ଫ୍ରାନ୍ସରେ ଆଉ ଏକ ପ୍ରଜାତିର କରୋନା ଭୂତାଣୁ ଠାବ

ଓମିକ୍ରନ୍‌, ଫ୍ଲୋରୋନା ପରେ ଆଇଏଚ୍‌ୟୁ

ନୂଆଦିଲ୍ଲୀ: କରୋନା ବା ସାର୍ସ-ସିଓଭି-୨ର ଓମିକ୍ରନ ପ୍ରଜାତି ଭୂତାଣୁ ଏବେ ସାରା ବିଶ୍ବରେ କାୟାବିସ୍ତାର କରିଚାଲିଥିବାବେଳେ ଏହାର ଭିନ୍ନ ଭିନ୍ନ ପ୍ରକରଣ ବିଶ୍ବବାସୀଙ୍କୁ ଆତଙ୍କିତ କରିବାରେ ଲାଗିଛି। ଗତ ବର୍ଷ ଡେଲ୍‌ଟା ପରେ ସମ୍ପ୍ରତି ଓମିକ୍ରନ୍‌ ପ୍ରଜାତି ମାଡ଼ିମାଡ଼ି ଚାଲିଛି। ଗତ ସପ୍ତାହରେ ଇସ୍ରାଏଲରେ ଆଉ ଏକ ପ୍ରଜାତିର ଭୂତାଣୁ ଠାବ ହୋଇଥିଲା; ଯାହାର ନାମ ‘ଫ୍ଲୋରୋନା’। ‘ଫ୍ଲୁ’ ବା ଥଣ୍ଡା ଓ କରୋନାର ମିଶ୍ରଣରେ ଏହାର ନାମକରଣ କରାଯାଇଛି। ଏହି ପ୍ରଜାରତିର ଭୂତାଣୁ ସଂକ୍ରମଣ ଏବେ ଇସ୍ରାଏଲରେ ବ୍ୟାପୁଥିବାବେଳେ ମଙ୍ଗଳବାର ଫ୍ରାନ୍ସରେ କରୋନାର ଆଉ ଏକ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଛି। ଆଗକୁ ଆହୁରି ଏମିତି କେତେ ପ୍ରକାର ପ୍ରଜାତିର ମୂତାଣୁ ଆସିବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି।
ତେବେ ଦକ୍ଷିଣ ଫ୍ରାନ୍ସରେ ବୈଜ୍ଞାନିକମାନେ ଚିହ୍ନଟ କରିଥିବା ଏହି ନୂଆ ପ୍ରଜାତି ଭୂତାଣୁକୁ ‘ଆଇଏଚ୍‌ୟୁ’ ବା ବି.୧.୬୪୦.୨ ଭାବେ ନାମିତ କରାଯାଇଛି। ଆଇଏଚୟୁ ପ୍ରଜାତି ଭୂତାଣୁରେ ୧୨ଜଣ ସଂକ୍ରମିତ ହୋଇଥିବା ଜଣାଯାଇଛି। ସଂକ୍ରମିତମାନେ ଆଫ୍ରିକୀୟ ରାଷ୍ଟ୍ର କାମେରୁନ୍ ଗସ୍ତ କରିଥିଲେ। ଏହି ପ୍ରଜାତି ଭୂତାଣୁର ଲକ୍ଷଣ ବିଷୟରେ ଏବେ ସ୍ପଷ୍ଟ ଭାବେ କିଛି କୁହାଯାଇ ନାହିଁ। ମାତ୍ର ଏହା ସେପରି ଚିନ୍ତାଜନକ ଓ ଘାତକ ନୁହେଁ। ସେହିପରି କରୋନା ଟିକା ଏହି ଭୂତାଣୁକୁ କେତେଦୂର ପ୍ରତିରୋଧ କରୁଛି ତାହା ମଧ୍ୟ ଜଣାପଡି ନାହିଁ। ଓମିକ୍ରନ ପ୍ରଜାତି ଭୂତାଣୁ ଚିହ୍ନଟ ପୂର୍ବରୁ ଏହି ପ୍ରଜାତିକୁ ଠାବ କରାଯାଇଥିବା କୁହାଯାଇଛି। ଡିସେମ୍ବର ୨୯ରେ ଏହି ପ୍ରଜାତି ଭୂତାଣୁ ସମ୍ପର୍କରେ ପ୍ରକାଶିତ ଏକ ଅନୁଧ୍ୟାନକାରୀ ରିପୋର୍ଟ ଅନୁଯାୟୀ ଏହାର ୪୬ଥର ଜୈବ ପରିବର୍ତ୍ତନ (ମ୍ୟୁଟେସନ) ହୋଇଛି। ଏହି ପ୍ରଜାତି ଭୂତାଣୁରୁ ୩୭ ଡିଲିସନ ଓ ୩୦ ଆମିନୋଏସିଡ୍‌ ପରିବର୍ତ୍ତନ ହୋଇଛି। ଏହି ପ୍ରଜାତି ଭୂତାଣୁରେ ଥିବା ଆମିନୋଏସିଡ୍ ପ୍ରତିସ୍ଥାପନ ମଧ୍ୟରେ ଏନ୍୫୦୧ୱାଇ ଓ ଇ୪୮୪କେ ରହିଛି। ଯାହା ବିଟା, ଗାମା, ଥେଟା ଓ ଓମିକ୍ରନ ପ୍ରଜାତି ଭୂତାଣୁରେ ରହିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବି.୧.୬୪୦.୨ ପ୍ରଜାତି ଭୂତାଣୁ ଅନ୍ୟ କୌଣସି ଦେଶରେ ଚିହ୍ନଟ ହୋଇନାହିଁ। ଏହା ଏବେ ଅନୁଧ୍ୟାନର ବିଷୟ ହୋଇ ରହିଛି।

Comments are closed.