ଅଭାବ ପାଇଁ ଅଧାରୁ ପାଠ ଛାଡ଼ିଲେ ଛାତ୍ରୀ, ଏବେ ସାଜିଛନ୍ତି ଗାଈ ଚରାଳି
ଗୁରୁଡିଝାଟିଆ: ଆଖିରେ ଆଖିଏ ସ୍ୱପ୍ନ। ଇଚ୍ଛାଶକ୍ତି ମଧ୍ୟ ବହୁ ଉଚ୍ଚରେ। ଅଭାବ ଅନାଟନ ପାଇଁ ପାଠରୁ ସିନା ଅଧାରୁ ଡୋରି ବାନ୍ଧିଛନ୍ତି, ହେଲେ ପଢିବାରର ଉତ୍ସାହ ଓ ଉଦ୍ଦୀପନାକୁ କମାଇପାରିନି। ସେଥିପାଇଁ ଆଜି ସେ ଗାଈ ଚରାଇ ଗଲାବେଳେ ହାତରେ ଖଣ୍ଡେ ବହି ଧରି ଯାଇଥାଏ। ଗାଁ ପାଖ ଜଙ୍ଗଲ ଓ ପଡିଆରେ ଗାଈ ଛାଡିଦେଇ ଧରିଥିବା ବହିରୁ ସମୟ ଦେଖି ପଢ଼ାପଢ଼ି ଥାଏ। ହେଲେ ସେ ଜାଣିନି ଆଉ ତା ଭାଗ୍ୟରେ କେବେ ବିଦ୍ୟାଳୟକୁ ଫେରିବ କି ନାହିଁ। ଅଖଣ୍ଡ ଇଚ୍ଛାଶକ୍ତି ରହିଛି। କେହିଯଦି ସହାୟତାର ହାତ ବଢାଏ। କୋମଳ ବୟସରେ ଗାଈ ଚରାଇବାକୁ ନଯାଇ ବିଦ୍ୟାଳୟକୁ ଯାଇ ପୁଣି ପଢିବ।
ଏ ହେଉଛି କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ଗୋବରା ପଞ୍ଚାୟତର ଜନଜାତି ଅଧ୍ୟୁଷିତ ଓର୍ଦ୍ଦା ଗାଁର କୋମଳମତି ତୁଳସୀ ହାସଁଦା(୧୪)ର ଜୀବନଚିତ୍ର। ବାପା ରଘୁ ହାସଁଦା ଦିନ ମଜୁରିଆ ହୋଇଥିବା ବେଳେ ସବୁଦିନ ମଧ୍ୟ କାମ ପାଏନି। ସେଥିପାଇଁ ଗାଁ ନିକଟରେ ଅବସ୍ଥିତ ରାଣିବଣିଆ ଓ ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ କାଠପତ୍ର ସଂଗ୍ରହ କରି ନିଜ ସ୍ତ୍ରୀ ଜାନ ହାସଁଦା ଓ ୫ଟି ପିଲାଙ୍କ ମୁହଁରେ ଦାନ ଦେଇଥାଏ। ଝିଅ ତୁଳସୀକୁ ମଧ୍ୟ ବଡ ମଣିଷ କରିବା ପାଇଁ ରଘୁର ଆଖିରେ ଆଖିଏ ସ୍ୱପ୍ନ ଥିଲା। ହେଲେ ଅଭାବୀ ପରିବାର ସାଙ୍ଗକୁ ୫ଟି ପିଲାଙ୍କ ଭରଣ ପୋଷଣ ପରେ ତୁଳସୀକୁ ପାଠ ପଢାଇବାକୁ ମଧ୍ୟ ଭୁଲିନଥିଲା। ହେଲେ ଅଷ୍ଟମ ପାସ ପରେ ଆଉ ଅର୍ଥ ଯୋଗାଡ କରିପାରିଲା ନାହିଁ।
ତେଣୁ ତୁଳସୀ ଢେଙ୍କାନାଳର ଏକ ଆବାସିକ ବିଦ୍ୟାଳୟରୁ ଅଷ୍ଟମ ପାସ ପରେ ପରିବାରର ଦୁସ୍ଥିତି ପାଇଁ ଅଧିକ ପଢିବାକୁ ଇଚ୍ଛାଥିଲେ ମଧ୍ୟ ବାଧ୍ୟ ହୋଇ ପାଠରେ ଡୋରି ବାନ୍ଧିଥିଲା। ବାପା ଓ ମାଆ ଜଙ୍ଗଲକୁ ପଳାଇଲେ କାଠପତ୍ର ସଂଗ୍ରହ କରିବା ପାଇଁ ଘରେ ଥିବା ଗାଈ ଓ ବଳଦକୁ ଚରାଇବା ଦାୟିତ୍ୱ ତୁଳସୀ ହାତରେ ଥାଏ ନ୍ୟସ୍ତ। କ’ଣ ଦୁଇମୁଠା ଖାଇଦେଇ ହାତରେ କଟୁରୀ ଓ ବାଡି ସହିତ ଖଣ୍ଡେ ବହି ଧରି ଗାଁ ପକ୍ଷ ଜଙ୍ଗଲ ଓ ପଡିଆରେ ଗାଈ ଚରାଇଥାଏ। ମଧ୍ୟାହ୍ନରେ ଭୋକ ହେଲେ କଣ ବା କରିବ? ଭୋକକୁ ପେଟରେ ମାରି ସଞ୍ଜ ନଇଁଲେ ଘରକୁ ଫେରିଥାଏ। ତୁଳସୀ ମନରେ କିନ୍ତୁ ଅଦମ୍ୟ ଇଚ୍ଛାଶକ୍ତି ଓ ସାହସ ରହିଛି। ଯାହା ତାହାର ଗାଈ ଚରାଇ ଗଲାବେଳେ ହାତରେ ଧରିଥିବା ବହି ସୁଚାଇଥାଏ। କେହି ନା କେହି ସହାୟତା ପ୍ରଦାନ କଲେ ସେ ପୁଣି ପାଠପଢି ନିଜ ଗୋଡରେ ଠିଆହେବା ସହିତ ପରିବାର ପାଇଁ ଆଶ୍ରାବାଡି ଭାବେ ଉଭାହେବେ। ରାଜ୍ୟ ସରକାର ଜନଜାତି ଜନସାଧାରଣଙ୍କ ଉତଥାନ ଓ ବିଦ୍ୟାର୍ଥୀମାନଙ୍କୁ ସ୍ୱତନ୍ତ୍ର ଭାବରେ ଗଢିତୋଳିବା ପାଇଁ ଏକ ବିଭାଗ ଗଠନ କରିଛନ୍ତି।
କୋଟିକୋଟି ଟଙ୍କା ମଧ୍ୟ ବ୍ୟୟ ହେଉଛି। ବିଦ୍ୟାର୍ଥୀମାନଙ୍କ ପାଇଁ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ହେଲେ ତୁଳସୀ ଭଳି ପଢିବା ପାଇଁ ଅଦ୍ୟମ ଉତ୍ସାହ ଥିବା କୋମଳମତି ଛାତ୍ରୀ ଏ ସବୁ ଥିରୁ ବଞ୍ଚିତ ହେବା ସରକାରଙ୍କ ବେଟି ବଞ୍ଚାଓ ବେଟି ପଢାଓ ଯୋଜନା ଯେ କେଉଁ ଦିଗକୁ ଗତି କରୁଛି ତାହା ସ୍ପଷ୍ଟ ବାରିହୋଇପଡୁଛି।
Comments are closed.