ଗୁରୁଦ୍ୱାରାରୁ ହାଫିଜ ସୟିଦର ଭାରତ ବିରୋଧୀ ଅଭିଯାନ

0

ଇସଲାମାବାଦ : ଲସ୍କର ଇ ତୋଇବା ପ୍ରତିଷ୍ଠାତା ତଥା ୨୦୦୮ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ପାକିସ୍ତାନରେ ଶିଖ୍‌ ତୀର୍ଥସ୍ଥଳୀ ଅର୍ଥାତ ଗୁରୁଦ୍ୱାରାରୁ ଭାରତ ବିରୋଧୀ ଅଭିଯାନ ଚଳାଇଛି । ଗୁରୁଦ୍ୱାରାରୁ ହାଫିଜ୍‌ ଭାରତ ବିରୋଧୀ ଭାଷଣ ଦେଉଛି ଓ ମତ ପ୍ରଚାର କରୁଛି । ଫଳରେ ପାକିସ୍ତାନ ଶିଖ୍‌ ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ପିଏସ୍‌ଜିପିସ) ହାଫିଜ ସୟିଦ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିବା ରାଜନୈତିକ ଦଳ ମିଲି ମୁସଲିମ୍‌ ଲିଗ୍‌ (ଏମ୍‌ଏମ୍‌ଏଲ)କୁ ଖୋଲାଖୋଲି ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି । ପିଏସ୍‌ଜିପିସି ସାଧାରଣ ସମ୍ପାଦକ ଗୋପାଳ ସିଂ ଚାୱଲା ଏମ୍‌ଏମ୍‌ଏଲକୁ ସମର୍ଥନ ଜଣାଇଛନ୍ତି । ଏ କ୍ରମରେ ଶନିବାର ସନ୍ଧ୍ୟାରେ ଶିଖ୍‌ ଗୁରୁ ନାନକ ଦେବଙ୍କ ଜନ୍ମସ୍ଥାନ ନାନକାନା ସାହିବ ଗୁରୁଦ୍ୱାରାରେ ଏମ୍‌ଏମ୍‌ଏଲର ଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଗୋପାଳ ସିଂ ଚାୱଲା ଏମ୍‌ଏମ୍‌ଏଲ ଦଳୀୟ ବୈଠକ ଆୟୋଜନର ନେତୃତ୍ୱ ନେଇଥିଲେ । ଏଥିରେ ହାଫିଜ ସୟିଦ ଏବଂ ଏମ୍‌ଏମ୍‌ଏଲ ସଭାପତି ସୈଫୁଲ୍ଲା ଖାଲିଦ୍‌ ପ୍ରମୁଖ ଯୋଗ ଦେଇଥିଲେ । ହାଫିଜ ନିଜ ଭାଷଣରେ ଖାଲିସ୍ତାନ ନାମରେ ଶିଖଙ୍କ ଭାବାବେଗର ଫାଇଦା ନେଇ ଭାରତ ବିରୋଧୀ ମତ ପ୍ରଚାର କରିଥିଲା । ଉଲ୍ଲେଖ ଯେ ଏମ୍‌ଏମ୍‌ଏଲ୍‌କୁ ରାଜନୈତିକ ଦଳ ଭାବେ ପଞ୍ଜିକରଣ କରିବାକୁ ପାକିସ୍ତାନ ନିର୍ବାଚନ କମିଶନ ମନା କରିଦେଇଥିଲା । ଏପରିକି ଆମେରିକା ଦ୍ୱାରା ପ୍ରକାଶିତ ବିଦେଶୀ ଆତଙ୍କବାଦୀ ତାଲିକାରେ ଏମ୍‌ଏମ୍‌ଏଲ ନାମ ରହିଛି । ଆମେରିକା ହାଫିଜ୍‌ ମୁଣ୍ଡରେ ୧୦ ନିୟୁତ ଆମେରିକୀୟ ଡଲାରର ପୁରସ୍କାର ରାଶି ଘୋଷଣା କରିଛି । ଚାୱଲା ହାଫିଜ୍‌କୁ ସମର୍ଥନ ଜଣାଇବା ସହ ପାକିସ୍ତାନ ସମସ୍ତ ଶିଖ୍‌ ଏମ୍‌ଏମ୍‌ଏଲ୍‌କୁ ସମର୍ଥନ ଦେବେ ବୋଲି ସୁନିଶ୍ଚିତ କରାଇଛନ୍ତି । ଜମାତ ଉଦ୍‌ ଦାବା (ଜେୟୁଡ଼ି) ନେତା ତଥା ସଇଦ ଅବଦୁଲ୍ଲ ରେହମାନ ମାକ୍କି ମୁଲତାନରେ ଏକ ରାଲିରେ ଶିଖ୍‌ ଗୁରୁ ନାନାକ ଦେବଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲା । ଏହାପରେ ବି ଜମାତ ଉଦ୍‌ ଦାବା (ଜେୟୁଡି) ପ୍ରତିଷ୍ଠାତା ହାଫିଜ ସୟିଦଙ୍କୁ ପାକିସ୍ତାନର କେତେକ ଶିଖ୍‌ ନେତା ସମର୍ଥନ ଜଣାଇଛନ୍ତି । ଏହି ବୈଠକରେ ହାଫିଜ ରେହମାନ ମାକ୍କିଙ୍କ ମନ୍ତବ୍ୟର ନିନ୍ଦା କରି ଭୁଲ୍‌ ସୁଧାରିବାକୁ ଚେଷ୍ଟା କରିଥିଲେ । ଲାହୋରରେ ରହୁଥିବା କିଛି ସମ୍ପ୍ରଦାୟର ଲୋକ ଏମ୍‌ଏମ୍‌ଏଲକୁ ସମର୍ଥନ ଜଣାଉଥିଲାବେଳେ ଅନ୍ୟ ଅଞ୍ଚଳରେ ରହୁଥିବା ଶିଖ୍‌ ସମ୍ପ୍ରଦାୟର ଲୋକ ଏହାକୁ ବିରୋଧ କରୁଥିବା ପେଶୱାର ଶିଖ୍‌ ନେତା ପ୍ରକାଶ କରିଛନ୍ତି । ଗୁରୁଦ୍ୱାରାରେ ଭାରତ ବିରୋଧୀ ମତ ପ୍ରଚାରକୁ ସେ ବିରୋଧ କରିଛନ୍ତି ।

Leave A Reply