ଗାଁ ଅଭିଯାନ ପାଇଁ ୮୦୦ ଆଇଏଏସ୍‍ ଅଫିସର ନିଯୁକ୍ତ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ବାସ୍ତବ କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବା ଲାଗି ୮୦୦ ଆଇଏଏସ୍‍ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଅଧୀନ ବିଭିନ୍ନ ବିଭାଗରେ ଉପ ଶାସନ ସଚିନ, ଅନୁ ଶାସନ ସଚିବ ଓ ନିର୍ଦେଶକ ଭାବେ କାର୍ଯ୍ୟ କରୁଥିବା ଏହି ଆଇଏଏସ୍‍ ଅଫିସରମାନେ ମୋଟ ୪୯,୧୭୮ଟି ଗ୍ରାମ ପରିଦର୍ଶନ କରିବେ। ପରିଦର୍ଶନ କରିବାକୁ ଥିବା ଗ୍ରାମଗୁଡିକ ମଧ୍ୟରୁ ଅଧିକାଂଶ ଆଦିବାସୀ ଓ ହରିଜନ ବହୁଳ। ଜୁନ ୧ରୁ ଅଗଷ୍ଟ ୧୫ ତାରିଖ ମଧ୍ୟରେ ପ୍ରତ୍ୟେକ ଆଇଏଏସ୍‍ ଅଫିସରଙ୍କୁ ୭୫ଟି ଗ୍ରାମ ପରିଦର୍ଶନ କରିବା ଲାଗି ଟାର୍ଗେଟ ଦିଆଯାଇଛି। ପ୍ରତ୍ୟେକ ଆଇଏଏସ୍‍ ଅଫିସରଙ୍କୁ ନେଇ ୨ରୁ ୪ଜଣିଆ ଟିମ୍‍ ଗଠନ କରାଯାଇଛି। ଏହି ଟିମ୍‍ ଗାଁ ପରିଦର୍ଶନ ପୂର୍ବକ ସରକାରୀ ଯୋଜନାର ସୁବିଧା ପାଇଥିବା ହିତାଧିକାରୀଙ୍କୁ ନେଇ ବୈଠକ କରିବେ। ବୈଠକ ସମୟରେ ହିତାଧିକାରୀଙ୍କ ଉପସ୍ଥିତିକୁ ନିଶ୍ଚିତ କରିବା ଦାୟିତ୍ୱ ଜିଲାସ୍ତରୀୟ ଅଧିକାରୀ, ବ୍ୟାଙ୍କ ପ୍ରତିନିଧି ଓ ସ୍ଥାନୀୟ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ।
ନିର୍ଦେଶକ ପାହ୍ୟାର ଜଣେ ଆଇଏଏସ ଅଫିସରଙ୍କ କହିବା ଅନୁଯାୟୀ ଆମେ ବିଭିନ୍ନ ଯୋଜନାର ସମୀକ୍ଷା କରିବୁ। ଯୋଜନା ପାଇବାରେ ଯଦି କୌଣସି ପ୍ରତିବନ୍ଧକ ଥାଏ ତାକୁ ସମାଧାନ କରାଯିବ। ଆବଶ୍ୟକସ୍ଥଳେ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଗ୍ୟାସ ସଂଯୋଗ, ବ୍ୟାଙ୍କ ଖାତା ଖୋଲିବା କିମ୍ବା ବିଜୁଳି ସଂଯୋଗ ଯୋଗାଇ ଦିଆଯିବ। ନିର୍ବାଚନ ବର୍ଷରେ କେନ୍ଦ୍ର ସରକାରଙ୍କ ଏପରି ଯୋଜନାକୁ ନେଇ କେତେକ ପ୍ରଶ୍ନ ଉଠିଛି। ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

kalyan agarbati
Leave A Reply