ଗୁରୁଡିଝାଟିଆ: ଦଳରୁ ବାହାରି ଗୋଟିକିଆ ହୋଇଛି ଦନ୍ତା। ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲ ଓ ଏହାର ଆଖପାଖରେ ଘୁରିବୁଲୁଛି। ସନ୍ଧ୍ୟା ପୂର୍ବରୁ ଜଙ୍ଗଲରୁ ବାହାରି ଉତ୍ପାତ କରିବାରେ ଲାଗିଛି। ଏଭଳି ହିଂସ୍ର ହୋଇଛି ଯେ ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ବିଷ୍ଣୁପୁରଠାରେ ଥିବା ଏକ ମଇଁଷି ଗୋଠ ଉପରେ ଆକ୍ରମଣ କରିବାକୁ ପଛାଇନାହିଁ। ଦନ୍ତାହାତୀର ଆକ୍ରମଣରେ ଗୋଟିଏ ମଇଁଷି ମୃତ୍ୟୁବରଣ କରିଥିବା ବେଳେ ୫ଟି ମଇଁଷି ଗୁରୁତର ହୋଇଛନ୍ତି। ମଇଁଷି ଗୋଠ ମାଲିକ କାଙ୍ଗାଲି ବେହେରା ଓ ତାର ପୁଅ ମଇଁଷିକୁ ରଖି ସେଥିରୁ ତାଙ୍କର ତେଲଲୁଣ ସଂସାର ଚଳାଇଥାନ୍ତି। ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୫୦ବର୍ଷ ଧରି ମଇଁଷି ଗୋଠ ଉପରେ ନିର୍ଭର କରି ସେମାନେ ଚଳିଥାନ୍ତି। ହାତୀ ଗୋଠ ପାଖରେ ବରାବର ଯିବା ଆସିବା କରିଥାନ୍ତି। ହେଲେ କେବେ ମଇଁଷିକୁ ହତାହତ କରିନଥାନ୍ତି। ଦଳରୁ ଅଲଗା ହୋଇଥିବା ଦନ୍ତାଟି ଏବେ ଅତ୍ୟନ୍ତ ଉତ୍କ୍ଷିପ୍ତ ହୋଇ ମଇଁଷିକୁ ମାରିବାରେ ଲାଗିଛି। ବନକର୍ମଚାରୀମାନେ ଗୋଟିକିଆ ଦନ୍ତାଟି ଉପରେ ତୀକ୍ଷ୍ମ ନଜର ଦେଇଥିଲେ ମଧ୍ୟ ତାର ଅସ୍ୱଭାବିକ ଚାଲିଚଲଣ ଉପରେ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରୁନାହାନ୍ତି। ହାତୀଟି ଯେ କେତେବେଳେ ମଣିଷକୁ ନ ମାରିବ ତାହା କହିହେବ ନାହିଁ।
Popular Categories



