ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ଗୁରୁଡିଝାଟିଆ : ମା’ କ୍ଷୀର ଶିଶୁ ପାଇଁ ଅମୃତ ସମାନ । ଶିଶୁର ଅଭିବୃଦ୍ଧି, ବିକାଶ, ପ୍ରତିଷେଧକ ବ୍ୟବସ୍ଥା ଓ ସୁସ୍ଥ ନିରୋଗ ରଖିବାର ସମସ୍ତ ଉପାଦନ ମାଆ କ୍ଷୀରରେ ରହିଥାଏ। ତେଣୁ ପ୍ରତ୍ୟେକ ମାଆ ନବଜାତ ଶିଶୁକୁ ଅତିକମରେ ଛଅମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇଲେ ଉଭୟ ଶିଶୁ ଓ ମାଆର ସ୍ୱାସ୍ଥ୍ୟ ଭଲ ରହିବ ବୋଲି ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ ଉତ୍ସବରେ ପ୍ରତିଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ଭବାନୀ ପ୍ରସାଦ ମିଶ୍ର ଅତିଥି ଭାବରେ ଯୋଗଦେଇ କହିଥିଲେ। ନର୍ସିଂ କଲେଜର ଅଧ୍ୟକ୍ଷ ଏଡଉଇନ ଆନନ୍ଦ ଉତ୍ସବରେ ଅଧ୍ୟକ୍ଷତା କରି କହିଥିଲେ ଗାଁ ଗହଳରେ ପ୍ରତ୍ୟେକ ମାଆମାନଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇ କିଭଳି କିପରି ଓ କାହିଁକି ସ୍ତନ୍ୟପାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ତାହା ପ୍ରତ୍ୟେକ ସେବିକା ବିଦ୍ୟାର୍ଥୀଙ୍କ ପାଇଁ ଗୁରୁତ୍ୱ ବହନ କରେ । ବରିଷ୍ଠ ଅଧ୍ୟାପିକା ବାବି ଏଡଉଇନ ଭାରତୀୟ ସଂସ୍କୃତିରେ କୋମଳମତି ଶିଶୁମାନଙ୍କୁ ସ୍ତନ୍ୟପାନ କରାଇ ସୁସ୍ଥ ଓ ନିରୋଗ ରଖିବା ବେଶ ପ୍ରାଚୀନ। ହେଲେ ପାଶ୍ଚାତ ଛାପରେ ବଶୀଭୂତ ହୋଇ ଅଧୁନା ସୌନ୍ଦର୍ଯ୍ୟକୁ ଦ୍ୱାହି ଦେଇ ନବଜାତ ଶିଶୁମାନଙ୍କ ସ୍ତନ୍ୟପାନ ଅଧିକାରକୁ ଭୁଲୁଣ୍ଠିତ କରାଇବା ବିପଦଜନକ ଅଟେ। ଏହାଦ୍ୱାରା ଉଭୟ ମାଆ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି କହିଥିଲେ। ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟ ଉତ୍ସବର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ସେବିକା ବିଦ୍ୟାର୍ଥୀମାନଙ୍କ ସ୍ତନ୍ୟପାନ ସଂପର୍କିତ ନାଟକ ଓ କୁଇଜ ପ୍ରତିଯୋଗୀତା କରାଯାଇ କୃତୀ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷୟିତ୍ରୀ ପଲ୍ଲବୀଙ୍କ ଦ୍ୱାରା ସଂଯୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ମଧୁସ୍ମୀତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.