ମାନନୀୟ ଶ୍ରୀ ଗଣେଶୀ ଲାଲଙ୍କ ବାହୁଡ଼ା

ଭୁବନେଶ୍ବର : ପ୍ରଜା, ଜନତା ଓ ରାଜ୍ୟ ଥିବା ଯାଏ କେତେ ଶାସକ, କେତେ ପ୍ରଶାସକ ବା ଲୋକତାନ୍ତ୍ରିକ ପ୍ରତିନିଧି ଆସିବେ, ଯିବେ। ସେମିତି ଗଣତାନ୍ତ୍ରିକ ପ୍ରକ୍ରିୟାରେ ରାଜ୍ୟରେ ଅଧିଷ୍ଠିତ ସର୍ବୋଚ୍ଚ ଶାସନକର୍ତ୍ତା ହେଉଚନ୍ତି ‘ରାଜ୍ୟପାଳ’। କେନ୍ଦ୍ର ସରକାର ଦ୍ବାରା ନିଯୁକ୍ତ ମାନ୍ୟବର ରାଜ୍ୟପାଳ ଏକ ଗୁରୁତ୍ବପୂର୍ଣ୍ଣ ସାମ୍ବିଧାନିକ ପଦବୀ। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ବୟ ଓ ସନ୍ତୁଳନ ରକ୍ଷାର ନିରପେକ୍ଷ ଦୁରୂହ ଦାୟିତ୍ବ ସେ ବହନ କରନ୍ତି। ଯେଉଁଠି କେନ୍ଦ୍ର ଓ ରାଜ୍ୟ ଶାସନ ଗୋଟିଏ ଦଳ ଦ୍ବାରା ହେଲା, ରାଜ୍ୟପାଳଙ୍କ ପାଇଁ ଅଡ଼ୁଆ ନାହିଁ କହିଲେ ଚଳେ; ମାତ୍ର ଯେଉଁଠି କେନ୍ଦ୍ର ଓ ରାଜ୍ୟରେ ଭିନ୍ନ ଭିନ୍ନ ଦଳ ଶାସକ ହେଲେ ସେଠି ରାଜ୍ୟପାଳ ସବୁବେଳେ ପ୍ରାୟ ସତୀ ପରୀକ୍ଷାର ସମ୍ମୁଖୀନ। ଏଠି ‘‘ଗାଈକି ମାଇଲେ ମଲି, ଗାଈ ମାଇଲେ ମଲି’’ ଅବସ୍ଥା, ଏ ପ୍ରବୀଣ କର୍ତ୍ତାଙ୍କ ପାଇଁ ସୃଷ୍ଟି ହୁଏ। ଏବେ ବିଭିନ୍ନ ରାଜ୍ୟରେ କେନ୍ଦ୍ର ଭିନ୍ନ ଥିବାରୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଯେଭଳି ଝଗଡ଼ା ହେଉଛି, ତା’ ଅଶୋଭନୀୟ କେବଳ ହେଉନି, ସାମ୍ବିଧାନିକ ସମସ୍ୟା ସୃଷ୍ଟି କରୁଛି। ଏବେ ବି ଏ ସଂକ୍ରାନ୍ତରେ ମାମଲାମାନ ହାଇକୋର୍ଟ ଓ ସୁପ୍ରିମକୋର୍ଟକୁ ଯାଉଛି। ବଡ଼ ଅସ୍ବସ୍ତିକର ଅବସ୍ଥା ୟେ। ଗଣତାନ୍ତ୍ରିକ ପଦ୍ଧତି ପ୍ରତି ଆହ୍ବାନ ପରି ଦଣ୍ଡାୟମାନ ହୁଏ।
ମାତ୍ର ଓଡ଼ିଶାରେ ଗତ ୫ ବର୍ଷ ୫ ମାସର ଶାସନ ମଧ୍ୟରେ ରାଜ୍ୟର ମୁଖ୍ୟ ଓ କେନ୍ଦ୍ରର ପ୍ରତିନିଧି ରାଜ୍ୟପାଳ ମହାମହିମ ଶ୍ରୀ ଗଣେଶୀଲାଲଜୀଙ୍କର ନିର୍ବାଚିତ ସରକାରଙ୍କ ସହ ସହୃଦୟତା, ଆନ୍ତରିକତା ବେଶ୍‌ ଅସାଧାରଣ ବୋଧ ହୋଇଛି। ଲୋକେ କଥା କଥାକେ କହନ୍ତି ‘‘ତୁ କୋଉ ଗଭର୍ଣ୍ଣରଟା କି?’’ ଏଥିରୁ ଗଭର୍ଣ୍ଣର ବା ରାଜ୍ୟପାଳ ପଦର ଗରିମା, ଜନତାସମ୍ମାନ ବେଶ୍‌ ଅନୁଭବ୍ୟ। ନିରାପତ୍ତା ଓ ସମ୍ମାନବୋଧ(ପ୍ରୋଟକଲ)ର କଡ଼ା ବ୍ୟବସ୍ଥାରେ ରାଜ୍ୟପାଳଙ୍କ ଗତାଗତ ଢେର୍‌ ନିୟନ୍ତ୍ରିତ। ତାଙ୍କୁ ଦୂରରୁ ଦେଖିବା, ସାଧାରଣ ଜନତା ପକ୍ଷେ ସୌଭାଗ୍ୟର କଥା, ମାତ୍ର ଓଡ଼ିଶାରେ ଗତ ପ୍ରାୟ ସାଢ଼େ ପାଞ୍ଚବର୍ଷର କାର୍ଯ୍ୟକାଳ ମଧ୍ୟରେ ମାନନୀୟ ସ୍ନେହାସ୍ପଦ ଶ୍ରୀ ଗଣେଶୀ ଲାଲଙ୍କୁ ଏ ନିରାପତ୍ତା କଟକଣା ବା ପ୍ରୋଟକଲ ଜନତା ଠାରୁ କେବେ ବି ଦୂରେଇ ରଖିନି। ସେ ସଦାବେଳେ ସତେ ଯେମିତି ଲୋକଙ୍କର ଓ ଜଣେ ସାଧାରଣ ଲୋକ। ‘ସମାଜ’ ଅନୁଷ୍ଠାନ ଦ୍ବାରା ପ୍ରତିଷ୍ଠିତ ଓ ପରିଚାଳିତ ‘ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର’କୁ ନର୍ସିଂ କଲେଜ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କର୍ମକର୍ତ୍ତାଙ୍କ ନିବେଦନକୁ ସେ ଗ୍ରହଣ କଲେ। ତା’ ପରେ ପୁଲିସ ଦଳ ଗୁଇନ୍ଦା ଆଦି ନାନା କର୍ମକର୍ତ୍ତାଙ୍କ ଗସ୍ତ, ଅନୁସନ୍ଧାନ, ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ ଝାଳନାଳ କରିଦେଲା। ତାଙ୍କ କାର୍ଯ୍ୟକ୍ରମ ମିନିଟରୁ ମିନିଟ୍‌। ପାଖରେ ବସିବା ଲୋକ ବି ଆଙ୍ଗୁଠିଗଣା। ଯାହା ହେଲେ ବି ରାଜ୍ୟପାଳଙ୍କ ପାଦ ପଡ଼ିବ। ନିର୍ଦିଷ୍ଟ ସମୟ ଅନୁସାରେ ସଭା କାର୍ଯ୍ୟକ୍ରମ ଚାଲୁଥାଏ। ଶେଷ ବେଳକୁ ୩/୪ଟି ନର୍ସିଂ ଛାତ୍ରୀ ଆସି ଅନୁଷ୍ଠାନ ଅଧ୍ୟକ୍ଷଙ୍କ କାନରେ କ’ଣ ଚୁପିଚୁପି କହୁଥିଲେ, ମାତ୍ର ରାଜ୍ୟପାଳ ମହାଭାଗଙ୍କ ଆଡ଼େ ଚାହିଁଥାନ୍ତି। ହୃଦୟ ବାଣ୍ଟୁଥିବା, ପ୍ରାଣମୟ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ‘ପିଲା କ’ଣ କହୁଛନ୍ତି’ ବୋଲି ପଚାରିଲେ। ପିଲାଙ୍କୁ ଗାଳିଦେଇ, ରାଜ୍ୟପାଳଙ୍କୁ ବିନମ୍ରତାସହ କର୍ତ୍ତାଜଣଙ୍କ କହିଲେ, ‘‘ନାଇମ ଆଜ୍ଞା, ଆପଣଙ୍କ ସହ କିଛି ବାର୍ତ୍ତାଳାପ ଚାହୁଁଛନ୍ତି। ଛୋଟ ପିଲା ତ, ପଦପଦବୀ ଗରିମା ଜାଣିନାହାନ୍ତି।’’ ମୁହଁ ଶୁଖାଇ ପିଲାମାନେ ଫେରିଗଲେ। ମହାମହିମଙ୍କ ଭାଷଣ ପରେ ସେ ଆମ ବାଟକଢ଼ାକୁ ଏଡ଼େଇ ପିଲାଙ୍କ ଆଡ଼େ ମୁହାଁଇଲେ ଓ ତାଙ୍କ ମଝିରେ ବସିପଡ଼ିଲେ। ଓଃ ପିଲାଙ୍କ ମଧ୍ୟରେ କି ଆନନ୍ଦ। ଆମେ ଓ ନିରାପତ୍ତାରକ୍ଷୀ କର୍ମକର୍ତ୍ତା ସ୍ତମ୍ଭୀଭୂତ, ବିସ୍ମିତ। ବେଶ୍‌ କିଛି ସମୟ ହସ ଖୁସିର ଅପୂର୍ବ ମୁହୂର୍ତ୍ତ ପରେ ଅତୃପ୍ତ ପିଲେ ତାଙ୍କ ସହ ଫଟୋ ଉଠାଇବାକୁ ଅଳିକଲେ। ନାତି-ନାତୁଣୀଙ୍କ ମେଳରେ ସତେ ଯେମିତି ସେ ମସ୍‌ଗୁଲ୍‌ ହୋଇଯାଇଥିଲେ। ଫଟୋ ଉଠାଇବାକୁ ସମ୍ମତି ଦେଇଦେଲେ। ସମୟ ଢେର୍‌ ଅତିକ୍ରାନ୍ତ ହୋଇଯାଇଥିଲା। ତେବେ କର୍ମକର୍ତ୍ତାଙ୍କ ହାତଯୋଡ଼ା ନିବେଦନ ଥିଲା, ପାଣି ଟିକେ ମୁହଁରେ ଲଗାଇବାକୁ। ତାଙ୍କ ଦେହରକ୍ଷୀ ଏ ନିବେଦନକୁ ଏଡ଼େଇ ଦେଉଥା’ନ୍ତି। ମାତ୍ର ଆମ କର୍ମକର୍ତ୍ତାଙ୍କ ଶୁଖିଲା ମୁହଁକୁ ଦେଖି ସେ କହିଲେ, ‘‘କେଉଁଠିକି ଯିବା?’’ ତାଙ୍କ ସହ ଅନ୍ୟମାନଙ୍କ ପାଇଁ ପ୍ରସ୍ତୁତ ଜଳଖିଆ ପ୍ଲେଟ ପରସା ଗଲା। ସେ ମାତ୍ର ଗୋଟିଏ ପୁରମଣ୍ଡାରୁ ଟିକିଏ ଖାଇଲେ ଓ ଖୁବ୍‌ ଭଲ ହୋଇଛି କହି ଅନ୍ୟମାନଙ୍କ ପ୍ଲେଟ ଶେଷ ପର୍ଯ୍ୟନ୍ତ ବସିଥିବା ଜଣା ପଡ଼ିଯାଉଥାଏ। ଓଃ କି ମହାନୁଭବତା, କି ଉଦାରତା!
ଓଡ଼ିଶାର ମାଟି ସଂସ୍କାର ସଂସ୍କୃତି ପ୍ରତି ତାଙ୍କ ସମ୍ମାନ ଓ ତତ୍‌ସମ୍ବନ୍ଧିତ ବୌଦ୍ଧିକ ତତ୍ତ୍ବରେ ବି ସେ ବେଶ୍‌ ପ୍ରଜ୍ଞାମୟ। ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତି ତାଙ୍କର ସମ୍ମାନ ଅତୁଳନୀୟ। କଟକକୁ ଏକ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସେ ଆସିଥାନ୍ତି। ମାତ୍ର ହଠାତ୍‌ ଖବର ରାଜଭବନରୁ ଆସିଲା, ମାନ୍ୟବର ରାଜ୍ୟପାଳ ଗୋପବନ୍ଧୁଙ୍କ ମୂର୍ତ୍ତିରେ ପ୍ରଥମେ ମାଲ୍ୟାର୍ପଣ କରି ସେ ସଭାରେ ଯୋଗ ଦେବେ। ‘ସମାଜ’ର ସମସ୍ତ କର୍ମକର୍ତ୍ତା ମହାମହିମ ରାଜ୍ୟପାଳଙ୍କ ଏ ଅପ୍ରତ୍ୟାଶିତ ଓ ଭାବମୟ କାର୍ଯ୍ୟକ୍ରମକୁ ବିଶ୍ବାସ କରିପାରୁ ନଥା’ନ୍ତି। ୟେ ଏକ ଅସାଧାରଣ ହୃଦୟ। ତାଙ୍କୁ ସାଧାରଣ ଲୋକେ ମାପିବେ କେମିତି? ଇଂରାଜୀ ଭଳି ଗରୁଆ ସାହିତ୍ୟରେ ସ୍ନାତକ ଅନର୍ସ ପରେ ଗଣିତ ଭଳି ଶୁଖିଲା କଠୋର ପାଠରେ ସ୍ନାତକୋତ୍ତର କରି ପାରଦର୍ଶିତା ହାସଲର ବିସ୍ମୟକର ତାଙ୍କ ଭାବ ଅବୋଧ୍ୟ। ତାଙ୍କ କର୍ତ୍ତବ୍ୟନିଷ୍ଠା ସ୍ବୀୟ ସ୍ତ୍ରୀର ପରଲୋକ ଘଟିବା ପରେ ବି ପୂର୍ବ ନିର୍ଦ୍ଧାରିତ କୁଳପତି ମନୋନୟନ କାର୍ଯ୍ୟକ୍ରମ ଚାଲୁ ରଖିବା ଓ କୁଳପତି ନିଯୁକ୍ତି ଦେବାର ମାନସିକତା, ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ତ୍ରୀ ବିୟୋଗ ଟେଲିଗ୍ରାମ ପରେ ବି ଅଦାଲତରେ ତାଙ୍କ ସୁଆଲ ଅବିଚଳିତ ଚାଲୁ ରଖିବାର ଦୃଢ଼ ଓ ଅବିଚଳିତ ଐତିହାସିକ ସତ୍ୟ ସହ ମେଳ ଖାଉଛି। ଗୁଡ଼େ ଚିହ୍ନ ଲିଭେନା, ‘‘ସ୍ମୃତି ତ କଦାପି ନୋହେ ଫିଙ୍ଗିବାର, ପାରିଲେ ଫିଙ୍ଗି ସେ ଲଭନ୍ତା ନିସ୍ତାର’’। ସେମିତି ମହାନୁଭବ ଗଣେଶୀଲାଲ ଏ ରାଜ୍ୟ ଜନତା ହୃଦୟରେ ଅଲିଭା ରହିବେ। ଜଗନ୍ନାଥଙ୍କ ବାହୁଡ଼ା ପରି ଗଣେଶୀ ଲାଲଙ୍କ ଇୟେ ବାହୁଡ଼ା ଯାତ୍ରା। ରଥଯାତ୍ରା ପରି ବାହୁଡ଼ାଯାତ୍ରା ବି ଅବିସ୍ମରଣୀୟ। ଓଡ଼ିଶା ଜନତାର କୃତଜ୍ଞତା ଏ ବିଦାୟ ବେଳାରେ ସେ ଘେନିବେ ନିଶ୍ଚୟ।

Comments are closed.