଗଠନକୁ ଆମେରିକା ସମର୍ଥନ କରେ। ଏତଦ୍‌ ବ୍ୟତୀତ ଇସ୍ରାଏଲର ସାର୍ବଭୌମତ୍ବ ଓ ନାଗରିକଙ୍କ ସୁରକ୍ଷା ଅଧିକାର ରହିଛି; ତେଣୁ ଆମେରିକା ଇସ୍ରାଏଲକୁ ସବୁଦିନ ପାଇଁ ସମସ୍ତ ସମର୍ଥନ ଯୋଗାଇଦେବ। ହମାସ୍‌ ଏକ ଆତଙ୍କବାଦୀ ସଂଗଠନ। ଏହା ୩୧ ଆମେରିକୀୟଙ୍କ ସହ ୧୬୦ରୁ ଅଧିକ ବିଦେଶୀ ନାଗରିକଙ୍କୁ ହତ୍ୟା କଲାଣି। ପ୍ରାୟ ୨୫୦ ଲୋକ ଓ ଶିଶୁଙ୍କୁ ପଣବନ୍ଦୀ କରି ରଖିଛି। ଆଇଏସ୍‌ଆଇଏସ୍‌ ଭଳି ନିରୀହ ଜନତାଙ୍କୁ ନିର୍ମମ ହତ୍ୟା କରୁଛି। ହମାସ୍‌ ପାଲେଷ୍ଟାଇନ୍‌ ଜନତାଙ୍କ ପ୍ରତିନିଧିତ୍ବ କରୁନାହିଁ। ବାଇଡେନ୍‌ଙ୍କ ମନ୍ତବ୍ୟ ପରେ ହ୍ବାଇଟ୍‌ ହାଉସ୍‌ ମଧ୍ୟ ଗୁଇନ୍ଦା ସୂତ୍ରକୁ ଉଦ୍ଧାର କରି ଏହି ବିସ୍ଫୋରଣ ପଛରେ ଇସ୍ରାଏଲର ହାତ ନ ଥିବା ସ୍ପଷ୍ଟ କରିଛି। ଡାକ୍ତରଖାନା ଉପରେ ଆକ୍ରମଣକୁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ଏଭଳି ଘଟଣା ଅତି ଦୁଃଖଦାୟକ ଓ ନିନ୍ଦନୀୟ। ସାମ୍ପ୍ରତିକ ଲଢ଼େଇରେ ନିରୀହ ଜନତାଙ୍କ ପ୍ରାଣହାନି ଚିନ୍ତାଜନକ। ଏଥିରେ ସମ୍ପୃକ୍ତଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଡାକ୍ତରଖାନା ବିସ୍ଫୋରଣକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ ନିନ୍ଦା କରିଛନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ମଧ୍ୟ ଏହାର ନିନ୍ଦା କରିଛନ୍ତି। ଅପରପକ୍ଷରେ ସାଉଦି ଆରବ, ତୁର୍କୀ, ଇଜିପ୍ଟ ଓ ସଂଯୁକ୍ତ ଆରବ ଏମିରେଟ୍‌ ଭଳି ବିଭିନ୍ନ ରାଷ୍ଟ୍ରର ନେତାମାନେ ଏହାକୁ ନିନ୍ଦା କରିବା ସହ ଏଥିପାଇଁ ଇସ୍ରାଏଲକୁ ଦାୟୀ କରିଛନ୍ତି। ଗୋଟିଏ ଦିନରେ ଏତେ ସାଧାରଣ ନାଗରିକଙ୍କ ମୃତ୍ୟୁର ପ୍ରତିବାଦରେ ପଡ଼ୋଶୀ ଜୋର୍ଡାନ୍‌, ତୁର୍କୀ, ଇରାନ୍‌, ୱେଷ୍ଟ ବ୍ୟାଙ୍କ ସମେତ ସମଗ୍ର ମଧ୍ୟପ୍ରାଚ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Comments are closed.