ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ଆଜି

ଲଣ୍ଡନ୍‌ : ଘରୋଇ ଇଂଲଣ୍ଡ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବା ପରେ ଏବେ ଭାରତୀୟ ଦଳର ନଜର ୩ ମ୍ୟାଚ୍‌ର ଦିନିକିଆ ଶୃଙ୍ଖଳା ଉପରେ। ମଙ୍ଗଳବାର ଓଭାଲ୍‌ ଗ୍ରାଉଣ୍ଡରେ ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଇଂଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ନିର୍ଭିକ ଓ ଆକ୍ରମଣାତ୍ମକ କ୍ରିକେଟ୍‌ ଖେଳି ସମସ୍ତଙ୍କୁ ଚକିତ କରିଥିଲା। ହେଲେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତର ଏହି ରଣନୀତି ସଫଳ ହୋଇଥିଲା ଏବଂ ଶୃଙ୍ଖଳା ଜିତାଇଥିଲା। ଏହା ସତ ଯେ ଟ୍ବେଣ୍ଟି୨୦ ପରି ଭାରତୀୟ ବ୍ୟାଟ୍‌ସମ୍ୟାନ ପ୍ରଥମ ବଲ୍‌ରୁ ବିସ୍ଫୋରକ ବ୍ୟାଟିଂ କରିବେନାହିଁ ସତ; ତେବେ ଆକ୍ରମଣାତ୍ମକ ବ୍ୟାଟିଂ ଜାରିରହିବ ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି। ପ୍ରକୃତରେ ଦିନିକିଆ କ୍ରିକେଟ୍‌ରେ ମଧ୍ୟ ଆକ୍ରମଣାତ୍ମକ ରଣନୀତି ଇଂଲଣ୍ଡ ଦଳ ହିଁ ଆରମ୍ଭ କରିଥିଲା; ଯାହା ଫଳରେ ଏହା ୨୦୧୯ ବିଶ୍ବକପ୍‌ ଚମ୍ପିଆନ୍ ହୋଇ ପାରିଥିଲା। ଇଂଲଣ୍ଡଠାରୁ ଭାରତ ଏହି ରଣନୀତି ଶିଖିଛି ବୋଲି କହିବା ଭୁଲ୍‌ ହେବନାହିଁ।
ସୂଚନାଯୋଗ୍ୟ; ଅଷ୍ଟ୍ରେଲିଆରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଏହା ଭାରତର ଅନ୍ତିମ ଦିନିକିଆ ଶୃଙ୍ଖଳା ହେବ। ୫୦ ଓଭରର ମୁକାବିଲା ହୋଇଥିଲେ ମଧ୍ୟ ଭାରତ ଏହି ଶୃଙ୍ଖଳାରେ ଆଦୌ ଢିଲାପଣ ଦେଖାଇବ ନାହିଁ। ଏହା ବିଷୟରେ ରୋହିତ କହିଛନ୍ତି, ଟ୍ବେଣ୍ଟି୨୦ ବିଶ୍ବକପ୍‌ ବର୍ଷରେ ଦିନିକିଆ ଆମର ପ୍ରାଥମିକତା ବୋଲି ଆମେ ଆଦୌ କହୁନାହୁଁ। ଆମ ପାଇଁ ସମସ୍ତ ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ହେଲେ ସମସ୍ତ ଖେଳାଳିଙ୍କୁ ଯଥେଷ୍ଟ ବିଶ୍ରାମ ମିଳୁ ବୋଲି ଆମେ ଯୋଜନା କରିଛୁ। ତେଣୁ ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ ହେବ। ଦଳରେ ଥିବା କିଛି ଖେଳାଳି କମ୍ ଦିନିକିଆ ମ୍ୟାଚ୍‌ ଖେଳିଥିବାରୁ ସେମାନଙ୍କୁ ୫୦ ଓଭରର ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ଦେବାକୁ ଆମେ ପ୍ରୟାସ କରିବୁ। କେବଳ ଦିନିକିଆ ଦଳରେ ସୁଯୋଗ ପାଉଥିବା ଶିଖର ଧାୱନ ଇଂଲଣ୍ଡ ବୋଲରଙ୍କ କିପରି ମୁକାବିଲା କରୁଛନ୍ତି; ତାହା ଦେଖିବାକୁ ବାକିରହିଲା। ହେଲେ ଦିନିକିଆ ହେଉ ବା ଆଇପିଏଲ୍‌; ଧାୱନ ନିୟମିତ ରନ୍‌ କରିବାରେ ଅଭ୍ୟସ୍ତ। ଟ୍ବେଣ୍ଟି୨୦ ଶୃଙ୍ଖଳାରେ ବିରାଟ କୋହଲି ଫର୍ମକୁ ଫେରନ୍ତୁ ବୋଲି କୋଟିକୋଟି କ୍ରିକେଟପ୍ରେମୀ ଆଶାବାନ୍ଧି ବସିଥିବା ବେଳେ ସେ ଦଳକୁ ନିରାଶ କରିଥିଲେ। ଆହତ ଥିବାରୁ କୋହଲି ପ୍ରଥମ ଦିନିକିଆ ଖେଳିବାର ସମ୍ଭାବନା କମ୍। ଇଓନ୍‌ ମୋର୍ଗାନ୍‌ଙ୍କ ଅବସର ପରେ ଏହି ଶୃଙ୍ଖଳାରେ ଜୋସ୍‌ ବଟ୍‌ଲର ପ୍ରଥମଥର ଇଂଲଣ୍ଡ ଦିନିକିଆ ଦଳର ନେତୃତ୍ବ ନେବେ। ଟ୍ବେଣ୍ଟି୨୦ ଶୃଙ୍ଖଳାର ନିରାଶା ପରେ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରିବାର ପ୍ରୟାସ କରିବ ବିଶ୍ବ ଚମ୍ପିଆନ୍‌ ଇଂଲଣ୍ଡ। ଏହା ମଧ୍ୟ ଆକ୍ରମଣାତ୍ମକ ବ୍ୟାଟିଂ ଜରିଆରେ ଭାରତକୁ ଚାପରେ ପକାଇବାକୁ ପ୍ରୟାସ କରିବ। ଦଳକୁ ଜୋ ରୁଟ୍‌, ବେନ୍‌ ଷ୍ଟୋକ୍‌ସ ଓ ଜନି ବେୟାରଷ୍ଟୋ ଫେରିବା ଯୋଗୁଁ ଏହାର ବ୍ୟାଟିଂ ଶକ୍ତିରେ ବହୁତ ବୃଦ୍ଧିଘଟିଛି। ହେଲେ ବୋଲିଂ ହେଉଛି ଇଂଲଣ୍ଡର ସମସ୍ୟା। ପେସ୍ ବୋଲର ଭାବେ ରିସ୍ ଟପ୍‌ଲି, ଡେଭିଡ୍‌ ୱିଲି ଓ କ୍ରେଗ୍‌ ଓଭର୍‌ଟନ ଖେଳିପାରନ୍ତି। ଚମତ୍କାର ଫର୍ମରେ ଥିବା ବେୟାରଷ୍ଟୋ ଓ ରୁଟ୍‌ଙ୍କ ପ୍ରତି ଭାରତକୁ ସତର୍କ ରହିବାକୁ ପଡ଼ିବ। ବ୍ୟାଟିଂ ପରି ଭାରତର ବୋଲିଂ ମଧ୍ୟ ଶକ୍ତିଶାଳୀ ରହିଛି। ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି ଓ ସାର୍ଦୁଳ ଠାକୁର ପ୍ରଥମ ପସନ୍ଦର ପେସ୍ ବୋଲର ଭାବେ ଖେଳିପାରନ୍ତି। ଦୁଇ ସ୍ପିନର ଭାବେ ରବୀନ୍ଦ୍ର ଜାଡ଼େଜା ଓ ୟୁଜବେନ୍ଦ୍ର ଚହଲ ଖେଳିବେ।
 ଖେଳି ନପାରନ୍ତି କୋହଲି
ଲଣ୍ଡନ୍‌ : ଘରୋଇ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ତାରକା ଭାରତୀୟ ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲିଙ୍କ ଖେଳିବା ନେଇ ସନ୍ଦେହ ରହିଛି। ରବିବାର ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳିବା ବେଳେ କୋହଲିଙ୍କ ଜଙ୍ଘରେ ଆଘାତ ଲାଗିଥିଲା। ସୋମବାର ଭାରତୀୟ ଖେଳାଳି ବର୍ମିଂହାମ୍‌ରୁ ବସ୍‌ରେ ଲଣ୍ଡନ୍ ଯାଇଥିବା ବେଳେ କୋହଲି ଯାଇନଥିଲେ। ତେଣୁ ତାଙ୍କୁ ପ୍ରଥମ ଦିନିିକିଆରେ ବିଶ୍ରାମ ମିଳିବ ବୋଲି ଦଳ ସୂତ୍ରରୁ ପ୍ରକାଶ। ୩ ବର୍ଷ ହେଲା ଆନ୍ତର୍ଜାତିକ ଶତକ ମାରିନଥିବା କୋହଲିଙ୍କ ବ୍ୟାଟିଂ ଫର୍ମକୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ତାଙ୍କୁ ଦଳରୁ ବାଦ୍‌ ଦିଆଯାଉ ବୋଲି କ୍ରିକେଟ୍‌ ବିଶେଷଜ୍ଞ କହୁଥିବା ବେଳେ ସେମାନଙ୍କୁ ସମାଲୋଚନା କରି କୋହଲିଙ୍କ ସପକ୍ଷରେ ବାହାରିଛନ୍ତି ଅଧିନାୟକ ରୋହିତ ଶର୍ମା।

kalyan agarbati

Comments are closed.