ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ‘ମଧୁ ମନ୍ଦିର’

0

ବ୍ରହ୍ମପୁର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳିବ ସାରାଦେଶ। ଏଥିପାଇଁ ସବୁଠି ତତ୍ପରତା ଓ ଉତ୍ସାହ। ଭାରତକୁ ସ୍ୱାଧୀନତା ଆଣିବା ନିମନ୍ତେ ସମଗ୍ର ଭାରତବର୍ଷ ପରିଭ୍ରମଣ କରି ଇଂରେଜ ବିରୋଧରେ ଅହିଂସାର ବାର୍ତ୍ତା ବାଣ୍ଟିଥିବା ଗାନ୍ଧିଜୀଙ୍କ ପାଇଁ ଆଜି ସମଗ୍ର ବିଶ୍ୱରେ ଭାରତ ଏକ ଶାନ୍ତିପ୍ରିୟ ଦେଶ ଭାବେ ବେଶ ପରିଚିତ। ଗାନ୍ଧିଜୀ ସମଗ୍ର ଭାରତ ବର୍ଷ ପରିଭ୍ରମଣ କରିବା ଅବସରରେ ସଂସ୍କୃତିସମ୍ପନ୍ନ ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁରରେ ମଧ୍ୟ ପାଦ ଥାପିଥିଲେ। ସେ ୩ଥର ବ୍ରହ୍ମପୁର ଆସିଥିଲେ ମଧ୍ୟ ଥରଟିଏ ବ୍ରହ୍ମପୁରରେ ଦୁଇଦିନ ରହଣି କରିଥିଲେ। ଯାହାର ନିଦର୍ଶନ ହେଉଛି ବ୍ରହ୍ମପୁର ପୁରୁଣା ଆମ୍ବ ମାର୍କେଟ ସମ୍ମୁଖ ‘ମଧୁ ମନ୍ଦିର’ ବାସସ୍ଥଳ।
ତଥ୍ୟ ମୁତାବକ ୧୯୨୧ ମିହା ମାର୍ଚ୍ଚ ୨୭ ତାରିଖରେ ଗାନ୍ଧିଜୀ ବ୍ରହ୍ମପୁର ଆସିଥିଲେ। ସେ ସେହିମାସ ୨୭ ଓ ୨୮ ତାରିଖ ଦୁଇଦିନ ବ୍ରହ୍ମପୁରରେ ରହଣୀ କରିବା ପରେ ୨୯ ତାରିଖରେ ଆସିକା ଚାଲି ଯାଇଥିଲେ। ଖଦୀ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ, ଭାରତ ଛାଡ ଆନ୍ଦୋଳନ, ଉତ୍କଳ ସମ୍ମିଳନୀ ଗଠନ ଏବଂ କଂଗ୍ରେସ ସେବା ଦଳ କର୍ମୀଙ୍କୁ ଉଦବୋଧନ ଦେବା ନିମନ୍ତେ ଗାନ୍ଧିଜୀଙ୍କ ବ୍ରହ୍ମପୁର ଗସ୍ତ ଉଦ୍ଦିଷ୍ଟ ଥିବା ସୂଚନା ମିଳେ।
ମାଡ୍ରାସ ପ୍ରେସିଡେନ୍ସି ଅଧିନରୁ ଓଡ଼ିଶାକୁ ମୁକ୍ତ କରି ସ୍ୱତନ୍ତ୍ର ରାଜ୍ୟ ଗଠନ କରିବା ନିମନ୍ତେ ଗାନ୍ଧିଜୀ ତାଙ୍କ ଗସ୍ତ କାଳରେ ବିସ୍ତୃତ ଆଲୋଚନା କରିଥିଲେ। ରହଣୀ କାଳରେ କଂଗ୍ରେସ ସେବା ଦଳର କର୍ମୀଙ୍କୁ ମଧ୍ୟ ଗାନ୍ଧିଜୀ ଉଦବୋଧନ ଦେଇଥିଲେ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଗଠନ ହେବା ପରେ ସେବା ଦଳକୁ ଉଦବୋଧନ ଦେବା ଥିଲା ତାଙ୍କର ଅନ୍ୟତମ ଲକ୍ଷ୍ୟ। ଗସ୍ତ କାଳରେ ଗାନ୍ଧିଜୀଙ୍କ ସାଙ୍ଗରେ ପତ୍ନୀ କସ୍ତୁରବା ଗାନ୍ଧି, ଜଣାଶୁଣା କଂଗ୍ରେସ ନେତା କୈଳାସନାଥ କାଟଜୁ ମଧ୍ୟ ବ୍ରହ୍ମପୁର ଆସିଥିବା ତଥ୍ୟରୁ ଜଣାପଡେ। ଗାନ୍ଧିଜୀ ବ୍ରହ୍ମପୁର ଆସିବା ବେଳେ ପୁରୁଣା ଆମ୍ବ ମାର୍କେଟ ସମ୍ମୁଖ ମଧୁ ମନ୍ଦିରରେ ରହିବା  ପାଇଁ କାହିଁକି ମନ ବଳାଇଥିଲେ ତାହା ପଛରେ ବି କାରଣ ରହିଛି। ଇଂରେଜ ଶାସନ କାଳରେ ସହରର ମୁଖ୍ୟ ରାସ୍ତାରେ ଘର ନିର୍ମାଣ କରି ସହବସ୍ଥାନ କରିବାକୁ ଓଡ଼ିଆଙ୍କୁ ସୁଯୋଗ ମିଳୁନଥିଲା। କିନ୍ତୁ ବ୍ରହ୍ମପୁରର ଜଣାଶୁଣା ବ୍ୟକ୍ତିତ୍ୱ ମଧୁସୂଦନ ପାଣିଗ୍ରାହୀ ପ୍ରଥମ ଓଡ଼ିଆ ଭାବେ ସାହସର ସହ ବ୍ରହ୍ମପୁର ସହରର ମୁଖ୍ୟ ରାସ୍ତାରେ ୧୯୧୮ ମସିହାରେ ଘରଟିଏ ନିର୍ମାଣ କରିଥିଲେ। ଏଥିରେ ଗାନ୍ଧଜୀ କୁଆଡେ ଅତ୍ୟନ୍ତ ପ୍ରୀତ ହୋଇଥିଲେ। ଫଳରେ ୧୯୨୧ ମସିହାରେ ବ୍ରହ୍ମପୁର ଗସ୍ତ ବେଳେ ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ବାସସ୍ଥାନରେ ରହିବା ବଦଳେ ଗାନ୍ଧିଜୀ କୁଆଡେ ମଧୁସୂଦନ ପାଣିଗ୍ରାହୀଙ୍କ ଦ୍ୱାରା ଜର୍ମାନୀ ନକ୍ସାରେ ନିର୍ମିତ ବାସଗୃହରେ ଅବସ୍ଥାନ କରିବାକୁ ଅଧିକ ପସନ୍ଦ କରିଥିଲେ ବୋଲି ମଧୁସୂଦନ ପାଣିଗ୍ରାହୀଙ୍କ ପୁତ୍ର ଆଇନଜୀବୀ ରବି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମଧୁ ମନ୍ଦିରର ନିର୍ମାତା ମଧୁସୂଦନ ପାଣିଗ୍ରାହୀ ଓଡ଼ିଆ ଏକତ୍ରୀକରଣ ଆନ୍ଦୋଳନର ଅନ୍ୟତମ ଉଦ୍ୟକ୍ତା ଥିଲେ। ଗାନ୍ଧିଜୀଙ୍କ ଅବସ୍ଥାନ କାଳରେ ଯୋଗିଆ ପାନ୍ତୁଲୁ, ଶ୍ରୀବତ୍ସ ପଣ୍ଡା, ନନ୍ଦାପ୍ପା ଗୋରାଚାନ୍ଦ ପଟ୍ଟନାୟକ, ଉମାଚରଣ ପଟ୍ଟନାୟକ ପ୍ରମୁଖ ସାକ୍ଷାତ କରି ସ୍ୱତନ୍ତ୍ର ପ୍ରଦେଶ ଗଠନ ସଂକ୍ରାନ୍ତରେ ଆଲୋଚନା କରିଥିବା ସୂଚନା ମିଳେ। ମହାତ୍ମାଙ୍କ ଗସ୍ତ ପରେ ମଧୁସୂଦନ ପାଣିଗ୍ରାହୀ, ଭୁବନାନନ୍ଦ ଦାସ, ବିଶ୍ୱନାଥ ମିଶ୍ର, ଲିଙ୍ଗରାଜ ପାଣିଗ୍ରାହୀ, ଶ୍ୟାମସୁନ୍ଦର ଗନ୍ତାୟତ, ଚୌଧୁରୀ ରାଧାନାଥ ମିଶ୍ର, ଲକ୍ଷ୍ମୀନାରାୟଣ ସାହୁ, ଯୋଗେନ୍ଦ୍ର ଆଚାର୍ଯ୍ୟ, ଅଚ୍ୟୁତାନନ୍ଦ ପୁରୋହିତ, ଗିରିଜାଭୂଷଣ ଦତ୍ତ, ଗୌରଚନ୍ଦ୍ର ସାମନ୍ତରା ପ୍ରମୁଖ ପାରଳା ମହାରାଜାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଉ୍‍ତ୍କଳ ପ୍ରଦେଶ ଗଠନ ପାଇଁ ବଡଲାଟଙ୍କୁ ଦେଖା କରିଥଲେ। ୧୯୨୪ ମସିହାରେ ଉତ୍କଳ ପ୍ରଦେଶ ଗଠନ ପାଇଁ କମିଟି ଗଠନ ହୋଇଥିଲା। ଅଭ୍ୟର୍ଥନା କମିଟିର ସଭାପତି ଥିଲେ ମଧୁସୂଦନ ପାଣିଗ୍ରାହୀ।
ଜର୍ମାନ ସ୍ଥପତିଙ୍କ ଡିଜାଇନରେ ନିର୍ମିତ ମଧୁ ମନ୍ଦିରର ଉଚ୍ଚ ବାରଣ୍ଡାରୁ ସେବାଦଳ କର୍ମୀଙ୍କୁ ଗାନ୍ଧିଜୀ ଉଦବୋଧନ ଦେଇଥିଲେ। ସେହି ସୁଉଚ୍ଚ ବାରଣ୍ଡା ଏବଂ ଗାନ୍ଧିଜୀଙ୍କ ରାତ୍ରିଯାପନ କରିଥିବା ବଖରା ଏବେ ବି ସୁରକ୍ଷିତ। ଜାତିର ଜନକଙ୍କ ଏହି ପଦସ୍ପର୍ଶର ନିଦର୍ଶନ ମଧୁ ମନ୍ଦିର ନିର୍ମାଣକୁ ଶହେ ବର୍ଷ ପୂରଣ ହୋଇଛି। ଗାନ୍ଧିଜୀଙ୍କୁ ମନେ ରଖିବା ଏବଂ ତାଙ୍କ ପଦସ୍ପର୍ଶ ସ୍ଥଳର ସ୍ମୃତିଚାରଣ ପାଇଁ ଆସନ୍ତା ବର୍ଷ ମଧୁ ମନ୍ଦିର ନିର୍ମାଣର ଶତବାର୍ଷିକୀ ସମାରୋହ ପାଳନ କରାଯିବା ସହ ଏକ ସ୍ମରଣିକା ପ୍ରକାଶନ ହେବ ବୋଲି ମଧୁସୂଦନଙ୍କ ପୁତ୍ର ବରିଷ୍ଠ ଆଇନଜୀବୀ ରବି ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମଧୁମନ୍ଦିରର ପରିସରରେ ରହିଥିବା ଏକ ବିରଳ ପାଠାଗାରର ସତ୍ତା ହଜି ଯାଇଛି। ଶହଶହ ପୁସ୍ତକ ଊଈ ଲାଗି ନଷ୍ଟ ହୋଇଯିବାରୁ ଗାନ୍ଧିଜୀଙ୍କ ଗସ୍ତ ସମୟରେ ହୋଇଥିବା ଆଲୋଚନାର ପାଣ୍ଡୁ ଲିପିଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଯାଇଛି ବୋଲି ସେ କହିଛନ୍ତି।

kalyan agarbati
Leave A Reply