ବିଶ୍ୱ ଚ୍ୟାଲେଞ୍ଜ୍ କପ୍ ଜିମ୍ନାଷ୍ଟିକ୍ସ, ଦୀପାଙ୍କୁ ସ୍ୱର୍ଣ୍ଣ
ନୂଆଦିଲ୍ଲୀ : ଆହତ ଥିବା ଯୋଗୁଁ ଦୀର୍ଘ ୨ ବର୍ଷ ପରେ ଜିମ୍ନାଷ୍ଟିକ୍ସକୁ ଫେରିଛନ୍ତି ଭାରତର ଶ୍ରେଷ୍ଠ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର। ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତି ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି ତ୍ରିପୁରାର ଜିମ୍ନାଷ୍ଟିକ୍ସ ରାଣୀ ଦୀପା। ତୁର୍କୀର ମର୍ସିନ୍ ସହରରେ ଚାଲିଥିବା ଆର୍ଟିଷ୍ଟିକ୍ସ ଜିମ୍ନାଷ୍ଟିକ୍ସ ବିଶ୍ୱ ଚ୍ୟାଲେଞ୍ଜ୍ କପ୍ ପ୍ରତିଯୋଗିତାରେ ଦୀପା କର୍ମକାର ତାଙ୍କ ପ୍ରିୟ ଇଭେଣ୍ଟ ଭଲ୍ଟରେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ବିଶ୍ୱ ଚ୍ୟାଲେଞ୍ଜ୍ କପ୍ ପ୍ରତିଯୋଗିତାରେ ଏହା ଦୀପାଙ୍କର ସର୍ବପ୍ରଥମ ସ୍ୱର୍ଣ୍ଣପଦକ।
ଏହି ପ୍ରତିଯୋଗିତାର ଯୋଗ୍ୟତା ରାଉଣ୍ଡରେ ଦୀପା ସର୍ବାଧିକ ୧୩.୪୦୦ ପଏଣ୍ଟ ସ୍କୋର୍ କରିଥିଲେ। ଫାଇନାଲ ରାଉଣ୍ଡରେ ଦୀପା ପ୍ରଭାବଶାଳୀ ୧୪.୧୫୦ ପଏଣ୍ଟ ସ୍କୋର୍କରି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଥିଲେ।
ଏହି ପ୍ରତିଯୋଗିତା ପାଇଁ ଦୀପାଙ୍କ ସହ ତାଙ୍କ ପ୍ରଶିକ୍ଷକ ବିଶେଶ୍ୱର ନନ୍ଦୀ ମଧ୍ୟ ଯାଇଛନ୍ତି। ଦୀପା ଭଲ୍ଟ ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ବାଲାନ୍ସ ବିମ୍ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଦୀପା କର୍ମକାର ୧୧.୮୫୦ ପଏଣ୍ଟ ସ୍କୋର୍କରି ୩ୟ ସ୍ଥାନରେ ରହିଥିଲେ।
ସୂଚନାଯୋଗ୍ୟ; ପ୍ରଥମ ଭାରତୀୟ ମହିଳା ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଭାଗ ନେଇଥିବା ଦୀପା କର୍ମକାର ରିଓ ଅଲିମ୍ପିକ୍ସରେ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ। ଏହାପରେ ଦୀପା ଆହତ ହୋଇଥିଲେ। ଫଳରେ ତାଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆରେ ଗୋଲ୍ଡ କୋଷ୍ଟରେ ଆୟୋଜିତ ଗତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଫେରିବାକୁ ଦୀପା ଲକ୍ଷ୍ୟ ରଖିଥିଲେ। ହେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଦୀପା ଏଥିରୁ ଓହରି ଯାଇଥିଲେ। ଇଣ୍ଡୋନେସିଆରେ ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଘୋଷିତ ଭାରତୀୟ ୧୦ ଜଣିଆ ଦଳରେ ରଖାଯାଇଛି। ଏଥିରେ ଦେଶକୁ ସ୍ୱର୍ଣ୍ଣପଦକ ଜିତାଇବା ଲାଗି ଦୀପା କଠିନ ପରିଶ୍ରମ କରୁଛନ୍ତି। ତୁର୍କୀରେ ବିଶ୍ୱ ଚ୍ୟାଲେଞ୍ଜ୍ କପ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ଜିତି ଦୀପା ପ୍ରମାଣିତ କରିଛନ୍ତି ଯେ ଆହତହେବା ଏବଂ ୨ ବର୍ଷ ପ୍ରତିଯୋଗିତାରୁ ଦୂରେଇ ରହିବା ସତ୍ତ୍ବେ ସେ ତାଙ୍କ ଫର୍ମ ହରାଇନାହାନ୍ତି।