ଗୁରୁଡିଝାଟିଆ: ଆଠଗଡ ବ୍ଲକ ରାଧାକିଶୋରପୁର ପଞ୍ଚାୟତର ଖମାରନୂଆଗାଁରେ ନବେଢା ରାଜଦୋଳ ଉତ୍ସବ ଅନୁଷ୍ଠିତ ହୋଇଛି। ଗ୍ରାମର ଆରାଧ୍ୟ ଦେବତା ଗୋପିନାଥ ଜୀଉଙ୍କ ପୀଠରେ ଆଜି ବିମାନାରୁଢ ଦିଅଁ ବିରାଜମାନ କରି ପୂଜା ପାଇଥିଲେ। ଭାଇଚାରା, ସଂପ୍ରତିି ଓ ସଦଭାବନାର ବାର୍ତ୍ତାକୁ ବଜାୟ ରଖି ସୁସ୍ଥ ସମାଜ ଗଠନ କରିବା ରାଜଦୋଳ ଉତ୍ସବର ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଗୁରୁଡିଝାଟିଆର ମଦନମୋହନଜୀଉ, ଗୋବରାର ଦଧିବାମନଜୀଉ, କୁମାରପୁର ଶାସନର ଗୋପୀନାଥ ଦେବ, କୁମାରପୁରର ଦଧିବାମନଜୀଉ, ବାଳିର ଦଧିବାମନଜୀଉ, ବାଳିଶାସନର ଗୋପିନାଥଦେବ, କପୁରସିଂର ତୃତୀୟାଦେବ,ଗୋବରାଶାସନର ଗୋପାଳଦେବ ସୁସଜ୍ଜିତ ବିମାନରେ ଖମାରନୁଆଗାଁରେ ଏକତ୍ରିତ ହୋଇଥିବାରୁ ଗାଁରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।
ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ସଂକୀର୍ତ୍ତନ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଠାକୁର ଗ୍ରାମ ପରିକ୍ରମା କରିବା ସହ ଗ୍ରାମବାସୀମାନେ ଭୋଗ ଅର୍ପଣ ସହିତ ପୂଜାର୍ଚ୍ଚନା କରିଛନ୍ତି। ମୁରବୀ ହୃଦାନନ୍ଦ ବେଉରା ଓ ଗୋକୁଳାନନ୍ଦ ରାଉତଙ୍କ ସହିତ ଯୁବକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



