୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ରାଜସ୍ୱ ନିରୀକ୍ଷକ
ସୋରଡା: ଗଞ୍ଜାମ ଜିଲା ସୋରଡା ତହସିଲର ଅସୁରବନ୍ଧ ସର୍କଲ୍ ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ମଳିକ ୪୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ସୂଚନା ମୁତାବକ, ଗତ ବର୍ଷ ତିତିଲି ବନ୍ୟାରେ ଭାସି ଯାଇ ପ୍ରାଣ ହରାଇ ଥିବା ସୋରଡା ବ୍ଲକ ଗାଜଲବାଡ଼ି ଭୂତ ପଙ୍କାଳ ଗ୍ରାମର ମୃତ ନକୁଳ ମଲିକଙ୍କ ପତ୍ନୀ ଦୁଖୀ ମଲିକଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ବସନ୍ତ ୫୦ ହଜାର ଟଙ୍କା ଲାଞ୍ଚ ମାଗି ଥିଲେ। ଗତ କିଛି ଦିନ ହେଲା ବାରମ୍ବାର ଦୌଡି ଦୁଖୀ ନିରାଶ ହେବା ପରେ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରିଥିଲେ। ଗୁରୁବାର ଅସୁରବନ୍ଧ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ବସନ୍ତ ମଲିକଙ୍କୁ ଭେଟି ଦୁଖୀ ୪୦ ହଜାର ଟଙ୍କା ଦେଇଥିଲେ। ସେହି ସମୟରେ ଭିଜିଲାନ୍ସ ବିଭାଗର ଏକ ଦଳ ବସନ୍ତଙ୍କୁ ଧରିଥିଲେ। ତାଙ୍କୁ ସୋରଡା ତହସିଲ କାର୍ୟ୍ୟାଳୟକୁ ଅଣାଯାଇ ଥିଲା ଏବଂ ପରେ ବ୍ରହ୍ମପୁର ନିଆଯାଇଛି। ଚଢ଼ାଉରେ ଭିଜିଲାନ୍ସ ଅତିରିକ୍ତ ଏସ୍.ପି ଶାନ୍ତୁନୁ ପାଢ଼ୀଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ ସାମିଲ ଥିଲେ।