ନୂଆଦିଲ୍ଲୀ : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ପୂର୍ଣ୍ଣ ନୁହେଁ ଅନ୍ତରୀଣ ବଜେଟ ଉପସ୍ଥାପିତ କରିବେ ବୋଲି ବୁଧବାର କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ପରମ୍ପରାକୁ ବଦଳାଇ ଚଳିତ ଥର ସରକାର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଅର୍ଥ ମନ୍ତ୍ରଳାୟ ଅନ୍ତରୀଣ ବଜେଟ ଉପସ୍ଥାପନ କରାଯିବ ବୋଲି ସ୍ପଷ୍ଟ କରିବା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ତେବେ ଏହି ବଜେଟ ଅରୁଣ ଜେଟଲୀ କି ପିୟୁଷ ଗୋଏଲ ଉପସ୍ଥାପିତ କରିବେ ତାର ନିଷ୍ପତ୍ତି ନିଆଯାଇ ନାହିଁ। ଜେଟଲୀ ନିଜର ଚିକିତ୍ସା ପାଇଁ ଏବେ ଆମେରିକାରେ ଅଛନ୍ତି। ତାଙ୍କ ସ୍ଥାନରେ ଗୋଏଲ ଏବେ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି।
ଫେବୃଆରୀ ୧ରେ ସରକାର ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ। ଲୋକସଭା ନିର୍ବାଚନ ଅତି ନିକଟରେ ଥିବାରୁ ଚଳିତ ଥର ସରକାର ଅନେକ ବଡ଼ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଚର୍ଚ୍ଚା ଅନୁସାରେ ଏହି ବଜେଟରେ ଆୟକର ଛାଡ଼ର ପରିସର ୨.୫ ଲକ୍ଷରୁ ବୃଦ୍ଧି କରି ୩ ଲକ୍ଷ ଟଙ୍କା କରାଯାଇପାରେ। ସେହିପରି ଗ୍ରାମାଞ୍ଚଳର ଲୋକ, କୃଷକ ଏବଂ ମଧ୍ୟମବର୍ଗର ଲୋକଙ୍କ ପାଇଁ ଅନେକ ରିଆତି ଘୋଷଣା କରାଯାଇପାରେ। ସୂଚନା ଅନୁସାରେ କୃଷି ମନ୍ତ୍ରାଳୟ କୃଷକଙ୍କୁ ରିଆତି ଦେବା ପାଇଁ ଅର୍ଥ ମନ୍ତ୍ରାଳୟକୁ ପ୍ରସ୍ତାବ ଦେଇଛି। ବଜେଟ ପୂର୍ବରୁ ଏହି ଘୋଷଣା ହେବ ବୋଲି ଆଶା କରାଯାଉଛି।
ଏଥର ପୂର୍ଣ୍ଣ ନୁହଁ ଅନ୍ତରୀଣ ବଜେଟ: ଅର୍ଥ ମନ୍ତ୍ରାଳୟ
Popular Categories



