www.samajalive.in
Sunday, December 14, 2025
14.1 C
Bhubaneswar

ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବେ ଓଡ଼ିଶାର ରାଜନୈତିକ ଇତିହାସକୁ ଗୌରବମୟ କରିଥିଲେ ସଦାଶିବ ତ୍ରିପାଠୀ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରିପାଠୀ ରାଜନୀତି କ୍ଷେତ୍ରର ବିରଳ ଦୃଷ୍ଟାନ୍ତ। ସେବା ମନୋବୃତ୍ତି ନେଇ ଉତ୍ସର୍ଗୀକୃତ ଭାବେ ଓଡ଼ିଶାର ରାଜନୈତିକ ଇତିହାସକୁ ସେ ଗୌରବମୟ କରିଥିଲେ। ତାଙ୍କର ନିଃସ୍ୱାର୍ଥପର ସମାଜସେବା ଓ ଅସୀମ ଦେଶଭକ୍ତି ତଥା ମାନବୀୟ ମୂଲ୍ୟବୋଧଭିତ୍ତିକ କାର୍ଯ୍ୟକଳାପ ଚିରଦିନ ପାଇଁ ସ୍ମରଣୀୟ ରହିବ ବୋଲି ଆଜି ଜୟଦେବ ଭବନରେ ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଡ. ସଦାଶିବ ତ୍ରିପାଠୀ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଏହି ରାଜ୍ୟସ୍ତରୀୟ ଉତ୍ସବରେ ଅତିଥିମାନେ ଉପସ୍ଥିତ ରହି ପ୍ରଥମେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାଶିବ ତି୍ରପାଠୀଙ୍କ ଫଟୋଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା କହିଥିଲେ ଯେ ଓଡ଼ିଶା ରାଜନୀତିରେ ସଦାଶିବ ତି୍ରପାଠୀଙ୍କ ଘଟଣାବହୁଳ ଜୀବନ ଏକ ନିଷ୍କଳଙ୍କ ଅଧ୍ୟାୟ । ସବୁଠାରୁ ଲୋକପି୍ରୟ, ନିର୍ମଳ ବ୍ୟକ୍ତିତ୍ୱସଂପନ୍ନ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଭାବମୂର୍ତ୍ତି ଓଡ଼ିଶାର ରାଜନୈତିକ ପରମ୍ପରାକୁ ଉଦ୍ଭାସିତ କରିଥିଲା।

 

- Advertisement -

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ କହିଥିଲେ ଯେ ଓଡ଼ିଶାର ଭୂସଂସ୍କାର ଆଇନ ତାଙ୍କ ସମୟରେ ପ୍ରଣୟନ ହୋଇ ଲକ୍ଷ ଲକ୍ଷ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଇଥିଲା। ବିଧାନସଭା ଓ ସାଧାରଣ ଜୀବନରେ ତାଙ୍କର ସୁନାମ ଏବଂ ଭୂଦାନ କାର୍ଯ୍ୟକ୍ରମର ସଫଳତା ତାଙ୍କୁ ଅବିସ୍ମରଣୀୟ କରି ରଖିଛି। ଡାବୁଗାଁ ବିଧାୟକ ମନୋହର ରନ୍ଧାରି କହିଥିଲେ ଯେ ସଦାଶିବ ତ୍ରିପାଠୀଙ୍କ ଶାସନ କାଳ ଓଡ଼ିଶା ରାଜନୈତିକ ଇତିହାସରେ ଏକ ଗୌରବୋଜ୍ଜ୍ୱଳ ସମୟ। ସେ ଯେଉଁ ଆଦର୍ଶ ମୂଲ୍ୟବୋଧର ରାସ୍ତା ଦେଖାଇଛନ୍ତି, ତାହା ଅନୁସରଣ କରିପାରିଲେ ତାହା ହିଁ ହେବ ଆଜିର ଦିନର ଏହି ବିଶିଷ୍ଟ ଜନନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦକ ଡ. ଲେନିନ୍‌ ମହାନ୍ତି କହିଥିଲେ ଯେ ଡ. ସଦାଶିବ ତ୍ରିପାଠୀ ଓଡ଼ିଶାର ଜାତୀୟ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିବା ସହ ମାନବୀୟ ମୂଲ୍ୟବୋଧ, ନିଃସ୍ୱାର୍ଥପର ସମାଜସେବା ତଥା ରାଜନୀତି କ୍ଷେତ୍ରରେ ଅନନ୍ୟ ବ୍ୟକ୍ତିତ୍ୱ ଭାବେ ପରିଚିତି ସୃଷ୍ଟି କରିଥିଲେ।
ଜୟପୁର ଆକାଶବାଣୀର ଷ୍ଟେସନ ନିର୍ଦ୍ଦେଶକ ଗୌରଚନ୍ଦ୍ର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ସଦାଶିବ ତ୍ରିପାଠୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରି କହିଲେ ଯେ ଡ. ସଦାଶିବ ତି୍ରପାଠୀଙ୍କ ପରି ଜଣେ ସଚ୍ଚା ସ୍ୱାଧୀନତା ସଂଗ୍ରାମୀ, ନିଷ୍କଳଙ୍କ ରାଜନେତା, ସଫଳ ପ୍ରଶାସକ, ଆଦର୍ଶ ରାଜନୀତିଜ୍ଞ ଓଡ଼ିଶା ଇତିହାସରେ ବିରଳ।
ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଡ. ସଦାଶିବ ତ୍ରିପାଠୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ଶିକ୍ଷା, ଭିତ୍ତିଭୂମି ଓ ଶିଳ୍ପର ବିକାଶ, ଭୂଦାନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ପାଇଁ ଚିରଅମର ହୋଇ ରହିବେ। ମୁଖ୍ୟ ଅତିଥି ପୁରୁଷୋତ୍ତମ କଳାକେନ୍ଦ୍ର, ମାଝୀଗୁଡ଼ା, ନବରଙ୍ଗପୁରର କଳାକାରମାନଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରିଥିଲେ। ସଭା ପରେ ଏହି କଳାକାରମାନଙ୍କ ଦ୍ୱାରା ଜନଜାତି ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା। ଶବରୀ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ଇଂ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ବହୁ ବୁଦ୍ଧିଜୀବୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ପ୍ରକାଶନ ପରିଚାଳକ ପ୍ରଫୁଲ୍ଲ କୁମାର ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories