ଦକ୍ଷିଣ ଓଡ଼ିଶାରେ ବର୍ଷା ବିତ୍ପାତ
ଗୋଦାବରୀରେ ବନ୍ୟା, ବିପଦରେ ମୋଟୁ
ଆନ୍ଧ୍ର ସହ ଯୋଗାଯୋଗ ବିଚ୍ଛିନ୍ନ, ଲଘୁଚାପ ଉତ୍ତର ଓଡ଼ିଶାମୁହାଁ,୭ ଜିଲାରେ ଅତି ପ୍ରବଳ ବର୍ଷା
ଭୁବନେଶ୍ବର/ଫୁଲବାଣୀ/ମାଲକାନଗିରି : ଦକ୍ଷିଣ-ଉପକୂଳ ଓଡ଼ିଶାରେ ଗତକାଲି ସକ୍ରିୟ ଥିବା ଲଘୁଚାପ ଗୁରୁବାର ଉତ୍ତର ଓଡ଼ିଶା ଏବଂ ତା’ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉପକୂଳ ଗୁଜରାଟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ଆଜି ଫୁଲବାଣୀରେ ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ଭୁଶୁଡ଼ି ମା’ ଓ ଝିଅଙ୍କ ମୃତ୍ୟୁ ହୋଇଥିବାବେଳେ ବାପା ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକ ଦ୍ବୟ ହେଲେ ଫୁଲବାଣୀ ନାରାୟଣୀ ମନ୍ଦିର ନିକଟ ତ୍ରିଦେବୀ ନଗରର ସୁରତୀ ମାଝୀ(୪୨) ଓ ତାଙ୍କ ୫ ବର୍ଷର ଝିଅ ସ୍ମିତାରାଣୀ ମାଝୀ। ଏହି ଦୁର୍ଘଟଣାରେ ସୁରତୀଙ୍କ ସ୍ୱାମୀ ବ୍ରଜବନ୍ଧୁ ମାଝୀ(୪୫) ଓ ୩ ବର୍ଷର ପୁଅ ରୋହନ ମଧ୍ୟ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।
ସୂଚନାନୁଯାୟୀ, ନୟାଗଡ ଜିଲା ବାଣିଗୋଚ୍ଛା ଥାନା ଅନ୍ତର୍ଗତ ସିସିରା ଗ୍ରାମର ବ୍ରଜବନ୍ଧୁ ପ୍ରାୟ ୫ ବର୍ଷ ହେଲା ଫୁଲବାଣୀରେ ରହି ରାଜମିସ୍ତ୍ରୀ କାମ କରୁଥିଲେ। ତାଙ୍କ ସ୍ତ୍ରୀ ସୁରତୀ ମଧ୍ୟ ମୂଲିଆ କାମ କରୁଥିଲେ। ସେମାନେ ସ୍ଥାନୀୟ ନାରାୟଣୀ ମନ୍ଦିର ନିକଟ ପବ୍ଲିକ ସ୍କୁଲ ପଛପାଖରେ ଏକ କଚ୍ଚା ଘର କରି ନିଜର ଦୁଇ ସନ୍ତାନଙ୍କ ସହ ରହୁଥିଲେ। ଆଜି ଦିନତମାମ୍ ସହରରେ ଲଗାଣ ବର୍ଷା ହୋଇଥିଲା। ଅପରାହ୍ନରେ ସେମାନେ ଏକତ୍ର ଘର ଭିତରେ ବସି ମଧ୍ୟାହ୍ନଭୋଜନ କରୁଥିଲେ। ଏହି ସମୟରେ ଘରକୁ ଲାଗି ରହିଥିବା ପଡିଶା ଘରର କାନ୍ଥ ବ୍ରଜବନ୍ଧୁଙ୍କ କଚ୍ଚା ଘରର କାନ୍ଥ ଉପରେ ଭୁଶୁଡି ପଡିଥିଲା। ଫଳରେ ପରିବାରର ସମସ୍ତେ କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଟିମ ହ୍ୟୁମାନିଟିର ସଦସ୍ୟମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମା’ ସୁରତୀ ଓ ଝିଅ ସ୍ମିତାରାଣୀଙ୍କୁ ମୃତ ଘୋଷଣା କରିଥିଲେ। ବାପା ବ୍ରଜବନ୍ଧୁ ଓ ୩ ବର୍ଷର ପୁଅ ରୋହନଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲାର ଚକାପାଦରେ ସର୍ବାଧିକ ବର୍ଷା ୧୩୯ ମିମି, ଝାରସୁଗୁଡ଼ା ଜିଲା ଲଖନପୁରରେ ୧୦୬.୨ ମିମି, ସମ୍ବଲପୁରରେ ୧୦୩.୪ମିମି, କନ୍ଧମାଳ ଜିଲା କଳିଙ୍ଗାରେ ୧୦୨ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗୁରୁବାର ଫୁଲବାଣୀରେ ଅପରାହ୍ଣ ସାଢ଼େ ୫ଟା ସୁଦ୍ଧା ୩୭ ମିମି ବର୍ଷା ହୋଇଛି।
ଅନ୍ୟପକ୍ଷରେ ୫ଦିନ ଧରି ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ସିଲେରୁ, ସାବେରୀ, ପୋଟେରୁ ଓ କାଙ୍କୁରୁକୋଣ୍ଡା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମୋଟୁ ସୀମାନ୍ତରୁ ଦୁଇ କିଲୋମିଟର ଦୂର ଆନ୍ଧ୍ରପ୍ରଦେଶର କାଲେରୁ ଗାଁ ନିକଟରେ ୩୨୬ନମ୍ବର ଜାତୀୟ ରାଜପଥ ଉପରେ ଗତ ୪ ଦିନ ଧରି ୫ ଫୁଟ ଉଚ୍ଚତାରେ ବନ୍ୟା ଜଳ ପ୍ରବାହିତ ହେଉଛି ା ମାଲକାନଗିରି ଜିଲାରେ ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ ୩୪୮.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଜିଲାରେ ହାରାହାରି ୪୯. ୭୯ ମିମି ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ଜିଲାର କୋରୁକୋଣ୍ଡା ବ୍ଲକରେ ସର୍ବାଧିକ ୮୩ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଚିତ୍ରକୋଣ୍ଡା ବ୍ଲକରେ ସର୍ବନିମ୍ନ ୨୮ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଗୁରୁବାର ସୂଚନା ମିଳିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲାରୁ ଆନ୍ଧ୍ରକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଓଡ଼ିଶାର ମୋଟୁ ଓ ଆନ୍ଧ୍ରପ୍ରଦେଶର ଚିନ୍ତୁର ରାସ୍ତା ମଧ୍ୟରେ ଥିବା କୁଇଗୁର ପୋଲ ଉପରେ ଆଜି ବି ୭ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।
ପୋଲାଭରମ ପ୍ରକଳ୍ପ ଉଚ୍ଚତାକୁ ନେଇ ଓଡ଼ିଶା ବାରମ୍ବାର ବିରୋଧ କରି ଆସୁଥିଲା, କିନ୍ତୁ, ଆନ୍ଧ୍ର ସରକାର ଉପେକ୍ଷା କରି ଚାଲିବାରୁ ଆଗକୁ ଏହାର ପରିଣାମ ଓଡ଼ିଶା ଭୋଗିବାକୁ ଯାଉଛି। ଗୋଦାବରୀ ନଦୀରେ ବନ୍ୟା ଜଳ ପଶିବାରୁ ଅସ୍ବାଭାବିକ ଭାବେ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ଆନ୍ଧ୍ର ସରକାର ପୋଲଭରମ ପ୍ରକଳ୍ପର ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ତଥାପି ଜଳ ନିଷ୍କାସନ ହୋଇପାରୁନି। ଫଳରେ ପୋଲଭରମ ପ୍ରକଳ୍ପ ନିକଟସ୍ଥ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପୋଲାଭରମର ପଛୁଆ ପାଣି (ବ୍ୟାକ୍ ୱାଟର) ଆନ୍ଧ୍ରର ଅନେକ ଅଞ୍ଚଳକୁ ବୁଡ଼ାଇଛି। ଆଉ କିଛି ଘଣ୍ଟା ଲଗାଣ ବର୍ଷା ହେଲେ ଓଡ଼ିଶାର ମୋଟୁ ଅଞ୍ଚଳ ମଧ୍ୟ ବୁଡ଼ିଯିବାର ଆଶଙ୍କା ସୃଷ୍ଟି ହୋଇଛି। କାରଣ ମୋଟୁର ଗୋଟିଏ ପାର୍ଶ୍ବରେ ସିଲେରୁ ଓ ଅନ୍ୟ ପାର୍ଶ୍ବରେ ସାବେରୀ ନଦୀର ପାଣି ଚିନାଗୋଦାବରୀ ନଦୀରେ ପଶୁଛି। ଚିନା ଗୋଦାବରୀ ପାଣି ସିଧାସଳଖ ଗୋଦାବରୀ ନଦୀରେ ମିଶୁଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଲେ ଆଗାମୀ କିଛି ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲାର ମୋଟୁରେ ବଡ଼ ଧରଣର ବନ୍ୟା ହେବାର ଆଶଙ୍କା ରହିଛି। ମୋଟୁ ସୀମାନ୍ତରେ ଗତ ୪ ଦିନ ଧରି ଶତାଧିକ ଯାନବାହାନ ଅଟକି ରହିଛି। ଗୋଦାବରୀ ନଦୀରେ ତୃତୀୟ ବିପଦ ସଙ୍କେତ ୫୩ ଫୁଟ ରହିଥିବାବେଳେ ବତ୍ତର୍ମାନ ସେଠାରେ ଜଳସ୍ତର ୫୯ଫୁଟ ରହିଛି। ଫଳରେ ମାଲକାନଗିରି ଜିଲାର ମୋଟୁରେ ବନ୍ୟା ଆଶଙ୍କା ରହିଛି। ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି ସହରର କିଛି ଘରୋଇ ବିଦ୍ୟାଳୟକୁ ଆଜି ଛୁଟି ଘୋଷଣା କରାଯାଇଥିବା ଜଣାଯାଇଛି।
ଉପକୂଳ ଓଡ଼ିଶାର ବାଲେଶ୍ବର, ଯାଜପୁର, କଟକ, ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ତୁହାକୁ ତୁହା ବର୍ଷା ହୋଇଛି। ଚାନ୍ଦବାଲି, ଭବାନୀପାଟଣା, ବଲାଙ୍ଗୀର, ଟିଟିଲାଗଡ଼, ସୁବର୍ଣ୍ଣପୁର, ନୟାଗଡ଼, ଦାରିଙ୍ଗବାଡ଼ି ଏବଂ ନୂଆପଡ଼ା ଆଦି ଅଞ୍ଚଳରେ ବର୍ଷା ହୋଇଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ଆକଳନ କହୁଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ବର ଜିଲାର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରୋକ୍ତ ଜିଲା ଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉକ୍ତ ଜିଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅତି ପ୍ରବଳ ବର୍ଷା ଯୋଗୁଁ ପାହାଡ଼ରୁ ମାଟି ଅତଡ଼ା ଖସିବା, ତଳିଆ ଅଞ୍ଚଳରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି, କଚ୍ଚା ରାସ୍ତା ଧୋଇ ହୋଇଯିବା, ସହରାଞ୍ଚଳରେ ଟ୍ରାଫିକ ଭିଡ଼, ଡ୍ରେନ୍ରୁ ପାଣି ଉଛୁଳିବା, ରାସ୍ତାପାର୍ଶ୍ବରେ ପାଣି ଜମିବା ଏବଂ ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ ଆୟୁକ୍ତ(ଏସଆରସି) ସମସ୍ତ ଜିଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଅନ୍ୟପକ୍ଷରେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରାଜ୍ୟକୁ ଛୁଇଁବା ପରେ କେତେକ ଅଞ୍ଚଳରେ ସ୍ବାଭାବିକ ଓ କେତେକ ଅଞ୍ଚଳରେ ସ୍ବାଭାବିକତାଠାରୁ ଅଧିକ ବର୍ଷା ହୋଇଥିବାବେଳେ ଆଉ କିଛି ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହୋଇଛି। ପାଣିପାଗ କେନ୍ଦ୍ରର ତଥ୍ୟାନୁଯାୟୀ, ଜୁନ୍ ୧ରୁ ଜୁଲାଇ ୧୪ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ୩୪୫.୫ ମିମି ପରିବର୍ତ୍ତେ ୩୪୦.୮ ମିମି ହୋଇଛି। ବୌଦ୍ଧ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି ଓ ନୂଆପଡ଼ାରେ ସ୍ବାଭାବିକରୁ ଅଧିକ ବର୍ଷା ହୋଇଛି। ସୁନ୍ଦରଗଡ଼, ସମ୍ୱଲପୁର, ବଲାଙ୍ଗୀର, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ବାକି ୧୭ ଜିଲାରେ ସ୍ୱାଭାବିକ ବର୍ଷା ହୋଇଛି।
Comments are closed.