ଚାଷ ଜମିରେ ଏବେ ରୋଗ ପୋକର ଦାଉ, ଅସହାୟ ଚାଷୀ

କଲମପୁର : ଯେଉଁ ଚାଷ ଜମିରେ ଏବେ ଫସଲ ପାକଳ ହେଇ ହସି ଉଠିବା କଥା ଏବେ ସେଠି ଧାନ ଗଛ ସବୁ ହଳଦିଆ ପାଲଟିଛି । କାହାର ଚାଷ ଜମିରେ ମାଟିଆଗୁଣ୍ଡି ପୋକର ପ୍ରଭାବ ତ କେଉଁଠି ଚକଡା ରୋଗର ପ୍ରଭାବ ପୁଣି କେଉଁଠି ପତ୍ର ମୋଡା ରୋଗ ତ ପୁଣି କେଉଠି ଗଣ୍ଠି ପୋକର ପ୍ରଭାବ। ଯେଉଁଥିପାଇଁ ଅନେକ ଚାଷ ଜମିର ଗଛ ସବୁ ହଳଦିଆ ହେଇ ସାରିଲାଣି। ଚାଷୀ ନିଜ ଚାଷ ପ୍ରଭାବିତ ହେଉଥିବା ଦେଖି ଚିନ୍ତିତ । ଚାଷୀ ଜାଣି ପାରୁ ନାହାଁନ୍ତି ତାଙ୍କ ଚାଷରେ କେଉଁ ରୋଗ ଅଥବା କେଉଁ ପୋକର ପ୍ରଭାବରେ ଏଭଳି ସମସ୍ୟା ହେଇଛି । ଯେଉଁଥିପାଇଁ ଚାଷୀ କିଛି ଧାନ ଗଛ ଉପାଡି ନେଇ ଦୋକାନୀଙ୍କୁ ଦେଖାଇ କୀଟନାଶକ ଖରିଦ କରି ସିଞ୍ଚନ କରୁଛନ୍ତି । କୃଷି ବିଭାଗର କର୍ମଚାରୀ କୃଷକଙ୍କୁ କୌଣଶି ପରାମର୍ଶ ଦେଉ ନାହାଁନ୍ତି । ଅଥବା କୌଣସି କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଚାଷୀ ବାଧ୍ୟ ହେଇ ଦୋକାନୀର ପରାମର୍ଶରେ କୀଟନାଶକ ସିଞ୍ଚନ କରି ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ଏପରିକି କୃଷି ବିଭାଗ ମାଧ୍ୟମରେ ଆସୁଥିବା ରିହାତି କୀଟନାଶକ କେବଳ କିଛି ହାତଗଣତି ତଥାକଥିତ ଚାଷୀ ଏବଂ କିଛି ଦୋକାନୀଙ୍କ ମଧ୍ୟରେ ଭାଗ ବଣ୍ଟାରେ ଶେଷ ହେଉଛି । ବର୍ତ୍ତମାନ କୃଷି ବିଭାଗର କେଉଁ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି ସେନେଇ ଚାଷୀ ଜାଣି ପାରୁନାହାଁନ୍ତି । କଲମପୁର ଠାରେ ଥିବା ଆତ୍ମା କମିଟି ମଧ୍ୟ ଏକ ପ୍ରକାର ସ୍ଥାଣୁ ପାଲଟିଛି । ଯେଉଁଥିପାଇଁ କୃଷକଙ୍କ ସ୍ୱାର୍ଥ ସାଧାନ ହେଇ ପାରୁନାହିଁ।
ଚଳିତ ବର୍ଷ ଚାଷ ଆରମ୍ଭରୁ ବର୍ଷା ଅଭାବ ଯୋଗୁଁ ଗଜା ମରୁଡିର ସ୍ଥିତି । ଇନ୍ଦ୍ରାବତୀ ଜଳ ସେଚନକୁ ଭରସା କରି ଚାଷୀ ଚାଷ ଆରମ୍ଭ କରିଥିଲେ। କିନ୍ତୁ ଠିକ୍ ଚାଷ କାର୍ଯ୍ୟ ଶେଷ ହେବା ବେଳକୁ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ନିମ୍ନଗାୀ ହେବାଯୋଗୁଁ ବିଭାଗ ପକ୍ଷରୁ ଜଳ ସେଚନ ଯୋଗାଇବାରେ ଅନିୟମିତତା ଦେଖା ଦେଇଥିଲା । ଏହାସହ ସାର ଓ କୀଟ ନାଶକ ସମେତ ଶ୍ରମିକର ମୂଲ୍ୟ ବୃଦ୍ଧି ଭଳି ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଚାଷୀ ଚାଷ କାର୍ଯ୍ୟ କରିଥିଲେ। ସେପ୍ଟେମ୍ବର ମାସରେ ଚାଷ ଉପଯୋଗୀ ବର୍ଷା ଯୋଗୁଁ ଚାଷୀ ମନରେ ଆସ୍ୱସ୍ତୀ ଅନୁଭବ କରିଥିଲେ । କିନ୍ତୁ ଚାଷର ଶେଷ ପର୍ଯ୍ୟାୟରେ ରୋଗ ପୋକର ପ୍ରଭାବ ଯୋଗୁଁ ଚାଷୀ ଏବେ ହତାଶ ହେଉଛନ୍ତି । ବିଭିନ୍ନ ବ୍ୟାଙ୍କ ସମେତ ଦୋକାନୀ ଠାରୁ ଋଣ ନେଇ ଚାଷୀ ଏକର ପ୍ରତି ୧୫ରୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ଏବେ ସେହି ମୂଳ ଧନ ଫେରି ପାଇବା ନେଇ ଆଶଙ୍କାରେ । ଏଭଳି ସ୍ଥିତିରେ ନିଜ ପରିବାର ଓ ଋଣ ଟଙ୍କା କିଭଳି ପରିଶୋଧ କରିବେ ସେନେଇ ଚିନ୍ତାରେ। ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ କୃଷକ ସଂଗଠନ ପକ୍ଷରୁ ଦାବି ହେଉଛି ।

Comments are closed.