୧୦ କୋଟି ଟଙ୍କାର ଗୁଟଖା ଜବତ

ଗୋପାଳପୁର: ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ ସଫଳତା, ଦୁଇଟି ସ୍ଥାନରୁ ୧୦ କୋଟି ଟଙ୍କାର ଗୁଟଖା ସହ ଏଥିପାଇଁ ପ୍ରସ୍ତୁତି ସାମଗ୍ରୀ ମେସିନ ଜବତ କରିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବେଳେ ପୁଲିସ ପକ୍ଷରୁ ବ୍ରହ୍ମପୁର ଜନୈକ ବ୍ୟବସାୟଙ୍କ ନାମରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ବୁଧବାର ରାତିରେ ଅଟୋ ନଗର ପରିସରରେ ଏକ ଗୋଦାମ ଘରେ ବେଆଇନ ଭାବେ ଗୁଟୁଖା ମହଜୁଦ ରଖାଯାଇଥିବା ନେଇ ଖବର‌‌ପାଇ ଗୋଳନ୍ଥରା ଥାନା ଆଇଆଇସି ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ରାତି ଅଧିକ ହୋଇଯାଇଥିବାରୁ ପୁଲିସର ଏକ ଟିମ ଉକ୍ତ ଗୋଦାମ ଘର ସମ୍ମୁଖରେ ନିୟୋଜିତ କରାଯିବା ସହ ଆଜି ସକାଳେ ମାଜିଷ୍ଟ୍ରେଟ ତଥା କନିଷି ତହସିଲର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆଙ୍କ ଉପସ୍ଥିତିରେ ପୁଲିସ ପକ୍ଷରୁ ଉକ୍ତ ଗୋଦାମ ଘରର ତାଲା ଭାଙ୍ଗି ଥିଲେ। ତାଲା ଭଙ୍ଗା ଯିବା ପରେ ସେଠାରେ ଦୁଇଟି କୋଠରୀରେ ଗୁଟୁଖା, ପାନ ମସଲା, ଖଇନି ସମେତ ଏଥିପାଇଁ ପ୍ରସ୍ତୁତ ମେସିନ ଓ କଞ୍ଚାମାଲ ଉଦ୍ଧାର କରାଯାଇଥିଲା।
ଏହା ପରେ ପୁଲିସ ପକ୍ଷରୁ ହଳଦିଆପଦର ଠାରେ ପି ଗୋପାଳ କ୍ରିଷ୍ଣାଙ୍କ ୫ ଟି ଗୋଦାମ ଘରେ ଚଢ଼ାଉ କରିଥିଲା। ସେଥିରୁ ମଧ୍ୟ ୧୦ ଟନରୁ ଉର୍ଦ୍ଧ୍ବ ଧୂଆଁ ପତ୍ର, ୫୦ ଟନୁ ଉର୍ଦ୍ଧ୍ବ ଗୁଆ ସମେତ ଗୁଟଖା ପ୍ରସ୍ତୁତ କଞ୍ଚାମାଲ, ପ୍ରାୟ ୪୦ ଟି ଗୁଟୁଖା ପ୍ରସ୍ତୁତ ମେସିନ, ଖୁଟୁଖା ଜରି ଓ ଅନ୍ୟାନ୍ୟ କଞ୍ଚାମାଲ ଜବତ କରିଥିଲା। ଏତେ ପରିମାଣର କଞ୍ଚାମାଲ, ପ୍ରସ୍ତୁତ ମେସିନ ଦେଖି ପୁଲିସର ହୋସ ଉଡି ଯାଇଥିଲା। ଦୀର୍ଘ ବର୍ଷ ଧରି ହଳଦିଆପଦରରେ ଜାତୀୟ ରାଜପଥର ମାତ୍ର ୧ କିମି ଦୂରତା ମଧ୍ୟରେ ଶହଶହ ଟନ ଗୁଟୁଖା ପ୍ରସ୍ତୁତ ହୋଇ ବଜାରକୁ ବିକ୍ରି ପାଇଁ ଯାଉଥିବା ବେଳେ କେହି ମଧ୍ୟ ଏହାର ଟେର‌ ପାଇ‌ପାରୁନଥିଲେ। ପୁଲିସ ସମସ୍ତ ସାମଗ୍ରୀକୁ ଉଭୟ ସ୍ଥାନରେ ରଖି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲ କରିବା ସହ ତଦନ୍ତ ଚାଲୁ ରଖିଥିବା ଜଣାପଡିଛି।ଏହା ସହ ପି ଗୋପାଳ କ୍ରିଷ୍ଣାଙ୍କ ନାମରେ ଏକ ମାମଲା ରୁଜୁ କରିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ କିଛି ବର୍ଷ ବ୍ରହ୍ମପୁର ସହରରେ ବେଆଇନ ଗୁଟୁଖା ସମେତ ଗୁଟଖା ପ୍ରସ୍ତୁତ ସାମଗ୍ରୀ ଜବତ ସତ୍ତ୍ୱେ ମୁନାଫାଖୋର ବ୍ୟବସାୟମାନେ ରିତିମତି ଭାବରେ ସହର ବାହାରେ ଗ୍ରାମାଞ୍ଚଳରେ ଏହି ପରି ଭାବରେ ଗୁଟଖା ପ୍ରସୃତ କରି ବଜାରକୁ ବିକ୍ରି ପାଇଁ ଛାଡୁଛନ୍ତି।

Comments are closed.