ହାତୀ ପାଇଁ କୃଷକ ସାଜିଛନ୍ତି ମୁଲିଆ
ଦୁଇ ପଞ୍ଚାୟର ୨ହଜାର ଏକର ଚାଷଜମି ଏବେ ପଡିଆ
ଗୁରୁଡିଝାଟିଆ : ନଦୀକୂଳ ଅଞ୍ଚଳର ଚାଷୀ ଏବେ ସାଜିଛନ୍ତି ମୁଲିଆ । ହାତୀପଲ ଫସଲ ଉଜାଡୁଥିବାରୁ ବର୍ଷବର୍ଷ ଧରି କରଜ ସୁଝି ନପାରି ବାଧ୍ୟ ହୋଇ ମହାନଦୀ କୂଳରେ ଅବସ୍ଥିତ ଜଳସେଚିତ ଚାଷଜମି ଏବେ ପଡିଆ ପଡିଛି । ଗୁଜୁରାଣ ମେଣ୍ଟାଇବା ପାଇଁ କିଏ ଯାଉଛି କଟକକୁ ବାଲିସିମେଣ୍ଟ କାମ କରିବାକୁ ତ କିଏ ପୁଣି କଳ କାରଖାନାରେ ଠିକା ଶ୍ରମିକ ସାଜିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳେ ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଓ ମଞ୍ଚେଶ୍ୱର ପଞ୍ଚାୟତରେ । କୃଷି ପାଇଁ ନଦୀକୂଳ ଅଞ୍ଚଳ ବେଶ ସମୃଦ୍ଧ। କେବଳ ଧାନଚାଷ କାହିଁକି ? ଭଳିକି ଭଳି ସବୁଜ ପନିପରିବା ଉପୁଜାଇ ନିଜର ଗୁଜୁରାଣ ମେଣ୍ଟାଇବା ସହିତ ବଳକା ପନିପରିବାକୁ ରପ୍ତାନୀ କରିଥାନ୍ତି । କିଏ ଆଳୁ ତ, କିଏ କାକୁଡି ପୁଣି କିଏ କଖାରୁ, ଜହ୍ନି, ବାଇଗଣ ଚାଷ କରିଥାଏ। ଏପରିକି ପାଣିର ସୁବିଧା ଥିବାରୁ କୃଷକମାନେ ଆଖୁଚାଷ ମଧ୍ୟ କରିଥାନ୍ତି । ଖରାଦିନେ ଡାଳୁଅ ଧାନ ଚାଷ କରି ସରକାରଙ୍କୁ ମଣ୍ଡିରେ ବିକ୍ରୟ କରିଥାନ୍ତି । ହେଲେ ହାତୀପଲ ଚନ୍ଦକାରୁ ଆସି ସୁବାସୀ ଓ ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ଆସ୍ତାନ ଜମାଇବା ପରେ କୃଷକଙ୍କ ଫସଲ କିଆରୀରେ ପଶି ମନଭରି ଖାଇବା ସହ ନଷ୍ଟ କରିଥାନ୍ତି । ହାତୀପଲଙ୍କ ପାଇଁ ଅନୁକୂଳ ପରିବେଶ,ଖାଦ୍ୟ ପାନୀୟଜଳ ରହିଥିବା ବେଳେ ବଂଶ ବିସ୍ତାର କରିବା ପାଇଁ ସୁନାମୁହିଁ ସଂରକ୍ଷିତ ଜଙ୍ଗଲ ରହିଛି । ଯେଉଁଠାରେ ହାତୀ ଛୁଆ ଜନ୍ମ ଦେଇଥାନ୍ତି । ଭୋକିଲା ହାତୀଙ୍କ ମୁହଁରେ ସବୁଜ ପନିପରିବା ଲାଗିବା ପରେ ସେମାନେ ସନ୍ଧ୍ୟା ପୂର୍ବରୁ ବିଭିନ୍ନ ଭାଗରେ ବିଭକ୍ତ ହୋଇ କୃଷିକ୍ଷେତ୍ରକୁ ଆସିଥାନ୍ତି । ମନଭରି ପନିପରିବା, ଆଖୁ ଓ ଧାନ ଖାଇବା ସହ ଉଜାଡି ନଷ୍ଟ କରନ୍ତି। ଦଳବଦ୍ଧ ହାତୀ ୧୮ରୁ ୨୦ଟି ବର୍ଷର ୯ମାସ ଧରି ଉପରୋକ୍ତ ପଞ୍ଚାୟର ଗାଁଗୁଡିକର ଚାଷକ୍ଷେତରେ ବାରମ୍ବାର ଉଜାଡିବା ଫଳରେ କୃଷକ ପରିବାର ମୁଣ୍ଡରେ ହାତ ଦେଇଛି।
ମଞ୍ଚେଶ୍ୱର ପଞ୍ଚାୟତର ବିଷ୍ଣୁପୁର, ବ୍ରାହ୍ମଣବସ୍ତ, କଖଡିର ରାଉଳି, ସାନକଖଡି, ବିଦ୍ୟାଧରପୁର, ମଞ୍ଚେଶ୍ୱର ପଞ୍ଚାୟତର ନୁଆଡିହ, ପ୍ରଶନ୍ନାପୁର, ଲିଙ୍ଗାପଦା, ମଞ୍ଚେଶ୍ୱର ଓ ପାଇକରାପୁର ଆଦି ଗାଁର ପ୍ରାୟ ୨ ହଜାରରୁ ଉର୍ଦ୍ଧ ଏକର ଚାଷଜମି ପଡିଆ ପଡିଛି । ୩ବର୍ଷ ପୂର୍ବକୁ ଫେରିଗଲେ ପନିପରିବା ଚାଷ ଓ ଧାନକ୍ଷେତରେ ଏ ଅଞ୍ଚଳର ଉଚ୍ଛୁଳି ପଡୁଥିଲା। ଆଜି ସେ ଜମି ଘାସ ଓ ବେଣାବାଡିରେ ପରିଣତ ହୋଇଛି । କୃଷକ ପରିବାର ମୁଣ୍ଡରେ ହାତ ଦେଇ ବସିଛି । ବାଧ୍ୟ ହୋଇ କଟକରେ ବାଲି ସିମେଣ୍ଟ ମୁଲିଆ ହେବା ସହ ଆଉ କେତେକ ବିଭିନ୍ନ କଳକାରଖାନାରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଯାହାକି କୃଷିପାଇଁ ଏକ ଅଶୁଭ ସଂକେତ । ଏହାଦ୍ୱାରା ଖାଦ୍ୟଶସ୍ୟ ନିଅଣ୍ଟ ହେବା ସହ ପନିପରିବାର ଅଧିକ ଉତ୍ପାଦନ ନହେବା ଫଳରେ ଦରବୃଦ୍ଧି ଆକାଶ ଛୁଆଁ ହେବ । ବନବିଭାଗ କେତେବେଳେ ସୌର ତାରବାଡ ଦେଉଛି ତ ପୁଣି କେତେବେଳେ ହାତୀ ନଆସିବା ପାଇଁ ପରିଖା ଖୋଳୁଛି । ହେଲେ ଭୋକିଲା ହାତୀଙ୍କୁ ଏହା କାମରେ ଲାଗୁନାହିଁ । ହାତୀ ଜଗୁଆଳିମାନେ ଜଗୁଥିଲେ ମଧ୍ୟ ତାହା କେବଳ ଉପର ଠଉଣିଆ । ବିଭାଗର ଦୂରଦୃଷ୍ଟି, ସୁଚିନ୍ତିତ ଯୋଜନାମୂଳକ ପଦକ୍ଷେପ ନରହିବା, ଜଙ୍ଗଲରେ ବ୍ୟାପକ ପରିମାଣର ଖାଦ୍ୟ ଶସ୍ୟ ନରହିବା, ଶାଳେଇ ବାଉଁଶ ଓ ଫଳଜାତୀୟ ଗଛ ସୃଷ୍ଟି ନକରିବା ପାଇଁ ହାତୀ ଫସଲ ମୁହାଁ ହେଉଛନ୍ତି । ବନ ବିଭାଗ ପକ୍ଷରୁ ଯଦି କୃଷକମାନଙ୍କୁ ଅନୁଧ୍ୟାନ ପୂର୍ବକ ସହାୟତା ପ୍ରଦାନ କରାଯାଇ ହାତୀଙ୍କ ମୁହଁରୁ ଫସଲ ରକ୍ଷା ଓ ହାତୀ ଉଜାଡୁ ନଥିବା ଫସଲ ଚାଷ ନିମନ୍ତେ ପ୍ରୋତ୍ସାହନ କରିବା ଆବଶ୍ୟକତା ରହିଛି । ଏ ସଂପର୍କରେ କୃଷକ ଶରତ ଚନ୍ଦ୍ର ମହାନ୍ତି (କଖଡି) କହିଥିଲେ- ବନବିଭାଗ ହାତୀ କବଳରୁ ଫସଲ ରକ୍ଷା ପାଇଁ ଯୋଜନାବଦ୍ଧ ଭାବରେ ପଦକ୍ଷେପ ନେଉନାହାନ୍ତି ଏବଂ ଫସଲ ହାନୀ ବାବଦ ସହାୟତା ରାଶି ତ୍ୱରିତ ଓ ଆବଶ୍ୟକ ମୁତାବକ ପ୍ରଦାନ ନକରିବା ଯୋଗୁଁ ହଜାର ହାଜର ଏକର ଚାଷଜମି ଏବେ ପଡିଆ ପଡିଛି।
କୃଷକ କାର୍ତ୍ତିକ ଚନ୍ଦ୍ର ଖଟୁଆ, ନାରଙ୍ଗବସ୍ତ- ହାତୀ ସହିତ ବାରାହା, ମିରିଗ ଆମ ଜୀବନ ଜୀବିକାକୁ ଉଜାଡି ଦେଲେ। ବନ ବିଭାଗ କୃଷକଙ୍କ ପ୍ରତି ଆଖି ବୁଜିଦେଇଛି।ବର୍ଷ ବର୍ଷ ଧରି କୃଷିକ୍ଷେତକୁ ବନ୍ୟପ୍ରାଣିମାନେ ଉଜାଡି ଥିବାରୁ ଆଉ କେତେବର୍ଷ କରଜ କରି ଚାଷ କରିବୁ। ସେଥିପାଇଁ ବାଧ୍ୟ ହୋଇ ଜମି ପଡିଆ ପକାଇଛୁ । ଏଥିପ୍ରତି ରାଜ୍ୟ ସରକାର ଓ ବନବିଭାଗ ପଦକ୍ଷେପ ନେବା ଜୁରୁରୀ।
କୃଷକ ବଂଶୀଧର ବେହେରା,ଲିଙ୍ଗାପଦା- ଆଉ କେତେଦିନ ଧରି ଜୀବନକୁ ବିପନ୍ନ କରି ବନ୍ୟପ୍ରାଣୀ କବଳରୁ ଫସଲକୁ ରକ୍ଷା କରିବୁ। ସବୁଜ ପନିପରିବା ହାତୀ ମୁହଁରେ ଗଲା। ଧାନକୁ ହାତୀ ସହିତ ବାରାହା ଓ ମିରିଗ ଖାଇଗଲେ। ହାତୀ ଖାଇସାରିବା ପରେ ବନ ବିଭାଗ ଆସି ପହଞ୍ôଚବେ ଏବଂ କ୍ଷୟକ୍ଷତି ମଧ୍ୟ ଠିକଣା ସମୟରେ ମିଳିବ ନାହିଁ। ଏଭଳି ସ୍ଥିତିରେ ଆମମାନଙ୍କ ପାଇଁ ଭଗବାନ ହିଁ ଭରସା। ବାଧ୍ୟ ହୋଇ ଚାଷଜମି ପଡିଆ ପକାଇଛୁ।
ନୀଳମାଧବ ସାହୁ ବନାଞ୍ଚଳ ଅଧିକାରୀ, ଖୁଣ୍ଟୁଣୀ-ଫସଲମୁହାଁ ହାତୀପଲଙ୍କୁ ଜଙ୍ଗଲ ଭିତରେ ରଖିବା ନିମନ୍ତେ ପରିଖା ଖୋଳା ଚାଲିଛି । ଏହାଦ୍ୱାରା ଅନେକାଂଶରେ ହାତୀ କୃଷିକ୍ଷେତକୁ ଯିବାରେ ରୋକଲାଗିବ ବୋଲି କହିଥିଲେ।
Comments are closed.