www.samajalive.in
Saturday, December 6, 2025
19.1 C
Bhubaneswar

ଏଫଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍: ମନପ୍ରୀତ୍‍ଙ୍କ ଡବଲ୍‌ ଗୋଲ୍‌, ୨ୟ ବିଜୟ ସହ ପୁଲ୍‌ ଶୀର୍ଷରେ ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ଏଫ୍‍ଆଇଏଚ୍‍ ହକି ସିରିଜ୍‍ ଫାଇନାଲସ୍‍ରେ ଭାରତ କ୍ରମାଗତ ୨ୟ ବିଜୟ ସହ ପୁଲ ଶୀର୍ଷକୁ ଉନ୍ନୀତ ହୋଇଛି। ଶୁକ୍ରବାର ସନ୍ଧ୍ୟାରେ ଖେଳା ଯାଇଥିବା ପୁଲ୍‌ ‘ଏ’​‌ର ୪ର୍ଥ ଲିଗ୍‍ ମ୍ୟାଚରେ ଅଧିନାୟକ ମନପ୍ରୀତ୍‍ ସିଂହଙ୍କ ଡବଲ୍‌ ଗୋଲ୍‌ ବଳରେ ଭାରତ ୩-୧ ଗୋଲରେ ପୋଲାଣ୍ଡକୁ ପରାସ୍ତ କରିଛି।
ଏଫ୍‍ଆଇଏଚ୍‍ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ଭାରତକୁ ୨୧ତମ ମାନ୍ୟତାପ୍ରାପ୍ତ ପୋଲାଣ୍ଡ କଡା ଟକ୍କର ଦେଇଥିଲା। ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଥିବା ଉଭୟ ଦଳ ଦ୍ୱିତୀୟ ମ୍ୟାଚ ଜିତି ପୁଲ ଶୀର୍ଷରେ ରହିବା ନେଇ ଉଦ୍ୟମ କରିଥିଲେ। ପୋଲାଣ୍ଡ ୧୦ ମିନିଟ୍‍ରେ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ୨ୟ କ୍ୱାର୍ଟରରେ ଉଭୟ ଦଳ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ। ୨୦ ମିନିଟ୍‍ରେ ଭାରତକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲେ। ୨୧ ମିନିଟ୍‍ରେ ଭାରତକୁ ୨ୟ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ରମଣଦୀପ୍‍ ସିଂହଙ୍କ ସଟ୍‍ ପୋଲାଣ୍ଡ ଗୋଲରକ୍ଷକଙ୍କ ଦେହରେ ବାଜି ଫେରି ଆସିବା ବେଳେ ମନପ୍ରୀତ ସିଂହ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ପରେ ମ୍ୟାଚ ଅଧିକ ରୋମାଚଂକର ହୋଇଥିଲା। ୨୫ ମିନିଟ୍‍ରେ ପୋଲାଣ୍ଡ ପକ୍ଷରୁ ମାଥ୍ୟୁସ୍‍ ହୁଲବୋଜ ଗୋଲ ଦେଇ ମ୍ୟାଚକୁ ୧-୧ ସ୍ତରକୁ ଆଣିଥିଲେ। ଏହାର ଠିକ୍‍ ଗୋଟିଏ ମିନିଟ୍‍ ପରେ ୨୬ମିନିଟ୍‍ରେ ସିମ୍ରନଜିତ୍‍ ସିଂହଙ୍କ ସୁନ୍ଦର ପାସ୍‍କୁ ମନପ୍ରୀତ ସିଂହ ଗୋଲ ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୨-୧ ଗୋଲରେ ଆଗୁଆ ରହିଥିଲା। ୩ୟ କ୍ୱାର୍ଟର ପ୍ରାରମ୍ଭରୁ ପୋଲାଣ୍ଡ ଗୋଲ ବରାବର କରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତୀୟ ଖେଳାଳି କୌଣସି ସୁଯୋଗ ଦେଇନଥିଲେ। ୩୬ତମ ମିନିଟ୍‍ରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ହରମନପ୍ରୀତ୍‍ ସିଂହ ଗୋଲ୍‌ଦେଇ ଦଳକୁ ୩-୧ରେ ଆଗୁଆ କରିଥିଲେ। ଅନ୍ତିମ କ୍ୱାର୍ଟରରେ ପୋଲାଣ୍ଡ ଓ ଭାରତ ଆକ୍ରମଣ ଓ ପ୍ରତି ଆକ୍ରମଣ କରିଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇନଥିଲେ। ଅତିଥି ଭାବେ ସାମାଜିକ ସୁରକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ୨ଟି ଗୋଲ ସ୍କୋର କରିଥିବା ମନପ୍ରୀତ୍‍ ସିଂହଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଭାରତ ୨ଟି ମ୍ୟାଚରୁ ୨ଟି ବିଜୟ ସହ ୬ ପଏଣ୍ଟ ପାଇ ପୁଲ୍‌ ଶୀର୍ଷରେ ଥିବା ବେଳେ ୧୦ରେ ଅନ୍ତିମ ଲିଗ୍‍ ମ୍ୟାଚ ଉଜ୍‍ବେକିସ୍ତାନ ସହିତ ଖେଳିବ। ପୋଲାଣ୍ଡ ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୩ ପଏଣ୍ଟ ପାଇ ପୁଲ୍‌ର ୨ୟ ସ୍ଥାନରେ ବାବେଳେ ଅନ୍ତିମ ଲିଗ୍‍ ମ୍ୟାଚ୍‌ ୯ରେ ରୁଷିଆ ବିପକ୍ଷରେ ଖେଳିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories