ଲେହରେ ଘଟିଥିବା ହିଂସାତ୍ମକ ଘଟଣା ଜନ ଅସନ୍ତୋଷର ଏକ ଦୁଃଖଦ ପରିଣାମ, ଯାହା ଲଦାଖର ରାଜ୍ୟ ପାହ୍ୟା ଏବଂ ସମ୍ବିଧାନର ଷଷ୍ଠ ସୂଚୀରେ ଅନ୍ତର୍ଭୁକ୍ତ ହେବା ଦାବିରୁ ଆରମ୍ଭ ହୋଇଥିଲା। ଏହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ପରିବେଶ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କ ଆମରଣ ଅନଶନର ସମର୍ଥନରେ ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା। ୨୦୧୯ରେ ଜାମ୍ମୁ କାଶ୍ମୀରରୁ ଅଲଗା ହେବା ପରଠାରୁ ଲଦାଖବାସୀ ନିଜକୁ ଅଧିକ ବିଚ୍ଛିନ୍ନ ଅନୁଭବ କରୁଛନ୍ତି । ବିଧାନସଭା ନଥିବା, ସିଧାସଳଖ ଦିଲ୍ଲୀ ଦ୍ୱାରା ଶାସିତ ହେବା ଏବଂ ପାର୍ବତ୍ୟାଞ୍ଚଳ ପରିଷଦଗୁଡ଼ିକ ଦୁର୍ବଳ ହେବା କାରଣରୁ ଲଦାଖବାସୀ ଅନୁଭବ କରୁଛନ୍ତି ଯେ ସେମାନଙ୍କର ଭବିଷ୍ୟତ କଥା କହିବାକୁ କେହି ନାହାନ୍ତି। ସମ୍ବିଧାନର ଷଷ୍ଠ ସୂଚୀରେ ଅନ୍ତର୍ଭୁକ୍ତ କରିବାର ପ୍ରତିଶ୍ରୁତି ମଧ୍ୟ ଅପୂରଣୀୟ ରହିଛି। କେନ୍ଦ୍ର ସରକାର ଏବଂ ଲଦାଖର ଲୋକଙ୍କ ମଧ୍ୟରେ ଦୂରତା ବଢ଼ି ଯାଇଛି। କଥାବାର୍ତ୍ତାରେ ବିଳମ୍ବ ଯୋଗୁଁ ବିଶ୍ୱାସ ହରାଇବାର ଆଶଙ୍କା ରହିଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ୨୦୨୩ ରେ ଗଠିତ ଉଚ୍ଚସ୍ତରୀୟ କମିଟିର ବୈଠକ ବହୁତ କମ ହୋଇଛି, ଯାହା ଅସନ୍ତୋଷକୁ ଆହୁରି ବଢ଼ାଉଛି। ଗୃହ ମନ୍ତ୍ରଣାଳୟ ବିଶିଷ୍ଟ ପରିବେଶ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ “ଉତ୍ତେଜକ ଭାଷଣ” ମାଧ୍ୟମରେ ଅଶାନ୍ତି ସୃଷ୍ଟି କରିଥିବା ଅଭିଯୋଗ କରିଥିବା ବେଳେ, ବିଜେପି କଂଗ୍ରସକୁ ଏବଂ ବିରୋଧୀ କେନ୍ଦ୍ରର ପ୍ରତିଶ୍ରୁତି ରକ୍ଷା ନକରିବାକୁ ଦୋଷ ଦେଉଛନ୍ତି।
ଲଦାଖକୁ ନେଇ ଆରମ୍ଭ ହୋଇଥିବା ରାଜନୀତି ସ୍ପଷ୍ଟ କରିଛି ଯେ ଭାରତୀୟ ଗଣତନ୍ତ୍ରରେ ସବୁ ଆନ୍ଦୋଳନ ଖୁବ୍ ଶୀଘ୍ର ରାଜନୀତି ଦ୍ୱାରା ପ୍ରଭାବିତ ହୁଏ। କୃଷକ ଆନ୍ଦୋଳନଠାରୁ ଆରମ୍ଭ କରି ଜଳବାୟୁ ପଦଯାତ୍ରା ପର୍ଯ୍ୟନ୍ତ ସବୁକିଛି ଦଳୀୟ ରାଜନୀତିରେ ଛନ୍ଦି ହୋଇଯାଏ। ଏମିତି କି ଏବେ ସାରା ବିଶ୍ବରେ ବହୁଚର୍ଚ୍ଚିତ ବ୍ୟବସ୍ଥା ବିରୋଧୀ ‘ଜେନ୍-ଜେଡ୍’ ଆନ୍ଦୋଳନ ଯଦି ଭାରତରେ କେବେ ଅକସ୍ମାତ୍ ହୁଏ ତେବେ ତାହା ମଧ୍ୟ ଦଳୀୟ ରାଜନୀତି କ୍ଷେତ୍ରକୁ ଟାଣି ହୋଇଯିବ ଓ ଲକ୍ଷ୍ୟଭ୍ରଷ୍ଟ ହୋଇପାରେ ବୋଲି କୁହାଯାଉଛି।
ଏମିତି ସମ୍ଭାବନା ବିଷୟରେ ଆଲୋଚନା କଲାବେଳେ ଏ କଥା ଉଲ୍ଲେଖ କରିବା ଯଥାର୍ଥ ହେବ ଯେ ୱାଙ୍ଗଚୁକଙ୍କ ବିରୋଧରେ ବିଦେଶୀ ଅନୁଦାନ ବିନିୟମ ଅଧିନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିବିଆଇ ପ୍ରାଥମିକ ତଦନ୍ତ କରି ସାରିଛି। ତେବେ ୱାଙ୍ଗଚୁକ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଏହା ଜ୍ଞାନ-ବିତରଣ ଚୁକ୍ତି ପାଇଁ ଦେୟ ଥିଲା ଏବଂ ଟିକସ ମଧ୍ୟ ଦିଆଯାଇଛି। ଏକ ଗଣତନ୍ତ୍ରରେ ବିରୋଧ କରିବାର ଅଧିକାରକୁ ସୁରକ୍ଷା ଦିଆଯିବା ଆବଶ୍ୟକ। ତେଣୁ ସରକାର ୱାଙ୍ଗଚୁକଙ୍କ କ୍ଷେତ୍ରରେ ସତର୍କତାର ସହିତ କାର୍ଯ୍ୟ କରିବା ଉଚିତ। ଲଦାଖ ରାସ୍ତାରେ ଥିବା କ୍ରୋଧ ବାସ୍ତବ ଅଟେ, ଯାହା ବର୍ଷ ବର୍ଷ ଧରି ଅବହେଳା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଅଭାବରୁ ଜନ୍ମ ନେଇଛି। ତେବେ ହିଂସା ଗ୍ରହଣୀୟ ନୁହେଁ। ପଥର ଫିଙ୍ଗିବା, ଅଗ୍ନିକାଣ୍ଡ ଏବଂ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଲଦାଖର ନୈତିକ ଦାବିକୁ ଦୁର୍ବଳ କରିଦେଉଛି। ଲଦାଖକୁ ବର୍ତ୍ତମାନ ସବୁଠାରୁ ଅଧିକ ଆଶ୍ୱାସନା ଆବଶ୍ୟକ। କେନ୍ଦ୍ର ସରକାର କଥାବାର୍ତ୍ତାକୁ ଆଗେଇ ନେଇ ରାଜ୍ୟ ପାହ୍ୟା, ସାମ୍ବିଧାନିକ ସୁରକ୍ଷା, ପାରିବେଶିକ ସୁରକ୍ଷା ଏବଂ ଅର୍ଥପୂର୍ଣ୍ଣ ନିଯୁକ୍ତି ଉପରେ ଗୁରୁତ୍ୱ ଦେଇ କାମ କରିବା ଉଚିତ। ନାଗରିକ ସମାଜର ନେତାମାନେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ ଏବଂ ଗଠନମୂଳକ କରିବା ଆବଶ୍ୟକ। ଲେହରେ ଯାଇଥିବା ଜୀବନ ବୃଥା ହେବା ଅନୁଚିତ। ଲଦାଖର ସ୍ୱର ଶୁଣାଯାଉ- ରାଜନୈତିକ ଯୁଦ୍ଧରେ ଏକ ମୋହରା ଭାବରେ ନୁହେଁ, ବରଂ ଭାରତୀୟ ସଂଘ ମଧ୍ୟରେ ସମ୍ମାନ, ଗଣତନ୍ତ୍ର ଏବଂ ସୁରକ୍ଷା ପାଇଁ ଏକ ଆହ୍ୱାନ ଭାବରେ।



