ପାଟଣା : ପାଟଣା ରେଞ୍ଜରେ ୨୯ ଟିକିଆ ହାତୀପଲଙ୍କ ଉପଦ୍ରବ ଏକ ସପ୍ତାହରୁ ଉର୍ଦ୍ଧ୍ବ ହେବ ଜାରି ରହିଛି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଡିମିରିଡିହା ଗାଁ ନିକଟ ତୁଳସୀପୁରରେ ଥିବା ବିବେକାନନ୍ଦ ଦାଶଙ୍କ ଫାର୍ମ ହାଉସରେ ପଶି ବ୍ୟାପକ ନଷ୍ଟ କରିଛନ୍ତି। ହାତୀପଲ ଫାର୍ମ ହାଉସର ଗେଟ ଭାଙ୍ଗିବା ସହ ଫାର୍ମ ଭିତରେ ପଶି ଫାର୍ମରେ ଥିବା ବଡ଼ ବଡ଼ ନଡ଼ିଆ ଗଛ, କଦଳୀ ଗଛ ଓ ପଣସ ଗଛ ସମେତ ଅନେକ ମୂଲ୍ୟବାନ ଔଷଧୀୟ ଗଛ, ପନିପରିବା ଆଦି ନଷ୍ଟ କରିଦେଇଛନ୍ତି। ଫାର୍ମ ଭିତରେ ଥିବା ପୋଖରୀରେ ହାତୀ ଗାଧୋଇବା ଓ ଖେଳିବା ଫଳରେ ମାଛ ମଧ୍ୟ ମରିଯାଇଛନ୍ତି। ତେବେ ଏହି ହାତୀପଲ ଗତକାଲି ଚୋରା ମହୁଲି ବେପାରୀ ମହୁଲ ପୋଚ ଜଙ୍ଗଲ ନିକଟରେ ଲୁଚାଇ ରଖିଥିବାବେଳେ ପୋଚ ଖାଇ ମାତାଲ ଅବସ୍ଥାରେ ଅନେକ ଲୋକଙ୍କୁ ଗୋଡାଇ ଥିବା ସୂଚନା ମିଳିଛି। ରାତିସାରା ଉତ୍ପାତ କରିଥିବା ହାତୀପଲ ରବିବାର ସନ୍ଧ୍ୟା ସୁଦ୍ଧା ଡିମିରିଡିହା ଗାଁ ନିକଟ ଜଙ୍ଗଲରେ ଘୁରି ବୁଲୁଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀପଲଙ୍କ ଉପରେ ନଜର ରଖିଥିବା ବନପାଳ ପିଅନ ନାଏକ କହିଛନ୍ତି ।
Popular Categories



