ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ହାଟ ପଡିଆ ଠାରେ ହେଉଥିବା ପ୍ରସିଦ୍ଧ ପଞ୍ଚୁ ଦୋଳ ଯାତ୍ରା ଆଜି ସମାପିତ ହୋଇଛି। ପଞ୍ଚୁ ଦୋଳ ଯାତ୍ରାକୁ ଯାଇଥିବା ସମସ୍ତ ଠାକୁରଙ୍କ ମିଳନ ଉତ୍ସବ ପରେ ନିଜ ନିଜ ଗ୍ରାମକୁ ବିରାଟ ଶୋଭାଯାତ୍ରାରେ ଫେରିଛନ୍ତି। ମିଳନ ସମୟରେ ହୁଳହୁଳି ହରିବୋଲ ଶବ୍ଦର ସେହି ଅଂଚଳ ପ୍ରକମ୍ପିତ ହୋଇଥିଲା ଓ ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ମିଳନ ପର୍ବ ଦେଖିବାକୁ ବିଭିନ୍ନ ଅଞ୍ଚଳ ବହୁ ମହିଳା ଓ ପୁରୁଷ ସମାଗମ ହୋଇଥିଲେ।
ଯାତ୍ରାରେ ରାତି ତମାମ ଦୁଇଟି ରାମାୟଣ ନାଟକ ପରିବେଷଣ ହୋଇ ଶୁକ୍ରବାର ମଧ୍ୟାହ୍ନରେ ପରିସମାପ୍ତି ଘଟିଥିଲା। ଯାତ୍ରା କମିଟି ଓ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପରିଚାଳନା କରାଯାଇଥିଲା। ଏହି ଯାତ୍ରାକୁ ହୁମା ଗ୍ରାମର ବଡ଼ ସାହି, ଗୋପୀନାଥ ସାହି, କେଉଟ ସାହି ଓ ଅନ୍ୟାନ ସାହିର ଛଅଟି ଠାକୁର ଏବଂ କଣ୍ଟିଆ ଗଡ଼, ଖଟୁଆ କୁଦା, ଝାଡ଼ କୁଦା, ଗଡ଼ ହୁମା, ବେଲପଡା, କଳାଯମୁନା, ଲୁଂଘୁରି ପ୍ରଭୃତି ଗ୍ରାମର ମୋଟ ୧୩ଟି ଠାକୁର ଏହି ଯାତ୍ରାକୁ ଆସିଥିଲେ। ସେହିପରି ଖଣ୍ଡ ଦେଉଳି ଗ୍ରାମରେ ଓ ବଳରାମପୁର ଗ୍ରାମରେ ମଧ୍ୟ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଶାନ୍ତିଶୃଙ୍ଖଳାର ସହ ସମାପିତ ହୋଇଛି। ରମ୍ଭା ଥାନା ପକ୍ଷରୁ ଯାତ୍ରା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯଇଥିଲା।



