ଅସ୍ତ୍ରଶସ୍ତ୍ର କାରବାର, ୫ଗିରଫ

୫ ବନ୍ଧୁକ,୫୦ ଗୁଳି ଜବତ

କଟକ : ଉପକୂଳ ଓଡ଼ିଶାରେ ବେଆଇନ ବନ୍ଧୁକ କାରବାର ଚଳାଇ ଆସୁଥିବା ଏକ କୁଖ୍ୟାତ ଅପରାଧୀ ଦଳର ୫ଜଣ ସଦସ୍ୟଙ୍କୁ ମଙ୍ଗଳବାର ଲାଲବାଗ ପୁଲିସ ଗିରଫ କରିଛି। ହାଇକୋର୍ଟ ପାର୍କିଂ ନିକଟରେ ବନ୍ଧୁକ କାରବାର ଚାଲିଥିବାବେଳେ ପୁଲିସ ଚଢ଼ଉକରି ୫ଜଣଙ୍କୁ କାବୁ କରିନେଇଥିଲା। ଅଭିଯୁକ୍ତମାନେ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ପୋପରଡାର ସତ୍ୟଜିତ ଜେନା ଓରଫ କାଳିଆ(୪୩), ଜଗତସିଂହପୁରର ଦୁର୍ଗା ଦାସ ଓରଫ ନନ୍ଦ(୪୬), ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁରରେ ରହୁଥିବା ଦିୱାନବଜାରର ଏମଡି. ରହିମ ଓରଫ ଏସକେ. ରହିମ(୨୫), ଏସକେ. ୱାସିମ(୩୫), କନ୍ଦରପୁର ଥାନା ଅନ୍ତର୍ଗତ ସାମଲ ସାହିର ସନ୍ତୋଷ ସାମଲ ଓରଫ ଆଶିକ(୩୨)। ଅଭିଯୁକ୍ତଙ୍କଠାରୁ ୩ଟି ୯ଏମଏମ ପିସ୍ତଲ, ଗୋଟିଏ ୭.୬୫ ପିସ୍ତଲ, ଗୋଟିଏ ୮ଏମଏମ ଦେଶୀ ପିସ୍ତଲ, ୫୦ ରାଉଣ୍ଡ ଅଫୁଟା ଗୁଳି ସହିତ ଗୋଟିଏ କାର, ଦୁଇଟି ବାଇକ ଏବଂ ୬ ମୋବାଇଲ ଜବତ କରାଯାଇଥିବା ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି।
ପୁଲିସ ସୂତ୍ରରୁ ପ୍ରକାଶ, ମଙ୍ଗଳବାର ରାତିରେ ଲାଲବାଗ ପୁଲିସ ପାଟ୍ରୋଲିଂ କରୁଥିବାବେଳେ କେତେକ ଅପରାଧୀ ହାଇକୋର୍ଟ ପାର୍କିଂ ନିକଟରେ ଏକାଠି ହୋଇ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଚଳାଇଥିବା ସୂଚନା ପାଇଥିଲେ। ପୁଲିସ ସେଠାରେ ଚଢଉ କରିଥିଲା। ୫ଜଣ ଖସି ପଳାଇଯାଇଥିଲେ ଓ ୫ଜଣ ଅପରାଧୀଙ୍କୁ ପୁଲିସ କାବୁ କରିନେଇଥିଲା। ଅଭିଯୁକ୍ତ କାଳିଆ ନିକଟରୁ ଗୋଟିଏ ୭.୬୫ ପିସ୍ତଲ ମିଳଥିଲା। ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବାରୁ ବନ୍ଧୁକ କାରବାର ନେଇ ସ୍ପଷ୍ଟ ହୋଇଥିଲା। ଅଭିଯୁକ୍ତଙ୍କର ସୂଚନା ଅନୁଯାୟୀ ପୁଲିସ ଚଢଉ କରି ୪ଟି ପିସ୍ତଲ ଓ ୫୦ ରାଉଣ୍ଡ ଅଫୁଟା ଗୁଳି ଜବତ କରିଥିଲା।
ଧରାପଡ଼ିଥିବା ୫ଜଣ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ୨୫ରୁ ଊର୍ଦ୍ଧ୍ବ ମାମଲା ରହିଛି। ଅଭିଯୁକ୍ତ ଆଶିକ ନାମରେ ଦରଘାବଜାର, ବାଦାମବାଡି, ପୁରୀଘାଟ, କନ୍ଦରପୁର ଓ ଟାଙ୍ଗୀ ଥାନାରେ ସର୍ବାଧିକ ୧୦ଟି ମାମଲା ରହିଥିଲା। ଏହାଛଡ଼ା ତା’ ନାମରେ ୪ଟି ଜାମିନ୍‌‌ ବିହୀନ ଗିରଫ ପରୱାନା ମଧ୍ୟ ରହିଥିଲା। ଦୁର୍ଗା ନାମରେ ଜଗତସିଂହପୁର ଥାନାରେ ୪ଟି, କାଳିଆ ନାମରେ ବିଡାନାସୀ, ଜଗତସିଂହପୁର, ମଧୁପାଟଣା ଥାନାରେ ୭ଟି, ରହିମ ନାମରେ ମାଲଗୋଦାମ, ଲାଲବାଗ, ବିଡାନାସୀ, ଢେଙ୍କାନାଳ ଟାଉନ ଥାନାରେ ୫ଟି ମାମଲା ରହିଥିଲା। ୱାସିମ ନାମରେ ମାଲଗୋଦାମ, ଲାଲବାଗ ଓ ବିଡାନାସୀ ଥାନାରେ ୩ଟି ମାମଲା ରହିଥିବା ନେଇ ତଦନ୍ତରୁ ଜଣାପଡ଼ିଛି।
ଗିରଫ ୫ଜଣ କୁଖ୍ୟାତ ଅପରାଧୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଅଭିଯୁକ୍ତ ୱାସିମ ଓ ରହିମ କାରାଗାରରେ ଥିବା କୁଖ୍ୟାତ ଅପରାଧୀ ଧଳସାମନ୍ତ ଭ୍ରାତାଙ୍କର ପ୍ରମୁଖ ସହଯୋଗୀଭାବେ କାର୍ଯ୍ୟ କରୁଥିଲେ। କାଳିଆ ଓ ଆଶିକ ମଧ୍ୟ ଜଗତସିଂହପୁର ଅଞ୍ଚଳର ଗ୍ୟାଙ୍ଗଷ୍ଟର ତପୁ ଦାସର ପୂରା ଅପରାଧ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲେ। ଦୁଇ ପ୍ରମୁଖ ଦଳର ମୁଖିଆମାନେ ବନ୍ଧା ହୋଇ କାରାଗାରକୁ ଚାଲିଯିବା ପରେ ସେମାନଙ୍କର ସାମ୍ରାଜ୍ୟ ଭୁଶୁଡି ପଡ଼ିଥିଲା। ପୁଲିସ ସେମାନଙ୍କ ୭୧ଜଣ ସହଯୋଗୀଙ୍କୁ ଧରିବାରେ ଲାଗିଥିଲା। ଅଭିଯୁକ୍ତ କାଳିଆ, ରହିମ, ୱାସିମ ଏବଂ ଆଶିକ ଥିଲେ ଅନ୍ୟତମ। ଏହି ୪ ଅଭିଯୁକ୍ତ ଜାମିନ୍‌‌ରେ ଖଲାସ ହେବା ପରେ ନର୍ଦିଷ୍ଟ ସ୍ଥାନରେ ଏକାଠି ହୋଇଥିଲେ। ପୂର୍ବ ଶତ୍ରୁତାକୁ ଭୁଲିଯାଇ ସମସ୍ତେ ମିଳିମିଶି ଅପରାଧ ଓ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନଙ୍କ ସହିତ ଯୋଗଦେଇଥିଲା ଅନ୍ୟତମ ଅଭିଯୁକ୍ତ ନନ୍ଦ। ୫ଜଣ ଅଭିଯୁକ୍ତ ଉପକୂଳ ଓଡ଼ିଶାରେ ଚଳାଇଥିଲେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର। ଅଭିଯୁକ୍ତ ନନ୍ଦ ବିହାରରୁ ଦେଶୀ ଓ ପଶ୍ଚିମବଙ୍ଗରୁ ବିଦେଶୀ ପିସ୍ତଲ, ଗୁଳି ଆଣି ସମୁଦ୍ରତଟବର୍ତ୍ତୀ ଅଞ୍ଚଳରେ ପହଞ୍ଚାଇଥାଏ। ନନ୍ଦଠାରୁ ୱାସିମ ଓ ରହିମ ବନ୍ଧୁକ ଓ ଗୁଳି ନେବାକୁ ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଅନୁଗୋଳ, ଖୋର୍ଦ୍ଧା ଜିଲାକୁ ପଠାଉଥିଲେ। ଉକ୍ତ ବନ୍ଧୁକ ଓ ଗୁଳି କାହାକୁ ଆଗ ଦିଆଯିବ ସେ ନେଇ କାଳିଆ ଓ ଆଶିକ ମଧ୍ୟସ୍ଥ ସାଜି ସେମାନଙ୍କ ସହିତ ଡିଲ କରୁଥିଲେ।

Comments are closed.