ଟଳିଲା ବିପତ୍ତି; ଢାଳିଲା ବର୍ଷା
ଶ୍ରୀକାକୁଲମର ସନ୍ଥଗୁଡ଼ାରେ ସ୍ଥଳଭାଗ ଛୁଇଁଲା ‘ଗୁଲାବ’

ଗଞ୍ଜାମ, ଗଜପତି ଓ ରାୟଗଡା ଦେଇ ଓଡ଼ିଶା ଅତିକ୍ରମ, ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ, ୩୯ ହଜାର ସ୍ଥାନାନ୍ତର, ଗଜପତିରେ ଭୂସ୍ଖଳନ

ଭୁବନେଶ୍ବର : ସାମାନ୍ୟ କ୍ଷୟକ୍ଷତି ସହ ଓଡ଼ିଶାରେ ଟଳିଲା ବାତ୍ୟା ‘ଗୁଲାବ’ ବିପତ୍ତି। ଭାରତୀୟ ପାଣିପାଗ ବିଭାଗ ଯେଭଳି ଭବିଷ୍ୟବାଣୀ କରିଥିଲା ବାତ୍ୟା ‘ଗୁଲାବ’ ସେଭଳି ପ୍ରଭାବ ପକାଇନାହିଁ। ଗୁଲାବ ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୯୦ କିମି ଟପିବ ଏବଂ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଥିଲା। ହେଲେ ବିବରଣୀ ଲେଖାହେବା ପର୍ଯ୍ୟନ୍ତ ଗୁଲାବ ସ୍ଥଳଭାଗ ଛୁଇଁଲା ବେଳକୁ ଓଡ଼ିଶାରେ ପବନର ବେଗ ୭୦ କିମି ଭିତରେ ସୀମିତ ରହିଛି। ୭ଟି ଜିଲାରେ ବର୍ଷାର ପ୍ରଭାବ ରହିଛି। କିନ୍ତୁ ବର୍ଷା ଏବଂ ପବନ ଯେଭଳି ଢଙ୍ଗରେ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା ସେ ବିପଦ ଟଳି ଯାଇଛି। ଅନ୍ୟପଟେ ପାଖାପାଖି ରାତି ସାଢେ ୯ଟା ବେଳକୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମର ସନ୍ଥଗୁଡାରେ ସ୍ଥଳଭାଗ ଅତିକ୍ରମ କରିଛି ଗୁଲାବ। ଓଡ଼ିଶା ଉପରେ ସେମିତି କିଛି ପ୍ରଭାବ ନାହିଁ। ଗଞ୍ଜାମ, ଗଜପତି ଓ ରାୟଗଡାରେ ପ୍ରଭାବ ପଡିନାହିଁ; କିନ୍ତୁ ବାତ୍ୟା ଅତିକ୍ରମ କରିବା ପରେ ଗଞ୍ଜାମ, ଗଜପତି ଓ କୋରାପୁଟରେ ବର୍ଷା ବଢ଼ିପାରେ। କୋରାପୁଟ ପଶ୍ଚିମରେ ବାତ୍ୟା ରହିଛି। ତେବେ ଅତି ପ୍ରବଳ ବର୍ଷାର ସମ୍ଭାବନା ଉପରେ ପ୍ରଶାସନ ପକ୍ଷରୁ ନଜର ରଖାଯାଇଛି ବୋଲି ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ(ଏସ୍ଆରସି)ସୂଚନା ଦେଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ବାତ୍ୟା ‘ଗୁଲାବ’ ରବିବାର ସନ୍ଧ୍ୟା ୬ଟାରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଥିଲା। ପ୍ରକ୍ରିୟା ପ୍ରାୟ ତିନି ଘଣ୍ଟା ଧରି ଚାଲିଥିଲା। ଗୋପାଳପୁରରୁ ୯୫ କିମି ଏବଂ କଳିଙ୍ଗପଟନମ ଉତ୍ତରରେ ୨୫ କିଲୋମିଟର ଦୂରରେ ଥିବା ଟେକାଲି ଓ ମୋରିଗୁଡା ଗାଁ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଥିଲେ ମଧ୍ୟ ଶ୍ରୀକାକୁଲମ ନିକଟସ୍ଥ ସନ୍ଥଗୁଡାରେ ସ୍ଥଳଭାଗ ଅତିକ୍ରମ କରିଥିଲା। ସ୍ଥଳଭାଗ ଛୁଇଁବା ସମୟରେ ଗଞ୍ଜାମ ଓ ଗଜପତି ଜିଲାରେ ବର୍ଷା ସହ ପବନ ବହିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି। ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାର କିଛି ଅଂଶ ଦେଇ ଗୁଲାବ ଓଡ଼ିଶା ଅତିକ୍ରମ କରିଛି; କିନ୍ତୁ ଆସନ୍ତାକାଲି (ସୋମବାର) ମଧ୍ୟାହ୍ନ ପର୍ଯ୍ୟନ୍ତ ଉପରୋକ୍ତ ଜିଲାରେ ବାତ୍ୟାର ପ୍ରଭାବ ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ‘ଗୁଲାବ’ ସ୍ଥଳଭାଗ ଛୁଇଁବା ସମୟରେ ପୁରୀରେ ଘଣ୍ଟା ପ୍ରତି ପବନର ବେଗ ୩୧ କିମି, ଗୋପାଳପୁରରେ ୩୦ କିମି, କଳିଙ୍ଗପଟନମରେ ୯୪ କିମି ଥିଲା। ପୁରୀରେ ୯ମିମି, ଗୋପାଳପୁରରେ ୧୨ ମିମି ଏବଂ କଳିଙ୍ଗପଟନମରେ ୫୮ ମିମି ବର୍ଷା ରେକର୍ଡ କରାଯାଇଥିଲା। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ସନ୍ଧ୍ୟା ୬ଟାରୁ ‘ଗୁଲାବ’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରକ୍ରିୟା ୩ ଘଣ୍ଟା ଧରି ଚାଲିବ, ଅର୍ଥାତ ୯ଟା ବେଳକୁ ସ୍ଥଳଭାଗରେ ଅତିକ୍ରମ କରିପାରେ। କଳିଙ୍ଗପଟନମରୁ ୨୫ କିଲୋମିଟର ଦୂରରେ ଏହା ଉପକୂଳ ଅତିକ୍ରମ କରିବ। ପୂର୍ବ ଆକଳନ ଅନୁଯାୟୀ ବାତ୍ୟା ଗୁଲାବ ଉପକୂଳ ଛୁଇଁବା ବେଳେ ପବନର ବେଗ ଘଣ୍ଟାକୁ ୭୫ରୁ ୮୫ କିମି ରହିବ। ଅତିବେଶୀରେ ଘଣ୍ଟା ପ୍ରତି ପବନର ବେଗ ୯୫ କିମି ହୋଇପାରେ।
ଆଇଏମଡି ସୂତ୍ର ଆଧାରରେ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି, ବାତ୍ୟା ଘଣ୍ଟା ପ୍ରତି ୧୭ କିଲୋମିଟର ସ୍ଥଳଭାଗ ଆଡକୁ ମାଡି ଆସୁଥିବା ବେଳେ ମଧ୍ୟାହ୍ନ ୧୨ଟାରୁ ବେଗ ବଢି ଘଣ୍ଟାକୁ ୨୪ କିଲୋମିଟର ବେଗରେ ଆସିଥିଲା। ଏଥିରେ ପ୍ରଭାବିତ ହେବାକୁ ଥିବା ୭ ଜିଲାରେ ଅତିବେଶୀ ବର୍ଷା ଓ ପବନ ନଥିଲା; କିନ୍ତୁ ଗଜପତି ଜିଲାରେ ବର୍ଷା ସହିତ ଘଣ୍ଟା ପ୍ରତି ପବନର ବେଗ ୪୦ରୁ ୫୦ କିମି ରହିଥିଲା। ଅପରାହ୍ଣ ସାଢେ ୨ଟା ସୁଦ୍ଧା ତଳିଆ ଅଞ୍ଚଳରୁ ୧୬ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ରାତି ୯ଟା ସୁଦ୍ଧା ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲାେର ସର୍ବାଧିକ ୧୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ଗର୍ଭବତୀ, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧା ରହିଥିଲେ। ଗର୍ଭବତୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରବଳ ବର୍ଷା ଓ ପବନ ନଥିବା ଯୋଗୁଁ ଲୋକ ବାତ୍ୟା ଆଶ୍ରୟସ୍ଥଳକୁ ଆସିବାକୁ ଆଗ୍ରହ ପ୍ରକାଶ କରି ନଥିଲେ; କିନ୍ତୁ ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି ବାତ୍ୟା ପ୍ରକୋପ ଅଧିକ ରହିଲେ ଆଶ୍ରୟସ୍ଥଳ ଓ ସୁରକ୍ଷିତ ସ୍ଥାନକୁ ଚାଲିଯିବେ। ପ୍ରଶାସନ ପକ୍ଷରୁ ସେମାନଙ୍କ ଉପରେ ନଜର ରଖାଯାଇଛି। ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବା ପୂର୍ବରୁ ଗଜପତି ଜିଲା ଗୁମ୍ମା ବ୍ଳକ ନିକଟସ୍ଥ ପାହାଡରୁ ମାଟି ଅତଡା ରାସ୍ତା ଉପରକୁ ଧସିଥିଲା। ଭୂସ୍ଖଳନ ଦ୍ବାରା ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ଓ କୋରାପୁଟରେ ଅଧିକ ବର୍ଷା ଓ ପବନ ହୋଇନାହିଁ। ସ୍ଥଳଭାଗ ଛୁଇଁବା ପରେ ଆସନ୍ତାକାଲି ପୂର୍ବାହ୍ନ ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶା ଅତିକ୍ରମ କରିବ। ସୋମବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସତର୍କ ରହିବାକୁ ପଡ଼ିବ ବୋଲି ଏସଆରସି ସତର୍କ କରାଇଛନ୍ତି।

Comments are closed.