ନୂଆଦିଲ୍ଲୀ::କରୋନା ମହାମାରୀ ପ୍ରଭାବରେ ଉଭୟ କେନ୍ଦ୍ର ଏବଂ ରାଜ୍ୟଗୁଡିକର ଆୟରେ ଯଥେଷ୍ଟ ହ୍ରାସ ଘଟିଛି । ବର୍ତମାନ ପରିସ୍ଥିତି ଖରାପ ହୋଇଛି ଓ ଆଗକୁ ଆହୁରି ଖରାପ ହୋଇପାରେ । ତେଣୁ ଜିଏସଟି କ୍ଷତିପୂରଣ ନିମନ୍ତେ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ଦେଇଛନ୍ତି କେନ୍ଦ୍ର ସରକାର । କେବଳ ବିକଳ୍ପ ନୁହେଁ, ୭ ଦିନ ମଧ୍ୟରେ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଜିଏସ୍ଟି ପରିଷଦର ୪୧ ତମ ବୈଠକ । ଦୀର୍ଘ ପାଞ୍ଚ ଘଣ୍ଟା ଧରି ଭିଡିଓ କନ୍ଫରେନ୍ସ ଜରିଆରେ ଚାଲିଥିବା ଏହି ବୈଠକରେ ରାଜ୍ୟଗୁଡିକୁ ଜିଏସ୍ଟି ବାବଦରେ ମିଳିବାକୁ ଥିବା କ୍ଷତିପୂରଣ ଏବଂ କେତେକ ଉତ୍ପାଦ ଉପରେ ଜିଏସ୍ଟି ହାର ହ୍ରାସ ଘଟାଇବା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ଚଳିତ ଆର୍ଥିକବର୍ଷ ୨୦୨୦-୨୧ରେ ଜିଏସ୍ଟି ସଂଗ୍ରହରେ ୨.୩୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିବା ଆଶଙ୍କା କରାଯାଉଛି।
ଏହି ପରିପ୍ରେକ୍ଷୀରେ ଜିଏସ୍ଟି ବାବଦ ହେଉଥିବା ରାଜସ୍ବ କ୍ଷତି ଭରଣା କରିବା ପାଇଁ ରାଜ୍ୟଗୁଡିକର କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ବିକଳ୍ପ ପ୍ରଦାନ କରିଛନ୍ତି । ପ୍ରଥମ ବିକଳ୍ପ ହେଉଛି କେନ୍ଦ୍ର ସରକାର ଋଣ କରି ରାଜ୍ୟଗୁଡିକୁ ଯୋଗାଇଦେବେ ଏବଂ ଦ୍ବିତୀୟଟି ହେଉଛି ଆର୍ବିଆଇ ନିକଟରୁ ଉଧାର ଆଣି ରାଜ୍ୟଗୁଡିକ ଦେବେ। ଏହା ମଧ୍ୟରୁ ଗୋଟିଏ ବିକଳ୍ପ ବାଛିବାକୁ ରାଜ୍ୟଗୁଡିକୁ ଏକ ସପ୍ତାହ ସମୟ ଦିଆଯାଇଛି । ପ୍ରଥମ ବିକଳ୍ପ ଅନୁଯାୟୀ, ରାଜ୍ୟଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିକଟରୁ ୯୭,୦୦୦ କୋଟି ଟଙ୍କାର ସ୍ବତନ୍ତ୍ର ଋଣ ମିଳିବ, ଯାହା ଉପରେ ଖୁବ୍ କମ୍ ସୁଧ ହାର ପଡିବ । ଦ୍ବିତୀୟ ବିକଳ୍ପରେ ହ୍ରାସ ଘଟିବାକୁ ଥିବା ସମ୍ପୂର୍ଣ୍ଣ ୨.୩୫ ଲକ୍ଷ କୋଟି ଟଙ୍କାର ଜିଏସ୍ଟି ସଂଗ୍ରହ ବାବଦ ବ୍ୟବଧାନ ଅର୍ଥକୁ ରାଜ୍ୟଗୁଡିକ ଦ୍ବାରା ରିଜର୍ଭ ବ୍ୟାଙ୍କ ସହାୟତାରେ ବହନ କରାଯିବ ।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଚଳିତବର୍ଷର ଏପ୍ରିଲରୁ ଜୁଲାଇ ମଧ୍ୟରେ ଜିଏସ୍ଟି କ୍ଷତିପୂରଣ ବାବଦରେ କେନ୍ଦ୍ର ସରକାରଙ୍କୁ ୧.୫ ଲକ୍ଷ କୋଟି ଟଙ୍କା ପଇଠ କରିବାର ଥିଲା। ତେବେ ଏପ୍ରିଲ ଏବଂ ମେ ମାସରେ ଜିଏସ୍ଟି ସଂଗ୍ରହରେ କେନ୍ଦ୍ର ସରକାରଙ୍କ ଆୟ ବହୁତ ହ୍ରାସ ପାଇଥିଲା । ଆଜିର ଜିଏସ୍ଟି ପରିଷଦ ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥ ମନ୍ତ୍ରୀ ଏବଂ କେନ୍ଦ୍ର ରାଜସ୍ବ ସଚିବ ଅଜୟ ଭୂଷଣ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ ।



