ମସୁରୀ: ଉତ୍ତରାଖଣ୍ଡର ମୁସୁରୀ ସ୍ଥିତ ‘ଦି ରିଙ୍କ୍’ ହୋଟେଲରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଭୋର୍ ୪ଟା ସମୟରେ ହୋଟେଲରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଏହି ସମୟରେ ହୋଟେଲ ମାଲିକ ଭିତରେ ଶୋଇଥିଲେ। ନିଆଁ ଲାଗିଥିବା ଜାଣିବା ପରେ ସେ ଝରକା ଭାଙ୍ଗି ବାହାରକୁ ଆସିଥିଲେ। ନିଆଁ ଲାଗିବା ମାତ୍ରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା।

ଖବର ପାଇ ଅଗ୍ନିଶମ ଏବଂ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ହୋଟେଲରେ ଏବେ ନିର୍ମାଣ କାର୍ଯ୍ୟ ଚାଲିଥିଲା। ଭିତରୁ ସମସ୍ତ କର୍ମଚାରୀ ନିରାପଦରେ ବାହାରକୁ ପଳାଇ ଆସିଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ଖବର ନାହିଁ। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ଉତ୍ତରାଖଣ୍ଡ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହୋଟେଲରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଅଗ୍ନକାଣ୍ଡ ଯୋଗୁ ହୋଟେଲ ତଳେ ରାସ୍ତାରେ ଠିଆ ହୋଇଥିବା ଦୁଇଟି ଗାଡ଼ି ପୋଡ଼ି ଯାଇଥିବା ଜଣାପଡ଼ିଛି।




