ସୁଟ୍‍ଆଉଟ୍‍ରେ ଜିତି କ୍ରୋଏସିଆ ସେମିରେ

0

ସୋଚି : ଚଳିତ ଫିଫା ବିଶ୍ୱକପ୍‍ରେ ୪ର୍ଥ ତଥା ଅନ୍ତିମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି କ୍ରୋଏସିଆ। ଶନିବାର ୪ର୍ଥ କ୍ୱାର୍ଟରଫାଇନାଲ ମ୍ୟାଚ୍‍ରେ ପେନାଲ୍‍ଟି ସୁଟ୍‍ଆଉଟରେ ୪-୩ ଗୋଲ୍‍ରେ ଆୟୋଜକ ରୁଷିଆକୁ କ୍ରୋଏସିଆ ପରାସ୍ତ କରିଛି। ନିର୍ଦ୍ଧାରିତ ୯୦ ମିିନିଟର ଖେଳ ୧-୧ ସ୍ଥିତିରେ ରହିଥିଲା। ଅତିରିକ୍ତ ସମୟ ଶେଷରେ ସ୍କୋର୍‍ ୨-୨ ରହିଥିଲା। ପରେ ପେନାଲ୍‍ଟି ସୁଟ୍‍ଆଉଟ ହୋଇଥିଲା। ନିର୍ଦ୍ଧାରିତ ସମୟରେ ପ୍ରଥମେ ରୁଷିଆର ଡେନିସ୍‍ ଚେରିସେଭ୍‍ ଏକ ଦର୍ଶନୀୟ ଗୋଲ୍‍ ଦେଇଥିବା ବେଳେ ହେଡର ଯୋଗେ କ୍ରୋଏସିଆର ଆନ୍ଦ୍ରେଜ୍‍ କ୍ରାମାରିଚ୍‍ ଗୋଲ୍‍ ସୁଝାଇ ଦେଇଥିଲେ। ତେବେ ଅତିରିକ୍ତ ସମୟରେ କ୍ରୋଏସିଆର ଡୋମାଗୋଜ୍‍ ଭିଦା ୨ୟ ଗୋଲ୍‍ ଦେଇଥିଲେ। ରୁଷିଆର ମାରିଓ ଫର୍ଣ୍ଣାଣ୍ଡେଜ୍‍ ଏହି ଗୋଲ୍‍ ସୁଝାଇ ଦେଇଥିଲେ। ୧୨୦ ମିନିଟରେ ସ୍କୋର୍‍ ୨-୨ ଥିବାରୁ ପେନାଲ୍‍ଟି ସୁଟ୍‍ଆଉଟ ହୋଇଥିଲା। ରୁଷିଆର ସ୍ମୋଲୋଭ୍‍ଙ୍କ ସଟ୍‍କୁ କ୍ରୋଏସିଆ ଗୋଲ୍‍ରକ୍ଷକ ଡାନିଏଲ୍‍ ସୁବାସିଚ୍‍ ରୋକି ଦେଇଥିଲେ। କ୍ରୋଏସିଆର କୋଭାସିଚ୍‍ଙ୍କ ସଟ୍‍କୁ ରୁଷିଆ ଗୋଲ୍‍ରକ୍ଷକ ଇଗୋର ଆକିନ୍‍ଫିଭ୍‍ ରୋକିଥିଲେ। ପରେ ରୁଷିଆର ଫର୍ଣ୍ଣାଣ୍ଡେଜ୍‍ ବାହାରକୁ ମାରିଥିଲେ; ଯାହା ନିର୍ଣ୍ଣାୟକ ହୋଇଥିଲା। କ୍ରୋଏସିଆର ରାକିଟିଚ୍‍ ଶେଷ ସଟ୍‍ରେ ଗୋଲ୍‍ ଦେଇଥିଲେ। ୧୯୯୮ ପରେ ୨୦ ବର୍ଷର ବ୍ୟବଧାନରେ କ୍ରୋଏସିଆ ବିଶ୍ୱକପ୍‍ର ସେମିଫାଇନାଲରେ ପ୍ରବେଶ କରିଛି। ପରାଜୟ ସହ ଆୟୋଜକ ରୁଷିଆ ବିଶ୍ୱକପ୍‍ରୁ ବିଦାୟ ନେଇଛି।
ଆଶା ଅନୁସାରେ ମ୍ୟାଚ୍‍ର ପ୍ରଥାମାର୍ଦ୍ଧରେ କ୍ରୋଏସିଆର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ୬ଷ୍ଠ ମିନିଟରେ କ୍ରୋଏସିଆକୁ ଗୋଲ୍‍ ସ୍କୋର୍‍ କରିବାର ସୁବର୍ଣ୍ଣ ସୁଯୋଗ ମିଳିଥିଲା। ଆଣ୍ଟେ ରେବିଚ୍‍ ଅତି ପାଖରୁ ସଟ୍‍ ମାରିଥିଲେ ହେଁ ଏହାକୁ ରୁଷିଆ ଗୋଲ୍‍ରକ୍ଷକ ତଥା ଅଧିନାୟକ ଇଗୋର ଆକିନ୍‍ଫିଭ୍‍ ବାହାର କରି ଦେଇଥିଲେ। ୧୨ ମିନିଟରେ କ୍ରୋଏସିଆର ତାରକା ଖେଳାଳି ମାରିଓ ମାଣ୍ଡ୍‍ଜୁକିଚ୍‍ ରୁଷିଆ ଗୋଲ୍‍ପୋଷ୍ଟ ସମ୍ମୁଖରୁ ସଟ୍‍ ମାରିଥିଲେ ହେଁ ବଲ୍‍ କ୍ରସ୍‍ବାର ଉପରେ ଚାଲି ଯାଇଥିଲା। ୩୧ ମିନିଟରେ ରୁଷିଆ ଗୋଲ୍‍ଦେଇ ଆଗୁଆ ହୋଇ ଯାଇଥିଲା। ଆର୍ତେମ୍‍ ଜ୍ୟୁବାଙ୍କଠାରୁ ପାସ୍‍ ପାଇ ଦୂରରୁ ଏକ ଚମତ୍କାର କିକ୍‍ମାରି ଡେନିସ୍‍ ଚେରିସେଭ୍‍ ଏହି ଗୋଲ୍‍ଟି ଦେଇଥିଲେ। ଘରୋଇ ଦଳର ଚେରିସେଭ୍‍ଙ୍କର ଚଳିତ ବିଶ୍ୱକପ୍‍ରେ ଏହା ୪ର୍ଥ ଗୋଲ୍‍। ୩୯ ମିନିଟରେ କ୍ରୋଏସିଆ ଗୋଲ୍‍ ସୁଝାଇ ଦେଇଥିଲା। ବାମପଟୁ ମାରିଓ ମାଣ୍ଡ୍‍ଜୁକିଚ୍‍ ଦେଇଥିବା କ୍ରସ୍‍ରୁ ହେଡ୍‍କରି କ୍ରୋଏସିଆର ଆନ୍ଦ୍ରେଜ୍‍ କ୍ରାମାରିଚ୍‍ ଏହି ଗୋଲ୍‍ଟି ଦେଇଥିଲେ। ଉପରେ ଉଭୟ ଦଳ ପ୍ରୟାସ କରିଥିଲେ ହେଁ ମଧ୍ୟାନ୍ତର ହ୍ୱିସ୍‍ଲ ପର୍ଯ୍ୟନ୍ତ ଆଉ ଗୋଲ୍‍ ହୋଇନଥିଲା। ମ୍ୟାଚ୍‍ରେ କ୍ରୋଏସିଆ ଫେଭରିଟ୍‍ ଥିଲେ ହେଁ ରୁଷିଆ ଏହା ସହ ତାଳଦେଇ ଖେଳିଥିଲା।
ଦ୍ୱିତୀୟାର୍ଦ୍ଧରେ କ୍ରୋଏସିଆ ଦୃଢ଼ତାର ସହ ଖେଳ ଆରମ୍ଭ କରିଥିଲା। ୬୦ ମିନିଟରେ କ୍ରୋଏସିଆ ଏକ ସଂଘବଦ୍ଧ ଆକ୍ରମଣରୁ ଗୋଲ୍‍ଦେବାର ସୁଯୋଗ ପାଇଥିଲା। ତେବେ ଇଭାନ୍‍ ପେରିସିଚ୍‍ଙ୍କ ମାରିଥିବା ସଟ୍‍ ଗୋଲ୍‍ପୋଷ୍ଟରେ ବାଜି ବାହାରି ଆସିଥିଲା। ୭୨ ମିନିଟରେ ମାରିଓ ଫର୍ଣ୍ଣାଣ୍ଡେଜ୍‍ଙ୍କ କ୍ରସ୍‍ରୁ ଆଲେକ୍‍ଜାଣ୍ଡର ଏରୋଖିନ୍‍ ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଏହାପରେ କ୍ରୋଏସିଆ ଘନଘନ ଆକ୍ରମଣ କରିଥିବା ବେଳେ ରୁଷିଆ ଗୋଲ୍‍ ବରଣ କରିନଥିଲା। ୭୮ ମିନିଟରେ ଲୁକା ମୋଡ୍ରିଚ୍‍ଙ୍କ ସଟ୍‍ରୁ କ୍ରୋଏସିଆର ମାରିଓ ମାଣ୍ଡ୍‍ଜୁକିଚ୍‍ ହେଡ୍‍ କରିଥିଲେ ହେଁ ବଲ୍‍ ଗୋଲ୍‍ପୋଷ୍ଟ ଉପରେ ଚାଲି ଯାଇଥିଲା। ଇଞ୍ଜ୍ୟୁରି ଟାଇମ୍‍ରେ ମଧ୍ୟ କ୍ରୋଏସିଆର ପ୍ରୟାସ ବୃଥା ହୋଇଥିଲା। ଏହିପରି ୯୦ ମିନିଟର ନିର୍ଦ୍ଧାରିତ ସମୟ ୧-୧ ଗୋଲ୍‍ ସ୍ଥିତିରେ ସମାପ୍ତ ହୋଇଥିଲା। ଫଳରେ ଅତିରିକ୍ତ ସମୟ ହୋଇଥିଲା। ୧୦୧ ମିନିଟରେ କ୍ରୋଏସିଆ ୨ୟ ଗୋଲ୍‍ ସ୍କୋ୍‍ରକରି ଆଗୁଆ ହୋଇ ଯାଇଥିଲା। ଏକ କ୍ରସ୍‍ରୁ କ୍ରୋଏସିଆର ଡୋମାଗୋଜ୍‍ ଭିଦା ହେଡ୍‍ କରିଥିଲେ; ଯାହା ଗୋଲ୍‍ପୋଷ୍ଟ ମଧ୍ୟକୁ ପଶି ଯାଇଥିଲା। ୧୧୫ ମିନିଟରେ ରୁଷିଆ ଗୋଲ୍‍ ସୁଝାଇ ଦେଇଥିଲା। ଏକ କର୍ଣ୍ଣର କିକ୍‍କୁ ହେଡ୍‍କରି ରୁଷିଆର ମାରିଓ ଫର୍ଣ୍ଣାଣ୍ଡେଜ୍‍ ଗୋଲ୍‍ ସୁଝାଇ ଦେଇଥିଲେ।

kalyan agarbati
Leave A Reply