କ୍ଷତିପୂରଣ ପାଇବା ଦାବିରେ ଚାଷୀଙ୍କ ଆମରଣ ଅନଶନ

ବେଗୁନିଆ : ସରକାରୀ ସହାୟତା ହେଉ କିମ୍ବା ବିଭିନ୍ନ କାର୍ଯ୍ୟ ନେଇ ହେଉ ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଚାଷୀ ମାନଙ୍କଠାରୁ ଆରମ୍ଭ କରି ଜନସାଧାରଣ କିପରି ହଇରାଣ ହରକତ ହୁଅନ୍ତି ତାହା କାହାକୁ ଅଛପା ନାହିଁ। ପ୍ରଶାସନିକ ଅଧିକାରୀମାନେ ଏହା ଜାଣିଥିଲେ ମଧ୍ୟ ଚୁପ ରହିବା ପାଇଁ ବାଧ୍ୟ ହୋଇଥାନ୍ତି । ସରକାର ଚାଷୀ ମାନଙ୍କ ପାଇଁ ଯୋଗାଇ ଦେଉଥିବା ସହାୟତା ରାଶି ଠାରୁ ଆରମ୍ଭ କରି ଫନିରେ କ୍ଷତିଗ୍ରସ୍ତ ଘରଭଙ୍ଗା ସାହାଯ୍ୟ ଏବଂ ବର୍ଷାରେ କ୍ଷତିଗ୍ରସ୍ତ କ୍ଷତିପୂରଣ ଏବଂ ଶସ୍ୟବିମା ନ ପାଇ ଚାଷୀମାନେ କିପରି ତହସିଲ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ସେ ସଂକ୍ରାନ୍ତରେ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି । ବେଗୁନିଆ ବ୍ଲକ କୁଂଜୁରୀ ପଂଚାୟତ ଅନ୍ତର୍ଗତ ମଶାଣିଆ ଗ୍ରାମର ଜୟକୃଷ୍ଣ ସାହୁ ଜଣେ ଅଭାବୀ ଗରିବ ଚାଷୀ । ୨୦୧୯ ମସିହା ଅକ୍ଟୋବର ୨୩ ରୁ ୨୫ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ହୋଇଥିବା ଲଘୁଚାପଜନିତ ଲଗାଣ ବର୍ଷାରେ ତାଙ୍କର ଏକ ଏକର ଧାନଚାଷ ନଷ୍ଟ ହୋଇଯାଇଥିଲା । କୃଷି ଏବଂ ରାଜସ୍ବ ବିଭାଗ ମିଳିତ ଉଦ୍ୟମରେ କ୍ଷୟକ୍ଷତିର ତଦନ୍ତ କରାଯାଇ ୨୭୨୦ଟଙ୍କା ଇନପୁଟ ସବସିଡ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ ଇତିମଧ୍ୟରେ ଏକ ବର୍ଷ ଅତିକ୍ରମ ହୋଇଥିଲେ ମଧ୍ୟ ସେ କ୍ଷତିପୂରଣ ଅର୍ଥରାଶି ପାଇବାରେ ସମର୍ଥ ହୋଇପାରିଲେ ନାହିଁ । ପରନ୍ତୁ କାର୍ଯ୍ୟାଳୟର ବଡ ବାବୁ କୁଆଡେ ତାଙ୍କୁ ବିଭିନ୍ନ କଥା କହି ବାରମ୍ବାର ତାଙ୍କୁ କାର୍ଯ୍ୟାଳୟକୁ ଦଉଡାଉଥିବାରୁ ସେ ଖୁବ୍ଧ ହୋଇ ଆସନ୍ତା ୧୬/୧୨/୨୦ତାରିଖରେ ତହସିଲ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବେ ବୋଲି ସେ ତହସିଲଦାର, ମୁଖ୍ୟମନ୍ତ୍ରୀ ,ଏସ ଆର ସି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଜଣକ୍ଷଇଛନ୍ତି । ଅନ୍ୟ ଏକ ଘଟଣାରେ ସଂପୃକ୍ତ ପଞ୍ଚକ୍ଷୟତର ବାଲିପାଟଣା ଗ୍ରାମର ଶ୍ୟାମସୁନ୍ଦର ପୃଷ୍ଟି ୨୦୧୯ ମସିହା ମେ ୩ ତାରିଖରେ ଘଟି ଯାଇଥିବା ଫନି ବାତ୍ୟାରେ ତାଙ୍କର ଘର ଖଣ୍ଡିକ ଭାଙ୍ଗି ଯାଇଥିବାବେଳେ ବିଭାଗୀୟ କର୍ମଚାରିମାନଙ୍କ ଦ୍ୱାରା ସରଜମିନ ତଦନ୍ତ କରାଯାଇ ୩୨୦୦ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । କିନ୍ତୁ କର୍ମଚାରୀମାନଙ୍କର ଭୁଲ ଏବଂ ଅବହେଳା ଯୋଗୁଁ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ନଯାଇ ପରିବାରୁ ବ୍ୟାଙ୍କ ତହସିଲ କାର୍ଯ୍ୟାଳୟକୁ ଫେରାଇ ଦେଇଛି । କେବଳ ତାଙ୍କର ନୁହେଁ କର୍ମଚାରୀମାନଙ୍କର ଭୁଲ ଯୋଗୁଁ ପ୍ରାୟ ୨ ଶହ ରୁ ୩ ଶହହିତାଧିକାରୀଙ୍କ ଟଙ୍କା ବ୍ୟାଙ୍କରୁ ଫେରିଆସି ତହସିଲ କାର୍ଯ୍ୟାଳୟରେ ପଡିରହିଛି । ଇତି ମଧ୍ୟରେ ୧୭ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ହିତାଧିକାରୀ ମାନେ ସମୁଦ୍ରକୁ ଶଙ୍ଖେ ସଦୃଶ ମିଳିଥିବା ସରକାରୀ ସାହାଯ୍ୟକୁ ଚାହିଁ ବସିଛନ୍ତି । ତହସିଲ କାର୍ଯ୍ୟାଳୟ ତରଫରୁ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାବେଳେ ନୂତନ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ଏଠାରେ ଯୋଗ ଦେବା ପରେ ହିତାଧିକାରୀମାନେ କିପରି ଶୀଘ୍ର ସେମାନଙ୍କର ସହାୟତା ରାଶି ପାଇବେ ସେଥିପାଇଁ ପଦକ୍ଷେପ ନେଇଥିବାର ଜଣାପଡିଛି । କିନ୍ତୁ ଶ୍ରୀ ପୃଷ୍ଟି ଗତ ନଭେମ୍ବର ୧୨ତାରିଖରୁ ତହସିଲଦାର, ମୁଖ୍ୟମନ୍ତ୍ରୀ, ଏସଆରସି ଏବଂ ଜିଲ୍ଲାପାଳଙ୍କୁ ଏକ ମାସ ମଧ୍ୟରେ ତାଙ୍କର ସରକାରୀ ସାହାଯ୍ୟ ନ ମିଳିଲେ ସେ ଆସନ୍ତା୧୬/୧୨/୨୦ରିଖରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଲିଖିତ ଆକାରରେ ଜଣାଇଛନ୍ତି । ସେହିପରି ବାଘମାରୀ ବରସକ୍ଷହି ଗ୍ରାମର ରଘୁନାଥ ବେହେରାଙ୍କ ସମେତ ୨୩ଜଣ ଚାଷୀ ଚଳିତ ବନ୍ୟାରେ ସେମାନଙ୍କର ଏକର ଏକର ଧାନଚାଷ ନଷ୍ଟ ହେବା ପରେ ରବି ଫସଲ ବିରି, ମୁଗ ଆଦି ଚାଷ କରିଥିଲେ । କିନ୍ତୁ ସେଗୁଡିକରେ ପୋଲଖନା ପୋକ ଲାଗିଯିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଏସମ୍ପର୍କରେ ସମ୍ପୃକ୍ତ ଚାଷୀମାନେ ବାରମ୍ବାର ବେଗୁନିଆ ବିଏମ୍‌ଓ ଏବଂ ସିଡିଏମ୍‌ଓ ଖୋର୍ଦ୍ଧାଙ୍କୁ ଜଣାଇଥିଲେ ମଧ୍ୟ ତଦନ୍ତ କରା ନ ଯାଇ ଔଷଧ ସେମାନଙ୍କ ପାଖରେ ନାହିଁ ବୋଲି ରୋକ ଠୋକ ମନା କରାଯାଇଥିଲା । ସରକାର ଚାଷୀମାନଙ୍କ ପାଇଁ ମାଗଣାରେ ଔଷଧ ଯୋଗାଇ ଦେଉଥିବାବେଳେ ଏଠାରେ ସମ୍ପୃକ୍ତ କାର୍ଯ୍ୟାଳୟରେ ଯେଉଁ ଔଷଧ ଲେଖା ଯାଉଛି ତାହା ସହଜରେ କେଉଁଠାରେ ମିଳୁନାହିଁ । ଚାଷୀମାନେ ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ନଭେମ୍ବର ୧୬ତାରିଖରେ ଲିଖିତ ଆକାରରେ ଜଣାଇଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

Comments are closed.