ଦ୍ୱାରଶୁଣି : ବାରମ୍ବାର ହାତୀପଲ କ୍ଷେତରେ ପଶି ଧାନ ଫସଲ ନଷ୍ଠ କରିଦେଉଛନ୍ତି । ଚାଷୀ ମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖିନ ହେଉଛନ୍ତି । ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ବାଙ୍ଗିରିପୋଷି ବ୍ଲକ ଧୋବଣିଶୋଳ, ଭୂଆଶୁଣୀ, ନାଫ୍ରୀ, ଶ୍ୟାମସୁନ୍ଦରପୁର ପଂଚାୟତର ଚାଷୀ ମାନେ ଗଛରେ ମଞ୍ଚା ତିଆରି କରି ରାତିସାରା ଜଗି ରହୁଛନ୍ତି । ଶିମିଳିପାଳ ସଂରକ୍ଷିତ ଜଙ୍ଗଲ କଡରେ ଥିବା କିଛି ବର୍ଷ ଧରି ଧୋବଣିଶୋଳ ଗ୍ରାମପଂଚାୟତ ଅନ୍ତର୍ଗତ ବାଲିଖଣି, ମାଟିଖଣି ଓ କୁଆବସା ଅଂଚଳରେ ଚାଷ ଜମିରେ ବଣୁଆ ହାତୀ ପଲ ପଶିଯାଇ ପାଚିଲା ଧାନକୁ ସଂପୁର୍ଣ୍ଣ ନଷ୍ଟ କରିଦେଇଛନ୍ତି। ରାତିରେ ହାତୀପଲ ଆସି ଫସଲ ନଷ୍ଟ କରୁଛନ୍ତି । ହାତୀ ଉପଦ୍ରବରୁ ନିଜର ଫସଲକୁ ସୁରକ୍ଷା ଦେବା ପାଇଁ ଚାଷୀ ମାନେ ଧାନ ରୁଆ ଠାରୁ ଆରମ୍ଭ କରି ଧାନ କଟା ପର୍ଯ୍ୟନ୍ତ ଗଛ ଉପରେ ମଂଚା ତିଆରି କରି ଜଗୁଛନ୍ତି । ଗୋଟିଏ ମଞ୍ଚାରେ ୨ରୁ ୩ ଜଣ ଲୋକ ରହିଥାନ୍ତି । ରାତିରେ ଜଣେ ଶୋଇଲେ ଆଉ ଜଣେ ଉଜାଗର ରହି ନିଜ ଫସଲକୁ ସୁରକ୍ଷା ଦେଇଥାଏ। ୩ ଶହରୁ ୪ ଶହ ମିଟର ବ୍ୟବଧାନରେ ଚାଷୀ ମାନେ ମଞ୍ଚା ତିଆରି କରିଥିବା ଦେଖି ବାକୁ ମିଳିଛି। ଜଙ୍ଗଲରୁ ହାତୀପଲ ଧାନ ଖାଇବାକୁ ଆସିଲେ ମଞ୍ଚାରେ ଥିବା ଚାଷୀ ମାନେ ଟିଣ ବାଡେଇବା ସହ ହାତୀ ମୁହଁକୁ ଟର୍ଚ୍ଚ ଲାଇଟ ପକାଇଥାନ୍ତି । ଫଳରେ ହାତୀପଲ ପୁଣି ଜଙ୍ଗଲକୁ ଫେରି ଯାଆନ୍ତି । ନିଜ ଫସଲର ସୁରକ୍ଷା ପାଇଁ ବର୍ଷର ୪ ମାସ ମଞ୍ଚା ରେ ରହିବାକୁ ପଡେ। ହାତୀ ମାନେ ଯେପରି ଧାନ କ୍ଷେତକୁ ଆସି ନ ପାରିବେ ସେଥି ପାଇଁ ଜଙ୍ଗଲ କଡରେ ଟ୍ରେଞ୍ଜ ଖୋଳିବାକୁ ଚାଷୀ ମାନେ ଦାବି କରି ଆସୁଛନ୍ତି। ହେଲେ ଏ ଦିଗରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ଟୁଲିଆ ଜଙ୍ଗଲରେ କିଛି ହାତୀ ଥିବାର ଶୁଣିବାକୁ ମିଳିଛି। ସେହିପରି ସୁଳାପାଟ, କଙ୍କଡାଝରଣ ଓ ରାଙ୍ଗା ପାହାଡ ନିକଟରେ କିଛି ବଣୁଆ ହାତୀପଲ ଥିବାର ମଧ୍ୟ ସୂଚନା ମିଳିଛି। ଅନ୍ୟପକ୍ଷେ ବାଙ୍ଗିରିପୋଷି ବନବିଭାଗ ଅନ୍ତର୍ଗତ ନାଫ୍ରି ପଂଚାୟତର ନେତ୍ରାପାଟ ଜଙ୍ଗଲରେ କିଛି ବଣୁଆ ହାତୀପଲ ରହିଛନ୍ତି। ଫଳରେ ଏହାର ଆଖପାଖ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଥିବାର ଦେଖିବାକୁ ମିଳିଛି। ରାତି ମାଡି ଆସିଲେ ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଜମି ନିକଟକୁ ଓହ୍ଲାଇ ଆସୁଛନ୍ତି ପ୍ରାୟ ୨୪ରୁ ଅଧିକ ହାତୀ । ହାତୀପଲ ସହିତ ଛୁଆ ହାତୀ ଏବଂ ବଡ ଦନ୍ତା ଥିବାର ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ସୂଚନା ମିଳିଛି । ନିଆଁ ଲଗାଇ, ଟର୍ଚ୍ଚ ଜଳାଇ ପାଟି କରି ଘଉଡାଇବାକୁ ଚେଷ୍ଟା କଲେ ମଧ୍ୟ ସୁଫଳ ମିଳୁ ନାହିଁ ବୋଲି କୁହନ୍ତି ଗ୍ରାମବାସୀ। ସଂଧ୍ୟା ୬ ଟା ହେଲେ ହାତୀ ରଡିରେ ପ୍ରକମ୍ପିତ ହେଉଛି ଅଂଚଳ। ନିକଟସ୍ଥ ଗ୍ରାମବାସୀ ମାନେ ହାତୀ ଡରରେ ସଂଧ୍ୟାପରେ ଘରୁ ବାହାରିବା ବନ୍ଦ କରି ଦେଇଛନ୍ତି । ଖବର ପାଇ ବନ ବିଭାଗ ହାତୀ ଘଉଡାଇବା ପାଇଁ ଚେଷ୍ଟା କରୁ ଥିଲେ ମଧ୍ୟ ବୋଲ ମାନୁନାହିଁ ବଣୁଆ ହାତୀ । ନିଜ ପରିବାର ପେଟ ପୋଷିବା ପାଇଁ ବର୍ଷସାରା ଖରା ବର୍ଷାରେ ତିନ୍ତି ତିନ୍ତି ଜମିରେ ଚାଷ କଲେ ମଧ୍ୟ ହାତୀ ମାନଙ୍କ ପାଇଁ ପ୍ରତ୍ୟେକ ସବୁ ପରିଶ୍ରମ ବୃଥା ଯାଉଛି ବୋଲି ଦୁଃଖରେ କୁହନ୍ତି ସ୍ଥାନୀୟ ଚାଷୀ ।



