ଜାତୀୟ ରାଜପଥ-୨୬ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ପଥ ହୋଇଛି

କଳାହାଣ୍ଡି ପୁଲିସ ଏକ ମାସ ଭିତରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଛି

ଭବାନୀପାଟଣା: କରୋନା ମହାମାରୀର ମୁକାବିଲା ପାଇଁ ସରକାର ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ କରିଥିବା ବେଳେ ତାହାର ସୁଯୋଗ ନେଇ ଆନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀମାନେ ବୋରିଗୁମ୍ମା-ବରଗଡ ଭାୟା କଳାହାଣ୍ଡି ଦେଇ ଯାଇଥିବା ଜାତୀୟ ରାଜପଥ-୨୬ ଏବେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପାଇଁ ଟ୍ରାନଜିଟ କରିଡର ଭାବେ ପରିଣତ ହୋଇଛି। ଗତ ଏକ ମାସ ଭିତରେ କଳାହାଣ୍ଡି ପୋଲିସ ଦ୍ୱାରା ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ୨୬ ଜଣ ଗିରଫ ଓ ୨୦ରୁ ଊର୍ଦ୍ଧ୍ବ ଚାରି ଚକିଆ ଏବଂ ୨ ଗୋଟି ଦୁଇ ଚକିଆ ଗାଡି ଜବତ ହେବା ସହିତ ୧୨ଟି ଏନ୍‍ଡିପିଏସ୍‍ ମାମଲା ରୁଜ୍ଜୁ କରାଯାଇଛି। ଏହି ଚୋରା ଗଞ୍ଜେଇ କାରବାର ଆନ୍ଧ୍ରପ୍ରଦେଶରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଦେଇ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦି ରାଜ୍ୟକୁ ଲମ୍ବିଛି ଗଞ୍ଜେଇ ଚାଲାଣ କରିଡର। ପୂର୍ବ ବର୍ଷ ଅପେକ୍ଷା ଚଳନ୍ତି ବର୍ଷ କରୋନା ମହାମାରୀର ମୁକାବିଲା ପାଇଁ ସରକାର ସାରା ଦେଶରେ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ କରିବା ଫଳରେ ଅବକାରୀ ବିଭାଗ ଗଞ୍ଜେଇ ଚାଷ ହେଉଥିବା ଜଙ୍ଗଲରୁ ଗଞ୍ଜେଇ ନଷ୍ଟ କରିବାରେ ବିଫଳ ହୋଇଛନ୍ତି। ଏହାର ସୁଯୋଗ ନେଇ ଆନ୍ତରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀମାନେ ସକ୍ରିୟ ହୋଇ ଉଠୁଛନ୍ତି। ଏହି ଉନ୍ନତ ମାନର ଚୋରା ଗଞ୍ଜେଇ ଆର୍ନ୍ତଃ ରାଜ୍ୟ ବଜାରରେ ଅଧିକ ଚାହିଦା ରହିଛି ଓ ଉକ୍ତ ଗଞ୍ଜେଇକୁ ବିଶେଷ କରି ଯୁବ ଗୋଷ୍ଠୀ ବ୍ୟବହାର କରୁଥିବା ବେଳେ ଉକ୍ତ ଗଞ୍ଜେଇ ମାଫିଆ ମାନେ ଅଧିକ ମାଲାମାଲ ହେବା ସହିତ ଗଞ୍ଜେଇ ବିକ୍ରିର ଏକ ବଡ ଲାଭାଂଶ ମାଓବାଦୀଙ୍କ ନିକଟକୁ ଯାଉଥିବା ଅନୁସନ୍ଧାନରୁ ଜଣାଯାଏ।

ଏହି ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ମାନେ ଆନ୍ଧ୍ରପ୍ରଦେଶ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରୁ ଗଞ୍ଜେଇ କ୍ରୟ କରି ଚତୁରତା ସହିତ ଆନ୍ଧ୍ରପ୍ରଦେଶରୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଦେଇ ବିହାର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡଖଣ୍ଡ ଆଦି ରାଜ୍ୟକୁ ଏହି ଏନ୍‍ଏଚ୍‍-୨୬ ଦେଇ ଦୁଇ ଚକିଆ, ଚାରି ଚକିଆ, ଦାମି କାର ଏପରିକି ଟ୍ରକ କଣ୍ଟେନର ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ଚାଲାଣ ହେଉଛି। ଅତି ଚତୁରତା ସହ ବିଭିନ୍ନ ଉପାୟ ଅବଲମ୍ବନ କରି ପୋଲିସ ଅବକାରି ବିଭାଗକୁ ଚକମା ଦେବାପାଇଁ ଚାଲାଣକାରୀ ବ୍ଲୁ ପ୍ରିଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏହି ଚୋରା ଗଞ୍ଜେଇ ବେପାରୀମାନେ କେତେବେଳେ ସାଢୀ ପ୍ୟାକେଟ୍‍ ତ କେତେବେଳେ ମାଲ ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ କରାଯାଉଛି। ଇତି ମଧ୍ୟରେ କଳାହାଣ୍ଡି ଏସ୍‍ପି ଡା. ଶ୍ରବଣ ବିବେକ ଏମ୍‍. ଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଓ କୋକସରା ଥାନା ପୋଲିସ ଦ୍ୱାରା ୨୧୫୫ କେଜି ଗଞ୍ଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବା ସହିତ ପୋଲିସ ୧୨ଟି ଏନ୍‍ଡିପିଏସ୍‍ ମାମଲା ରୁଜ୍ଜୁ କରିବା ସହିତ ୨୬ ଜଣ ଆର୍ନ୍ତଃ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିବା ବେଳେ ୨୦ ରୁ ଊର୍ଦ୍ଧ୍ବ ଚାରି ଚକିଆ ଓ ୨ ଗୋଟି ଦୁଇ ଚକିଆ ଯାନ ଜବତ କରିଛି। ଏହି ସବୁ ଗଞ୍ଜେଇ ଆନ୍ଧ୍ର ସୀମାନ୍ତ ଓ ମାଲକାନଗିରି-କୋରାପୁଟରୁ ଆସୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବିଶେଷ କରି “ଶିଳାବତୀ” କିଶମର ଗଞ୍ଜେଇ ଆର୍ନ୍ତଃ ରାଜ୍ୟ ବଜାରରେ ଅତ୍ୟଧିକ ଚାହିଦା ରହିଛି। ଏହି ଶିଳାବତୀ କିସମର ଗଞ୍ଜେଇ ଅମଳକାରୀ ବେପାରିଙ୍କୁ କେ.ଜି. ପିଛା ୨ ହଜାର ଟଙ୍କାରେ ବିକ୍ରି କରିଥାନ୍ତି। ଯାହାକି ସ୍ଥାନୀୟ ବେପାରି ଆର୍ନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ୫ ହଜାର ଟଙ୍କାରେ ଯୋଗାଇ ଥାନ୍ତି। ଉକ୍ତ ଗଞ୍ଜେଇ ଜାତୀୟ ବଜାରରେ ଗଞ୍ଜେଇ ମାଫିଆ ମାନେ କେ.ଜି. ପିଛା ୧୮ ରୁ ୨୦ ହଜାର ଟଙ୍କାରୁ ବିକ୍ରି କରିଥାନ୍ତି। ଯାହା ସିବିଆଇ ମୁମ୍ବାଇ ର ଫିଲିମ୍‍ ଅଭିନେତା ସୁଶାନ୍ତ ସିଂରାଜପୁତଙ୍କ ତଦନ୍ତ ସମୟରେ ହାଇପ୍ରୋଫାଇଲ ପାର୍ଟିରେ ଓଡିଶାର ଭୁବନେଶ୍ୱରର ଏହି “ଶିଳାବତୀ” କିଶମର ଗଞ୍ଜେଇ କାରବାର ହେଉଥିବା ଜାଣିବାକୁ ପାଇଥିଲା। ବିଭିନ୍ନ ଯାନବାହାନରେ ଗଞ୍ଜେଇ ଚାଲାଣ ହେବା ସମୟରେ କଳାହାଣ୍ଡି ପୋଲିସ ଦ୍ୱାରା ଲଗାତାର ଭାବେ ଧରା ପଡିବା ଘଟଣାକୁ ନେଇ ସୀମାନ୍ତ ଜିଲ୍ଲାରେ ରହିଥିବା ପୋଲିସ ଚେକିଂ ପୋଷ୍ଟ ଓ ବିଭିନ୍ନ ଥାନା, ଫରେଷ୍ଟ ଗେଟ୍‍ ଓ ଅବକାରୀ ସ୍କ୍ୱାର୍ଡଙ୍କ କାର୍ଯ୍ୟ ଦକ୍ଷତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଏହି ଗଞ୍ଜେଇ ମାଫିଆଙ୍କ ସହ ବହୁ ପୋଲିସ, ଅବକାରୀ, ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ପ୍ରଚ୍ଛଦପଟ୍ଟରେ ହାତ ରହିଥିବା ନେଇ ସନ୍ଦେହ ଉଜାଗର କରୁଛି। ଗତ ୭ ତାରିଖ ଦିନ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଡିଜି ଏସ୍‍. ଅଭୟ କଳାହାଣ୍ଡି ଗସ୍ତ ସମୟରେ ଏହି ଆର୍ନ୍ତଃ ରାଜ୍ୟ ଗଞ୍ଜେଇ କାରବାର ସଂପର୍କରେ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଦୃଢ ହସ୍ତରେ ଏହି ଚୋରା ଗଞ୍ଜେଇ କାରବାରକୁ ଦମନ କରିବା ପାଇଁ ପୋଲିସ ଅଧିକାରୀଙ୍କୁ ନିଦ୍ଦେର୍ଶ ଦେଇଥିବା ଜଣାଯାଏ।

ଏ ସଂପର୍କରେ କଳାହାଣ୍ଡି ଏସପି ଡା. ଶ୍ରବଣ ବିବେକ ଏମ୍‍. ପ୍ରକାଶ କରିଛନ୍ତି ଯେ, ଗତ ଏକ ମାସରୁ ଊର୍ଦ୍ଧ୍ବ ହେବ କଳାହାଣ୍ଡି ପୋଲିସ ବିଭିନ୍ନ ସୂତ୍ରରୁ ଖବର ପାଇ ବିଭିନ୍ନ ସମୟରେ କେସିଙ୍ଗା ଓ କୋକସରା ଥାନା ପୋଲିସ ବିଭିନ୍ନ ଯାନବାହାନ ଯାଞ୍ଚ କରିବା ସମୟରେ ବିହାର, ଝାଡଖଣ୍ଡ ଓ ଉତ୍ତରପ୍ରଦେଶ ଯାଉଥିବା ଗଞ୍ଜେଇ ଭର୍ତ୍ତି ଗାଡି ଧରାଯାଇଛି। ଆଗାମି ଦିନରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନା ଦେଇ ଯାଇଥିବା ଜାତୀୟ ରାଜପଥ-୨୬ରେ ଗଞ୍ଜେଇ ଚୋରାଚାଲାଣକୁ ରୋକିବା ପାଇଁ ଦୃଢ ପଦକ୍ଷେପ ନିଆଯାଇଛି। ଯାହା ଗତ ୮ ତାରିଖ ଦିନ କୋକସରା ପୋଲିସ ମାରୁତି ସୁଜୁକି ଏସ୍‍.ଏକ୍ସ.୪ ଏବଂ ହୋଣ୍ଡା ସିଟି ଭି.ଏକ୍ସ ଗାଡି ଯାଞ୍ଚ କରିବା ସମୟରେ ଉକ୍ତ ଦୁଇଟି ଗାଡିରୁ ୩୧୧.୭୩ କେଜି ଗଞ୍ଜେଇ ଜବତ ହୋଇଛି। ଉକ୍ତ ଗଞ୍ଜେଇ ଉତ୍ତରପ୍ରଦେଶର ଏଲ୍ଲାବାଦ ଯାଉଥିଲା। ଏଥିରେ ସଂପୃକ୍ତ ଚାରିଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ କରିଥିଲେ।

Comments are closed.