www.samajalive.in
Thursday, December 11, 2025
18.1 C
Bhubaneswar

ଶ୍ରୀକ୍ଷେତ୍ର ପୁଲିସ ଛାଉଣି

ପୁରୀ : ଶେଷ ​ହୋଇଛି ରଥ ନିର୍ମାଣ। ଶନିବାର ରଥରେ କନା ପକାଯିବା ସହ ପିତ୍ତଳସାଜ ଲଗାଯାଇଛି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିଛି ତିନିରଥ। ରବିବାର ରଥ ଆଜ୍ଞାମାଳ ବିଜେ କରିବ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖକୁ ଯିବେ ତାଳଧ୍ବଜ, ନନ୍ଦିଘୋଷ ଏବଂ ଦେବଦଳନ। ରଥ ଗୁଡିକୁ ଆକର୍ଷଣୀୟ ଫୁଲରେ ସଜାଯିବ। ସୋମବାର ଆଷାଢ ଶୁକ୍ଳ ଦ୍ବିତୀୟା ତିଥିରେ ରଥରେ ବସି ଘୋଷଯାତ୍ରା କରିବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରକାର ପ୍ରସ୍ତୁତି। ଦୁଇଦିନ ଧରି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଉଭାଯାତ୍ରା। ନବଦିନ ବ୍ୟାପୀ ଘୋଷଯାତ୍ରା ପାଇଁ ଦାରୁବ୍ରହ୍ମଙ୍କୁ ପ୍ରସ୍ତୁତ କରାଯାଉଛି।
ସୋମବାର ସକାଳ ୮ଟା ୩୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ଦିନ ୧୧ଟା ୩୦ ସୁଦ୍ଧା ଶେଷହେବ। ଏହା ପରେ ରଥରେ ବିଜେ କରିବେ ମଦନମୋହନ। ଶ୍ରୀଜୀଉଙ୍କୁ ଚିତାଲାଗି ଏବଂ ବେଶ କରାଯିବ। ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଦିନ ୧୨ଟା ୪୫ରୁ ୨ଟା ମଧ୍ୟରେ ରଥ ଉପରେ ଛେରାପହଁରା କରିବେ। ଅପରାହ୍ଣ ୩ଟାରୁ
ରଥଟଣା ଆରମ୍ଭ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ରାଜ୍ୟ ସରକାର।
ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁଲିସ ଛାଉଣିରେ ପରିଣତ ହୋଇଛି ସମଗ୍ର ପୁରୀ ସହର। ୬୫ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସବୁ ସାହିଗଳି ପ୍ରବେଶ ପଥରେ କାଠ ବ୍ୟାରିକେଡ୍‌ କରାଯାଇଛି। ଶ୍ରୀଗୁଣ୍ଡିଚା ଯାତ୍ରା ଦିନ କୌଣସି ଅନଧିକୃତ ବ୍ୟକ୍ତିଙ୍କୁ ବଡ଼ଦାଣ୍ଡକୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ। ପୁରୀ-ଭୁବନେଶ୍ବର, ପୁରୀ-କୋଣାର୍କ ଏବଂ ପୁରୀ-ସାତପଡା ରାଜପଥ ସିଲ୍‌ କରାଯିବ। ବସ୍‌ ଏବଂ ରେଳଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ବଡ଼ଦାଣ୍ଡ ଦୁଇପାର୍ଶ୍ବରେ ଥିବା ହୋଟେଲ, ଲଜିଂ, ଧର୍ମଶାଳା ଏବଂ ହଲିଡେ ହୋମ୍‌ ଗୁଡିକୁ ତନଖି କରୁଛି ପୁଲିସ। ପୁରୀ ସହରକୁ ୧୨ଟି ଜୋନ୍‌ କରାଯିବା ସହ ବିଭିନ୍ନ ସ୍ଥାନରେ କ୍ଲୋଜ ସର୍କିଟ କ୍ୟାମେରା ଲଗାଯାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧାନୀ କୁକୁର ଏବଂ ମେଟାଲ ଡିଟେକ୍ଟର ସମେତ ଗୁଇନ୍ଦା ବାହିନୀ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଯାଞ୍ଚ କରାଯାଉଛି।
ଶ୍ରୀମନ୍ଦିର ସେବାୟତ, ଦାୟିତ୍ବରେ ଥିବା ଅଧିକାରୀ, କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ କରୋନା ପରୀକ୍ଷା ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି। ତାହାକୁ ଭିତ୍ତିକରି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲା ପ୍ରଶାସନ ପକ୍ଷରୁ ଅନୁମତିପତ୍ର ବଣ୍ଟନ କରାଯାଉଛି। ସେଥିରୁ କରୋନାରେ ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କୁ ରଥଯାତ୍ରାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଉଛି। କରୋନା କଟକଣା ସହ ବିନାଭକ୍ତରେ ଚଳିତବର୍ଷ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ବ୍ୟବସ୍ଥାବଳୀ ପ୍ରସ୍ତୁତ କରିଛି ମନ୍ଦିର ପ୍ରଶାସନ। ତିନିରଥ ପାଇଁ ନିର୍ଦେଶକ ଓ ବୈଷୟିକ ଦଳ ଗଠନ କରାଯାଇଛି। କେଉଁ ରଥରେ କେତେଜଣ ଦଇତାପତି ଏବଂ ଘଣ୍ଟୁଆ ସେବକ ରହିବେ ତାହାର ତାଲିକା ପ୍ରସ୍ତୁତ କରିଛି ପ୍ରଶାସନ।
ଶ୍ରୀଗୁଣ୍ଡିଚା ପାଇଁ ରବିବାର ରାତି ୮ଟାରୁ ମଙ୍ଗଳବାର ରାତି ୮ଟା ପର୍ଯ୍ୟନ୍ତ ପୁରୀ ସହରରେ ସାନ୍ଧ୍ୟଆଇନ ଜାରି କରାଯିବ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏଥିପାଇଁ ନିର୍ଦେଶନାମା ପ୍ରକାଶ ପାଇଛି। ଏହାଛଡା ହୋଟେଲ, ଲଜିଂ, ଧର୍ମଶାଳା, ଯାତ୍ରୀବସା ସମେତ ବ୍ୟାବସାୟିକ ପ୍ରତିଷ୍ଠାନ ଏବଂ ସବୁପ୍ରକାର ଗାଡି ଚଳାଚଳ ବନ୍ଦପାଇଁ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ରଥଯାତ୍ରା ଏବଂ ଜରୁରୀକାଳୀନ ସେବାସହ ସଂପୃକ୍ତ ଗାଡି ଚଳାଚଳ ପାଇଁ ଅନୁମତି ଦିଆଯାଉଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories