ନୂଆଦିଲ୍ଲୀ : ସାରା ଦେଶରେ ଫସଲ ଅମଳର ପର୍ବ ପାଳନ ଆରମ୍ଭ ହୋଇଯାଇଛି। ଏହା ଦେଶର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ନାମରେ ପରିଚିତ। ତାମିଲନାଡୁରେ ଏହାକୁ ପୋଙ୍ଗଲ କୁହାଯାଉଥିବା ବେଳେ ଗୁଜରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଏବଂ ଓଡ଼ିଶାରେ ଏହାକୁ ମକର ସଂକ୍ରାନ୍ତି କୁହାଯାଇଥାଏ। ଆସାମରେ ଏହାକୁ ବିହୁ କୁହାଯାଇଥାଏ। ଫସଲ ଅମଳର ପର୍ବ ଲୋହରୀ ବୁଧବାର ସମଗ୍ର ଉତ୍ତର ଭାରତରେ ପାଳିତ ହୋଇଛି। ଏହା ପଞ୍ଜାବ, ହରିଆଣା, ହିମାଚଳ ପ୍ରଦେଶ, ଦିଲ୍ଲୀ, ଜାମ୍ମୁ ଓ ଚଣ୍ଡିଗଡ଼ ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପାଳନ କରାଯାଇଛି। ଲୋହରୀ ମକର ସଂକ୍ରାନ୍ତି ପୂର୍ବ ରାତିରେ ପାଳନ କରାଯାଇଥାଏ ଓ ଏହା ମଧ୍ୟ ମାଘି ନାମରେ ପରିଚିତ।
ହିନ୍ଦୁ ପଞ୍ଜିକା ଅନୁସାରେ ଏହି ପର୍ବ ସୂର୍ଯ୍ୟ ଦେବଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥାଏ। ଲୋହରୀ ପାଳନ ସହ ଶୀତଋତୁ ଶେଷ ହୋଇଥାଏ ଓ ଲୋକମାନେ ସେମାନଙ୍କର ଅମଳ ହୋଇଥିବା ଫସଲ ପାଇଁ ଖୁସିବ୍ୟକ୍ତ କରିବାକୁ ଏହାର ପାଳନ କରିଥାନ୍ତି। ପଞ୍ଜାବରେ ଅମଳ ପର୍ବ ପାଳନ ସମୟରେ ନୂଆକରି ଅମଳ ହୋଇଥିବା ମକା ଲିଆ ଖିଆଯାଇଥାଏ। ଏଥିସହିତ ଆଖୁରସରୁ ପ୍ରସ୍ତୁତ କ୍ଷୀରି ମଧ୍ୟ ଖିଆଯାଇଥାଏ। ଗୁଡ଼ ଓ ଗଜକ ଭଳି ଆଖୁରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ମଧ୍ୟ ଲୋହରୀ ପାଳନ ସମୟରେ ଖିଆଯାଇଥାଏ। ଲୋହରୀ ପାଳନ ପାଇଁ ଆଜି ସନ୍ଧ୍ୟାରୁ ଅଗ୍ନ୍ୟୋତ୍ସବର ଆୟୋଜନ କରାଯାଉଛି। ଏହାପରଠାରୁ ଶୀତଋତୁ ଶେଷ ହୋଇଥାଏ।
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଲୋହରୀ, ମକର ସଂକ୍ରାନ୍ତି, ପୋଙ୍ଗଲ, ଭୋଗାଲି ବିହୁ, ଉତ୍ତରାୟଣ ଓ ପୌଷ ପର୍ବ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଏହିସବୁ ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ, ଶ୍ରଦ୍ଧା ଓ ସଦ୍ଭାବନାକୁ ଆହୁରି ଅଧିକ ମଜବୁତ୍ କରିବ ଓ ଦେଶରେ ସୁଖ ଏବଂ ସମୃଦ୍ଧି ଆଣିଦେବ। ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି, ଏହିସବୁ ପର୍ବ ସେଗୁଡ଼ିକର ବିବିଧତା ପାଇଁ ଜନମାନସରେ ବିଦିତ ଓ ଏଗୁଡ଼ିକ ଅମଳ ଏବଂ ପ୍ରକୃତିର ପ୍ରାଚୁର୍ୟ୍ୟର ପ୍ରତୀକ ବହନ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ସମଗ୍ର ବିଶ୍ୱର ଶୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି।
ଲୋହରୀ, ମକର ସଂକ୍ରାନ୍ତି ଓ ପୋଙ୍ଗଲ ପାଇଁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Popular Categories



