ନୋଏଡା: ନୋଏଡା ସେକ୍ଟର ୧୨ରେ ଥିବା ମେଟ୍ରୋ ହସ୍ପିଟାଲରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗି ଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ୩୦ରୁ ୪୦ ଜଣଙ୍କୁ ହସ୍ପିଟାଲରୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା କିଛି ରୋଗୀ ଫସି ରହିଥିବା ସୂଚନା ମିଳିଛି । ହସ୍ପିଟାଲ କାଚ ଭାଙ୍ଗି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅଗ୍ନିକାଣ୍ଡ ପଛରେ ଷଡଯନ୍ତ୍ରର ଆଶଙ୍କା କରାଯାଉଛି ବୋଲି ହସ୍ପିଟାଲର ଅଧ୍ୟକ୍ଷ ଡ.ପୁରୁଷୋତ୍ତମ ଲାଲ ଏକ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇ କହିଛନ୍ତି । ଏହା ସହ ସବୁ ରୋଗୀ ସୁରକ୍ଷିତ ଥିବା ସେ କହିଛନ୍ତି ।
ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଏବଂ କ୍ଷୟକ୍ଷତି ବିଷୟରେ ଜଣାପଡି ନାହିଁ । ନିଆଁକୁ ଆୟତ୍ତ କରିବା ପାଇଁ ୧୨ରୁ ଅଧିକ ଦମକଳ ଗାଡି ନିୟୋଜିତ ହୋଇଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇ ପାରିନାହିଁ । ହସ୍ପିଟାଲ ପରିସରରେ ଧୂଆଁମୟ ହୋଇ ଯିବାରୁ ରୋଗୀମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।



