www.samajalive.in
Monday, December 15, 2025
26.1 C
Bhubaneswar

ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଜିଲାପାଳଙ୍କୁ ଏସଆରସିଙ୍କ ନିର୍ଦେଶ

ଭୁବନେଶ୍ବର : ଗୁରୁବାର ଅବପାତର ରୂପ ନେଇଛି ଲଘୁଚାପ କ୍ଷେତ୍ର । ଶୁକ୍ରବାର ନେଇପାରେ ସାମୁଦ୍ରିକ ବାତ୍ୟାର ରୂପ। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସ୍ବତନ୍ତ୍ର ରିଲିଫ୍ ଆୟୁକ୍ତ (ଏସଆରସି) ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ୧୪ ଉପକୂଳବର୍ତ୍ତୀ ଜିଲା ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ମତ୍ସ୍ୟ ସମ୍ପଦ ଓ କୃଷି ବିଭାଗକୁ ସତର୍କ କରାଯାଇଛି। ୨ ତାରିଖ ସୁଦ୍ଧା ସମସ୍ତ ମତ୍ସ୍ୟଜୀବୀ ସମୁଦ୍ରରୁ ଫେରି ଆସିଛନ୍ତି। ଚିଲିକାରେ କିଛି ମତ୍ସ୍ୟଜୀବୀ ରହିଛନ୍ତି। ସେମାନଙ୍କୁ କୂଳକୁ ଆଣିବାକୁ ଚେଷ୍ଟା କରାଯାଉଛି । ୩ରୁ ୫ ତାରିଖ ଯାଏଁ ଚିଲିକା ଏବଂ ସମୁଦ୍ରରେ ମାଛମରାକୁ ବନ୍ଦ କରାଯାଇଛି ।
ପ୍ରବଳ ବର୍ଷା ଓ ପବନ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ହୋଇପାରେ। ଏଥିପାଇଁ ଜିଲାସ୍ତରରେ ଡାକବାଜି ଯନ୍ତ୍ର ଦ୍ବାରା ଚାଷୀ ଫସଲ ଅମଳ ପାଇଁ ପ୍ରଚାର କରାଯାଇଛି। ଦକ୍ଷିଣ ଉପକୂଳ ଜିଲାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ଓଡ୍ରାଫର ୬୦ ଦଳ, ଏନଡିଆରଏଫର ୩୪ ଦଳ, ଅଗ୍ନିଶମ ବାହିନୀର ୧୭୨ ଦଳକୁ ମିଶାଇ ସର୍ବମୋଟ ୨୬୬ ଦଳ ଗଠନ କରାଯାଇଛି। ଏବେ ସୁଦ୍ଧା ୨୨୫ ଦଳ ମୁତୟନ କରାଯାଇଛି। ଗଞ୍ଜାମରେ ଓଡ୍ରାଫର ୯, ଏନଡିଆରଏଫର ୬, ଅଗ୍ନିଶମ ୩୦ ଦଳକୁ ମିଶାଇ ମୋଟ ୪୫ ଦଳ ମୁତୟନ କରାଯାଇଛି । ସେହିଭଳି ଗଜପତି ଜିଲାରେ ଓଡ୍ରାଫର ୬, ଏନଡିଆରଏଫର ୨, ଅଗ୍ନିଶମ ବାହିନୀର ୧୦ ଦଳକୁ ମିଶାଇ ମୋଟ ୧୮ଟି ଦଳ ନିୟୋଜିତ ହୋଇଛନ୍ତି। ପୁରୀରେ ଓଡ୍ରାଫର ୩, ଏନଡିଆରଏଫର ୨ ଏବଂ ଅଗ୍ନିଶମ ବାହିନୀର ୧୮ ଦଳକୁ ମିଶାଇ ମୋଟ ୨୩ ଦଳ ପହଞ୍ଚିଛନ୍ତି। ଖୋର୍ଦ୍ଧାରେ ଓଡ୍ରାଫର ୨୧ଟି ଦଳ, କଟକରେ ୧୯ଟି ଅଗ୍ନିଶମ ବାହିନୀ ଦଳ ନିୟୋଜିତ ହୋଇଛନ୍ତି। ଜଗତସିଂହପୁରରେ ୧୯, କେନ୍ଦ୍ରାପଡ଼ାରେ ୧୯, ଯାଜପୁରରେ ୧୬, ଭଦ୍ରକରେ ୧୭, ବାଲେଶ୍ୱରରେ ୧୭ଟି ଅଗ୍ନିଶମ ଦଳ ନିୟୋଜନ କରାଯାଇଛି। ୫୧ ଦଳ ଜରୁରୀକାଳୀନ ଭିତ୍ତିରେ (ଷ୍ଟାଣ୍ଡବାଏ) ମୁତୟନ କରାଯିବ।
ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିବ । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ଲାଗି ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସମୁଦ୍ରରେ ଉଚ୍ଚ ଜୁଆରକୁ ଲକ୍ଷ୍ୟରେ ରଖି ଲୋକଙ୍କୁ ସ୍ଥାନାନ୍ତର କରାଯିବ। ବାତ୍ୟା ଆଶ୍ରୟସ୍ଥଳୀରେ ତୁଣ୍ଡି ଓ ବିଶୋଧିନ ବ୍ୟବସ୍ଥା ରହିବ। ଛୋଟ ଛୁଆଙ୍କୁ ଶିଶୁ ଖାଦ୍ୟ ଦିଆଯିବ। ଏନେଇ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇ ଥିବା କହିଛନ୍ତି ଏସଆରସି। କୌଣସି ନେଟୱର୍କ ସମସ୍ୟା ରହିବ ନାହିଁ। ଗୋଟିଏ ଟାୱାର କ୍ଷତିଗ୍ରସ୍ତ ହେଲେ କମ୍ପାନୀ ଟାୱାର ଯୋଗାଇ ଦେବ। ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ସ୍ଥାନାନ୍ତରଣରେ ପ୍ରାଥମିକତା ଦିଆଯିବ। ଡିସେମ୍ବର ୧୦ ସୁଦ୍ଧା ଗର୍ଭପାତ ତାରିଖ ଥିବା ପ୍ରସୂତିଙ୍କୁ ମଧ୍ୟ ଡାକ୍ତରଖାନା ନେବା ପାଇଁ ବ୍ୟବସ୍ଥା କରାଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ମଣ୍ଡିରେ ଧାନ ଓ ଅନ୍ୟାନ୍ୟ ଶସ୍ୟ ଯେପରି ନଷ୍ଟ ନହୁଏ ସେଥିପାଇଁ ଆବଶ୍ୟକୀୟ ପଦ‌କ୍ଷେପ ନେବାପାଇଁ ନିର୍ଦେଶ ଦିଆଯାଇଛି। ଜିଲାପାଳ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗକୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ରହିଛି ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories