ଟିଟୋର ସମ୍ପତ୍ତି ଉପରେ ଇଡିର ନଜର

0

ଭୁବନେଶ୍ବର : କେନ୍ଦ୍ରାପଡା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀର ଅଚଳାଚଳ ସମ୍ପତ୍ତି ଠାବ ହେବା ପରେ ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଟିଟୋର ବେଆଇନ୍ ଅର୍ଥକାରବାର ଏବଂ ସମ୍ପତ୍ତିର ହିସାବକିତାବ କରିବା ଲାଗି ନଜର ପକାଇଛି। ଇଡିର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ଏସ୍‌ଟିଏଫ୍ ତଦନ୍ତ କରୁଛି। ଏସ୍‌ଟିଏଫର ତଦନ୍ତର ସରିବା ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ୫ ଦିନିଆ ରିମାଣ୍ଡ ଆସନ୍ତାକାଲି ଶେଷ ହେବ। ଟିଟୋ ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ଖୋଲି ଚାଲିଥିବାରୁ ତାକୁ ପଚରାଉଚରା କରିବା ଲାଗି ଏସ୍‌ଟିଏଫ୍ ପୁଣି ଜିମାରେ ଆଣିବାକୁ ଆବେଦନ କରିବ ବୋଲି ଡିଆଇଜି ହିମାଂଶୁ ଲାଲ୍‌ ସୂଚନା ଦେଇଛନ୍ତି। ଅପରପକ୍ଷରେ ଟିଟୋର ଥିବା ସମସ୍ତ କାରବାର ତଥା ସମ୍ପତ୍ତି ଉପରେ ଗତ ଦୁଇ ଦିନ ହେଲା ପୁଲିସ ଓ ଏସ୍‌ଟିଏଫ୍ ମିଳିତ ଭାବେ ଚଢ଼ଉ ଜାରି ରଖିଥିବା ବେଳେ ରବିବାର ଏକ ଟିମ କଲକାତା ଯାଇଛି। ସେଠାରେ ଦୁର୍ଦାନ୍ତ ଗ୍ୟାଙ୍ଗଷ୍ଟରର ଗାଡ଼ି, ଜମି ଓ ଘରର ସୂଚନା ପାଇଛି। ୫ ଦିନ ରିମାଣ୍ଡ ଅବଧି ଶେଷ ହେବା ପରେ ସୋମବାର ଟିଟୋକୁ କେନ୍ଦ୍ରାପଡା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ। ଟିଟୋର ଅଚଳାଚଳ ସମ୍ପତ୍ତିକୁ ଠାବ କରିବା ଏସ୍‌ଟିଏଫ୍ ଅଧିକାରୀଙ୍କୁ ବହୁ କସରତ କରିବାକୁ ପଡିୁଛିି। ତେଣୁ ଏସ୍‌ଟିଏଫ୍ ଏବଂ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)ର ସହାୟତା ନେଇଛି। ଇଓଡବ୍ଲୁର ଅଧିକାରୀମାନେ ଏହି ମାମଲାରେ ସହାୟତା କରୁଛନ୍ତି।
ଟିଟୋର କେନ୍ଦ୍ରାପଡା ଓ ପାରାଦ୍ବୀପ ବ୍ୟତୀତ ରାଜ୍ୟ ବାହାରେ ସମ୍ପତ୍ତି ଥିବା ଜଣାପଡିଛି। କଲକାତାର ଜଣେ ବ୍ୟବସାୟୀ ଟିଟୋ ପତ୍ନୀଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇଥିବା ସୂଚନା ମିଳିଛି। ସେଠାରେ ଟିଟୋର ଏକ ବହୁତଳ କୋଠାଘର ମିଳିଛି। ତାହାର ମୂଲ୍ୟ କୋଟିଏରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ପାରୀଦ୍ବୀପରେ ମଧ୍ୟ ଏକ ଦୁଇ ମହଲା କୋଠାଘର ଟିଟୋର ପତ୍ନୀ ନାମରେ ରହିଛି। କେବଳ ଏତିକି ନୁହେଁ, ଟିଟୋର ପତ୍ନୀ, ୭ ଭାଇ, ସମ୍ପର୍କୀୟ ଏବଂ ଘନିଷ୍ଠ ସହଯୋଗୀଙ୍କ ନାମରେ ଶତାଧିକ ଟିପର୍‌ ରହିଥିବା ଏସ୍‌ଟିଏଫ୍ ଏସ୍‌ପି ଡ. ସତ୍ୟଜିତ ନାୟକ କହିଛନ୍ତି। ସେସବୁକୁ ଠାବ କରିବା ଲାଗି ଏକାଧିକ ଟିମ୍‌ ରାଜ୍ୟ ବାହାରେ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରଖିଛି। ପାରାଦୀପରେ ବେନାଜିର ଇ୍ଫ୍ରା ପ୍ରାଇଭେଟ ଲିମିଟେଡ ଅଫିସରୁ ଜବତ ହୋଇଥିବା କାଗଜପତ୍ରକୁ ଯାଞ୍ଚ କରାଯିବା ଫଳରେ ପାରୀଦ୍ବୀପ ତା’ର ଅଧିକ ସମ୍ପତ୍ତି ଥିବା ସୂଚନା ମିଳିଛି। ଟିଟୋ ଏକ ଅଡି କାର୍‌ ବ୍ୟବହାର କରୁଥିବା ନେଇ ଏସ୍‌ଟିଏଫ୍ ସୂଚନା ପାଇଛି। ଅଡିର କାଗଜପତ୍ରକୁ ପାଇବା ପରେ ଉକ୍ତ ଗାଡିକୁ ଖୋଜା ଚାଲିଛି। ଏଥିରୁ ଟିଟୋ ଅତ୍ୟନ୍ତ ବିଳାସମୟ ଜୀବନ ବିତାଉଥିବା ଜଣାପଡିଛି।

Leave A Reply