ଲଜ୍ଜା : ଶ୍ୱଶୁର ପରେ ଦିଅର ସହ ହଲାଲା ସର୍ତ୍ତ

0

ବରେଲି : ବରେଲିରୁ ତିନି ତଲାକ ଏବଂ ହଲାଲାର ଏକ ଚକିତ୍‍ କରିବା ଭଳି ଘଟଣା ପଦାକୁ ଆସିଛି। ଜଣେ ବ୍ୟକ୍ତି ନିଜ ପତ୍ନୀକୁ ତଲାକ ଦେଇ ଘରୁ ବାହାର କରିଦେବା ପରେ ଏବେ ପୁନଃ ବିବାହ କରି ଫେରାଇ ନେବା ପାଇଁ ଲଜ୍ଜାଜନକ ସର୍ତ୍ତ ରଖିଛନ୍ତି। ସୂଚନା ଅନୁସାରେ ବରେଲି ସହର ବାନଖାନା ନିବାସୀ ସବିନା ଗଢିଚୌକି ନିବାସୀ ବସିମ୍‍ଙ୍କୁ ୨୦୦୯ରେ ବିବାହ କରିଥିଲେ। ଦୁଇ ବର୍ଷ ପରେ ବସିମ ତାଙ୍କୁ ତଲାକ ଦେଇ ଘରୁ ବାହାର କରିଦେଇଥିଲେ। ପରେ ସବିନାଙ୍କୁ ଗ୍ରହଣ କରିବା ପାଇଁ ବସିମଙ୍କ ବାପା ଅର୍ଥାତ ସବିନାଙ୍କ ଶ୍ୱଶୁର ସହ ହଲାଲା କରିବାକୁ ସର୍ତ୍ତ ରଖିଥିଲେ। ଏ କ୍ରମରେ ସବିନା ନିଜ ଶ୍ୱଶୁରଙ୍କ ସହ ହଲାଲା କରିଥିଲେ। ହଲାଲା ପରେ ସବିନା ପୁନଃ ବସିମଙ୍କ ସହ ରହିଥିଲେ। ୨୦୧୭ରେ ପୁନଃ ତାଙ୍କୁ ବସିମ ତଲାକ ଦେଇଥିଲେ। ଏବେ ଦ୍ୱିତୀୟ ବାର ଗ୍ରହଣ କରିବା ପାଇଁ ଦିଅର ଅର୍ଥାତ ବସିମଙ୍କ ଭାଇ ସହ ହଲାଲା କରିବାକୁ ସର୍ତ୍ତ ରଖିଛନ୍ତି। ଉଜୁଡ଼ି ଯାଇଥିବା ଘରକୁ ପୁନଃ ସଜାଡିବା ପାଇଁ ସେ ଶ୍ୱଶୁର ସହ ହଲାଲା ସର୍ତ୍ତରେ ରାଜି ହୋଇଯାଇଥିଲେ। ହେଲେ ଏବେ ଦିଅର ସହ ହଲାଲା ସର୍ତ୍ତ ତାଙ୍କୁ ବହୁ କଷ୍ଟ ଦେଇଛି ଓ ସେ ଏହାକୁ କଦାପି ଗ୍ରହଣ କରିପାରିବେ ନାହିଁ ବୋଲି ସବିନା କହିଛନ୍ତି। ବରେଲି ସହର ଆଲା ହଜରତ ହେଲ୍ପିଂ ସୋସାଇଟ ଅଧ୍ୟକ୍ଷ ନିଦା ଖାନଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ସବିନା ସୋମବାର ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ଆଲା ହଜରତ ହେଲ୍ପିଂ ସୋସାଇଟ ଅଧ୍ୟକ୍ଷ ନିଦା ଖାନ କହିଥିଲେ ଯେ ସରିୟା ଆଇନର ଖୋଲାଖୋଲି ଦୁରୁପଯୋଗ କରାଯାଉଛି। ତିନି ତଲାକ, ହଲାଲା ଏବଂ ବହୁ ବିବହା ଭଳି ନିନ୍ଦନୀୟ କାର୍ଯ୍ୟ ପାଇଁ ସରିୟା ଆଇନକୁ ବ୍ୟବହାର କରାଯାଉଛି।
ଉଲ୍ଲେଖ ଯେ ଇସଲାମର ସରିୟା ଆଇନରେ ତଲାକ ବା ବିବାହ ବିଚ୍ଛେଦ ପରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପୁନଃ ଗ୍ରହଣ କରିବା କ୍ଷେତ୍ରରେ ହଲାଲା ଭଳି ସର୍ତ୍ତ ଲାଗୁ ହୁଏ। ଉକ୍ତ ମହିଳାଙ୍କୁ ଜଣେ ପୁରୁଷ ବିବାହ କରି ତଲାକ ଦେବା ପରେ ସେ ନିଜ ସ୍ୱାମୀଙ୍କ ପାଖକୁ ଫେରିଥାନ୍ତି।

Leave A Reply