www.samajalive.in
Friday, December 5, 2025
26.1 C
Bhubaneswar

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା: ପୀଡ଼ିତା ସଙ୍କଟାପନ୍ନ

ଭୁବନେଶ୍ବର: ଅଧ୍ୟାପକଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣି ଆତ୍ମାହୁତି ଉଦ୍ୟମ କରିଥିବା ବାଲେଶ୍ବର ଫକୀର ମୋହନ(ଏଫ୍‌ଏମ୍‌) ସ୍ବୟଂଶାସିତ ମହାବିଦ୍ୟାଳୟର ଦ୍ବିତୀୟ ବର୍ଷର ବିଏଡ୍‌ ଛାତ୍ରୀ ଭୁବନେଶ୍ବର ଏମ୍‌ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି। ସେ ଜୀବନ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ପୀଡ଼ିତାଙ୍କୁ ଆଇସିୟୁର ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ିଯାଇଛି। ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡା. ଆଶୁତୋଷ ବିଶ୍ବାସ କହିଛନ୍ତି।

ଡା. ବିଶ୍ବାସଙ୍କ ସୂଚନା ଅନୁଯାୟୀ, ଏମ୍‌ସରେ ସବୁପ୍ରକାର ସୁବିଧା ରହିଛି। ପୀଡ଼ିତାଙ୍କୁ ସର୍ବୋତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି। ସ୍ବତନ୍ତ୍ର ଯତ୍ନ ନିଆଯାଉଛି। ଏବେ ବି ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏମ୍‌ସ ବର୍ଣ୍ଣ ଡିପାର୍ଟମେଣ୍ଟର ଡା. ସଞ୍ଜୟ ଗିିରି କହିଛନ୍ତି ଯେ, ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଶରୀର ଭିତରର ଗୁରୁତ୍ବପୂର୍ଣ୍ଣ ଅଙ୍ଗରେ ଗୁରୁତର ଆଘାତ ଲାଗିଛି। ତାଙ୍କ ଶ୍ବାସନଳୀରେ ସମସ୍ୟା ଦେଖାଦେଇଛି। ସମସ୍ତ ପ୍ରକାର ଚିକିତ୍ସା ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କ ଚିକିତ୍ସା ତଦାରଖ ପାଇଁ ଏମ୍‌ସ ପକ୍ଷରୁ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଏଥିରେ ୮ ଜଣ ଅଭିଜ୍ଞ ଡାକ୍ତର ରହିଛନ୍ତି। ନିଶ୍ଚେତକ ବିଭାଗର ପ୍ରଫେସର ଜୟନ୍ତ ମିତ୍ର, ଛାତି ରୋଗ ବିଭାଗ ପ୍ରଫେସର ମନୋଜ ପାଣିଗ୍ରାହୀ, ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ଅତିରିକ୍ତ ପ୍ରଫେସର ଡା. ସଞ୍ଜୟ ଗିରି, ଆସୋସିଏଟ ପ୍ରଫେସର ଡା. ଶାନ୍ତନୁ ସୁବ୍‌ବା, ନେଫ୍ରୋଲୋଜି ଆସୋସିଏଟ୍ ପ୍ରଫେସର ଡା. ସନ୍ଦୀପ ପଣ୍ଡା, ନିଶ୍ଚେତକ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡା. ଦେବିଶ୍ରୀ ଦାସ, ନର୍ସିଂ ଅଧୀକ୍ଷକ-୨ ଡା. ମହାଲିଙ୍ଗମ ଓ ଏଏନଏସ୍‌ ପ୍ରିୟଦର୍ଶିନୀ ସାହୁ ଏହି ଦଳରେ ରହିଛନ୍ତି।

- Advertisement -

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ଏକାମ୍ର ବିଧାୟକ ବାବୁ ସିଂ ଏମ୍‌ସ ଯାଇ ଚିକିତ୍ସାଧୀନ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା। ପୀଡ଼ିତାଙ୍କୁ ଉନ୍ନତ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଇଛି। ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦେଶକ ଏବଂ ଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଛୁ। ପରିବାର ଲୋକଙ୍କୁ ଭେଟିଛୁ। ଛାତ୍ରୀଙ୍କୁ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରୁଛୁ।

ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି ଯେ, ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁବିଧା ପାଇଁ ଦିଲ୍ଲୀ ଏମ୍‌ସର ପରାମର୍ଶ ନିଆଯାଉଛି। ସରକାର ତ୍ବରିତ ନିଷ୍ପତ୍ତି ନେଇଛନ୍ତି। କାର୍ଯ୍ୟାନୁଷ୍ଠାନରେ କୌଣସି ଅବହେଳା ହେବନି। ଉଚ୍ଚସ୍ତରୀୟ ତଦନ୍ତ ଟିମ୍ ବାଲେଶ୍ବର ଯାଇଛନ୍ତି। ତଦନ୍ତ ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ ଯେ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶନିବାର ଅଭାବନୀୟ ଘଟଣା ଘଟିଥିଲା। ବିଭାଗୀୟ ମୁଖ୍ୟ ସହକାରୀ ପ୍ରଫେସରଙ୍କ ଦ୍ବାରା ୮ମାସରୁ ଅଧିକ ସମୟ ଧରି ବାରମ୍ବାର ନିର୍ଯାତନାର ଶିକାର ହୋଇ ଛାତ୍ରୀ ଜଣକ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ। କଲେଜ ପରିସରରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଭୁବନେଶ୍ବର ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ତାଙ୍କ ଶରୀରର ପ୍ରାୟ ୯୫% ପୋଡ଼ିଯାଇଛି। ଡାକ୍ତରଖାନାରେ ସେ ଏବେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏହି ଘଟଣାରେ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି। ଅଧ୍ୟକ୍ଷ ଦୀଲ୍ଲୀପ ଘୋଷ ନିଲମ୍ବିତ ହୋଇଛନ୍ତି। ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories