ଭୁବନେଶ୍ବର: ଓଡ଼ିଶା ଓ ଦୁବାଇ ମଧ୍ୟରେ ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ଦୁବାଇରୁ ବିମାନ ଭୁବନେଶ୍ବରରେ ଆସି ପହଞ୍ଚିବା ପରେ ଭୁବନେଶ୍ବରରୁ ଦୁବାଇକୁ ସିଧା ଉଡ଼ିଥିଲା ବିମାନ। ଓଡ଼ିଶାରୁ ଦୁଇବାକୁ ଯିବା ଆସିବା ପାଇଁ ଭୁବନେଶ୍ବର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ସିଧାସଳଖ ବିମାନ ସେବାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଭୁବନେଶ୍ବରରୁ ଦୁବାଇକୁ ବିମାନ ସେବା ଚଳାଚଳ ଆରମ୍ଭ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାରୁ ଦୁବାଇକୁ ସିଧାସଳଖ ବିମାନ ସେବାର ଶୁଭାରମ୍ଭ କରି ମୁଁ ଖୁସି। ଏହି ଅନ୍ତର୍ଜାତୀୟ ବିମାନ ସେବାର ପ୍ରଥମ ଦିନରେ ଦୁବାଇ ଅଭିମୁଖେ ଯାତ୍ରା କରିଥିବା ସମସ୍ତ ମିଶନ ଶକ୍ତି ମା’ମାନଙ୍କ ମଙ୍ଗଳମୟ ଯାତ୍ରା କାମନା କରୁଛି। ଓଡ଼ିଶାରୁ ଦୁବାଇକୁ ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ବିମାନ ସେବାର ଶୁଭ ଅବସରରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ଦୁବାଇ ଗସ୍ତ କରୁଥିବା ଜାଣି ମୁଁ ଖୁସି। ସମସ୍ତଙ୍କ ଯାତ୍ରା ମଙ୍ଗଳମୟ ହେଉ। ଶିଳ୍ପର ବିକାଶ ହେଉ କି ନିବେଶ, ପର୍ଯ୍ୟଟନକୁ ପ୍ରୋତ୍ସାହନ କିମ୍ବା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ସହ ଯୋଗାଯୋଗ ଆନ୍ତର୍ଜାତିକ ସଂଯୋଗୀକରଣ ଆବଶ୍ୟକ। ସାମଗ୍ରିକ ଅଭିବୃଦ୍ଧି ପାଇଁ ଆନ୍ତର୍ଜାତିକ ସଂଯୋଗୀକରଣ ଗୁରୁତ୍ବପୂର୍ଣ୍ଣ। ୟୁରୋପ ଓ ଆମେରିକା ବଜାର ପାଇଁ ଦୁବାଇ ହେଉଛି ମଧ୍ୟପ୍ରାଚ୍ୟର ଗେଟ୍ ଓ୍ବେ ଏବଂ ଆନ୍ତର୍ଜାତିକ ସଂଯୋଗୀକରଣ ଦିଗରେ ଆଜି ଓଡ଼ିଶା ଲେଖିଛି ନୂଆ ଅଧ୍ୟାୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।
ଦୁବାଇକୁ ପ୍ରଥମ ଦିନର ଫ୍ଲାଇଟରେ ଯାତ୍ରୀଙ୍କ ସହ ମିଶନ ଶକ୍ତି ସଦସ୍ୟ, କ୍ରୀଡ଼ାବିତ ପ୍ରମୁଖ ଯାତ୍ରା କରିଛନ୍ତି। ଏୟାରକ୍ରାଫ୍ଟ କ୍ରିୟୁଙ୍କ ସହ ମୋଟ୍ ୧୭୩ ଜଣ ଭୁବନେଶ୍ବରରୁ ଦୁବାଇ ଯାଇଛନ୍ତି। ଯାତ୍ରୀଙ୍କୁ ଉତ୍ତରୀୟ, ଓଡ଼ିଶା ପର୍ଯ୍ୟଟନ କିଟ୍ ବ୍ୟାଗ୍, ଫୁଲ ଗୁଚ୍ଛ ସହ ମିଠା ଦିଆଯାଇଥିଲା । ସେହିପରି ଦୁବାଇରୁ ଭୁବନେଶ୍ବର ଆସି ପହଞ୍ଚିଥିବା ଯାତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ ପାତ୍ର, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ଶୁଭେଚ୍ଛା କେକ୍ କଟାଯାଇଥିଲା ।
ଇଣ୍ଡିଗୋ ଏୟାରଲାଇନ୍ସ ୧୮୦ ସିଟ ବିଶିଷ୍ଟ ୩୨୦ ଏୟାରବସ ସପ୍ତାହରେ ତିନି ଦିନ ସୋମବାର, ବୁଧବାର ଓ ଶୁକ୍ରବାର ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇବ। ସେହିପରି ଦୁବାଇରୁ ମଧ୍ୟ ଏହି ତିନି ଦିନ ଭୁବନେଶ୍ବରକୁ ସିଧାସଳଖ ବିମାନ ଯିବା ଆସିବା କରିବ। ଭୁବନେଶ୍ବରରୁ ଦୁବାଇ ଏବଂ ଦୁବାଇରୁ ଭୁବନେଶ୍ବର ଯିବାଆସିବା ପାଇଁ ଯାତ୍ରୀଙ୍କୁ ୨୦ ହଜାର ଟଙ୍କା ବିମାନ ଭଡ଼ା ଧାର୍ଯ୍ୟ କରାଯାଇଛି।
ଦୁବାଇ ସହିତ ସିଧାସଳଖ ସଂଯୋଗ, ସବୁଠୁ ବଡ ବିମାନ ଚଳାଚଳ ହବ ମଧ୍ୟରୁ ଅନ୍ୟତମ । ଏହାଦ୍ବାରା ବିଶ୍ବକୁ ସିଧାସଳଖ ଗେଟଓ୍ବେ ଖୋଲିବା ସହ ରାଜ୍ୟରେ ଆଇଟି, ଉତ୍ପାଦନ ଓ ପର୍ଯ୍ୟଟନର ବିକାଶ ଘଟିବ। ଦୁବାଇରେ ମେକ ଇନ ଓଡିଶା କନକ୍ଲେଭରେ ବିମାନ ଚଳାଚଳ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କେବଳ ଓଡିଶା ପାଇଁ ନୁହେଁ ବିଦେଶରୁ ଓଡିଶାକୁ ଆସୁଥିବା ଯାତ୍ରୀମଧ୍ୟ ଏହାଦ୍ବାରା ସୁବିଧା ପାଇବେ। ଗତ ଉତ୍କଳ ଦିବସରେ ଏଥିପାଇଁ ଅଗ୍ରୀମ ଟିକେଟ ବୁକିଂ ସେବାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।



