ଭୁବନେଶ୍ଵର: ଗତ ଫେବୃୟାରୀ ୨ ତାରିଖରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଟୁଲୁ ରାସ୍ତାରେ ୧୧ କେଭି ବିଦ୍ୟୁତ ତାର ଲାଗି ବସ୍ ଜଳିଯିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ଶକ୍ତି ବିଭାଗକୁ ଦାୟୀ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ଘଟଣାସ୍ଥଳକୁ ଦେଖିଲେ ଏହି ଘଟଣା ପାଇଁ ଶକ୍ତି ବିଭାଗ ଦାୟୀ ବୋଲି ମନ୍ତ୍ରୀ କହିଛନ୍ତି। ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ମିଳିବା ପରେ ପ୍ରକୃତ ଦୋଷୀ କିଏ ତାହା ଜଣାପଡ଼ିବ ବୋଲି ମନ୍ତ୍ରୀ ବେହେରା ଗଣମାଧ୍ୟମକୁ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨ ତାରିଖରେ ଟୁଲୁ ରାସ୍ତାରେ ବିଦ୍ୟୁତ ତାର ଲାଗି ଏକ ବସ୍ ଜଳି ଯାଇଥିଲା। ବସରେ ପ୍ରାୟ ୫୦ ଜଣ ଥିଲେ। ସେମାନେ ଏକ ନିର୍ବନ୍ଧ ଉତ୍ସବରେ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା। ଏଥିରେ ଅନ୍ୟ ୩୫ ଜଣ ଆହତ ହୋଇଥିଲେ।



