ଦିଲ୍ଲୀ-ଜୟପୁର ୪୮ ନମ୍ବର ଜାତୀୟ ରାଜପଥ ହରିୟାଣା-ରାଜସ୍ଥାନ ସୀମାର ରେୱାଡିସ୍ଥିତ ଖେଡ଼ା ସୀମାରେ ୧୫ ଦିନ ହେବ ପ୍ରବଳ ଥଣ୍ଡାରେ ଚାଷୀମାନେ ଆନ୍ଦୋଳନ ଚଳାଇଛନ୍ତି। କୃଷି ଆଇନ ବିରୋଧରେ ହଜାର ହଜାର ଚାଷୀ ଧାରଣାରେ ବସିଛନ୍ତି। ରାତିରେ ଶୀତକାକରରେ ପଡ଼ି ରହୁଛନ୍ତି। ସେହି ଚାଷୀମାନଙ୍କ ଭିତରେ ରହିଛନ୍ତି ପଞ୍ଜାବର କପୁରଥଲା ଅନ୍ତର୍ଗତ ମକସୁଦପୁର ନିବାସୀ ସର୍ଦାର୍ ସତନାମ ସିଂହ।
ଅନ୍ୟ ଚାଷୀଙ୍କ ସହିତ ସତ୍ନାମ ବି ଧାରଣାରେ ବସିରହିଛନ୍ତି। ଏହି ଆନ୍ଦୋଳନର ଦୃଶ୍ୟ ଟେଲିଭିଜନ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେଉଛି। ଆମେରିକାର ରହୁଥିବା ସତନାମଙ୍କ ଝିଅ ଟିଭିରୁ ତାଙ୍କ ବାପାଙ୍କୁ ଦେଖିବା ପରେ ତାଙ୍କ ପାଇଁ ଏବଂ ଆନ୍ଦୋଳନରେ ବସିଥିବା ଅନ୍ୟ ଚାଷୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଶୀତବସ୍ତ୍ର ପଠାଇଛନ୍ତି।
ରବିବାର ସତନାମ୍ ଆନ୍ଦୋଳନସ୍ଥଳରେ ବସିଥିବା ଚାଷୀମାନଙ୍କୁ ଶୀତବସ୍ତ୍ର ବାଣ୍ଟୁଥିବା ଦେଖିବାକୁ ମିଳିଥିଲା। ସତନାମକୁ ପଚାରିବାରୁ ସେ କହିଥିଲେ, ତାଙ୍କ ଦୁଇ ଝିଅ ଗୁରପ୍ରୀତ କୌର ଏବଂ ତଲବିନ୍ଦର କୌର ଆମେରିକାରେ ରହୁଛନ୍ତି। ସେମାନେ ଟିଭିରେ ମୋତେ ଥଣ୍ଡାରେ ରାସ୍ତା ଉପରେ ବସିଥିବା ଦେଖିବା ପରେ ୧୦ ଲକ୍ଷ ଟଙ୍କାର ଶୀତବସ୍ତ୍ର ପଠାଇଥିଲେ।
ସତନାମଙ୍କ କହିବା ଅନୁସାରେ, ତାଙ୍କ ଝିଅମାନେ କୁହନ୍ତି, ତାଙ୍କ ବାପାଙ୍କ ଚାଷ ଯୋଗୁ ହିଁ ଆଜି ସେମାନେ ଆମେରିକାରେ ରହୁଛନ୍ତି। ଆଜି ଯେତେବେଳେ ତାଙ୍କ ଚାଷୀ ବାପା ଅସୁବିଧାରେ ପଡ଼ିଛନ୍ତି, ସେତେବେଳେ ତାଙ୍କୁ ସହଯୋଗ କରିବା ସେମାନଙ୍କ କର୍ତ୍ତବ୍ୟ। ଝିଅମାନେ ପଠାଇଥିବା ଟ୍ରକ ଭର୍ତ୍ତି ଶୀତବସ୍ତ୍ରକୁ ସତନାମ ସମସ୍ତ କୃଷକଙ୍କ ମଧ୍ୟରେ ବାଣ୍ଟି ଦେଇଛନ୍ତି। ପଳରେ ଚାଷର ସୁରକ୍ଷା ପାଇଁ ଶୀତକାକରରେ ଧାରଣାରେ ବସିଥିବା ଚାଷୀମାନେ ସୁରକ୍ଷିତ ରହିପାରିବେ।
ସତନାମ କୁହନ୍ତି, ଚାଷରୁ ଯେଉଁ ରୋଜଗାର ହୁଏ ସେଥିରେ ଝିଅମାନଙ୍କୁ ପଢ଼ାଇ ଆମେରିକା ପଠାଇଥିଲି। ସେମାନେ ଆଜି ସେଠାରେ ଭଲରେ ଅଛନ୍ତି। ଚାଷୀମାନଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଝିଅମାନେ ପ୍ରସ୍ତୁତ ଥିବା କହିଛନ୍ତି।



