ସମ୍ବଲପୁର : ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳରେ ୧ ମେ ରୁ ୭ ମେ ପର୍ଯ୍ୟନ୍ତ ବିଦ୍ୟୁତ ନିରାପତ୍ତା ସପ୍ତାହ ପାଳନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ, ରେଳ କର୍ମଚାରୀ, ସାଧାରଣ ଜନତା ଓ ଯାତ୍ରୀ ମାନଙ୍କୁ କାର୍ଯ୍ୟାଳୟରେ, ରେଳବାଇ ପରିସରରେ, ଘରେ, ସାର୍ବଜନୀନ ସ୍ଥାନ ଆଦିରେ ବିଦ୍ୟୁତର ନିରାପଦ ବ୍ୟବହାର ଉପରେ ପ୍ରଶିକ୍ଷଣ କରିବା।
ଏହି ସପ୍ତାହରେ ସମ୍ବଲପୁର ମଣ୍ଡଳର ବିଦ୍ୟୁତ ବିଭାଗ ଦ୍ୱାରା ସଚେତନତା ଅଭିଯାନ ଅନ୍ତର୍ଗତ ରେଳବାଇ କର୍ମଚାରୀମାନଙ୍କ ପୁଅ-ଝିଅମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ନିବନ୍ଧ ପ୍ରତିଯୋଗିତା, ବିଭିନ୍ନ ଷ୍ଟେସନ, ରେଳବାଇ କଲୋନୀ ଓ ବିଭିନ୍ନ କାର୍ଯ୍ୟାଳୟ ଗୁଡିକରେ ବିଦ୍ୟୁତ ନିରାପତତା ସ୍ଲୋଗାନ, ବ୍ୟାନର, ଷ୍ଟିକର ଏବଂ ପୋଷ୍ଟର ଆଦି ପ୍ରଦର୍ଶିତ କରାଯାଇଛି।
ଏହି ଅବସରରେ ବୁଧବାର ମଣ୍ଡଳ ସମ୍ମିଳନୀ କକ୍ଷରେ ବିଦ୍ୟୁତ ନିରାପତ୍ତା ଉପରେ ଏକ ସେମିନାର ଆୟୋଜନ କରାଯାଇଛି। ମଣ୍ଡଳ ରେଳ ପ୍ରବନ୍ଧକ ସୁଭାଷ ଚନ୍ଦ୍ର ଚୌଧୁରୀ, ଏହି ସେମିନାରର ଅଧ୍ୟକ୍ଷତା କରିଥିଲେ। ବିଦ୍ୟୁତ ନିରାପତ୍ତା ଉପରେ ସେ ଗୁରୁତ୍ୱାରୋପ କରିବା ସହିତ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଉପକରଣର ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ କହିଥିଲେ। ମଣ୍ଡଳ ରେଳ ପ୍ରବନ୍ଧକ ଏହି ଅବସରରେ ଚିତ୍ରାଙ୍କନ ଓ ନିବନ୍ଧ ପ୍ରତିଯୋଗିତା ଗୁଡିକର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।
କାର୍ଯ୍ୟକ୍ରମରେ ବରିଷ୍ଠ ମଣ୍ଡଳ ବିଦ୍ୟୁତ ଯନ୍ତ୍ରୀ (ସାଧାରଣ) ରିତେଶ କୁମାର ମେହେର, ବରିଷ୍ଠ ମଣ୍ଡଳ ବିଦ୍ୟୁତ ଯନ୍ତ୍ରୀ (ଟିଆରଡି) ଧିରେନ୍ଦ୍ର ସିଂ ବିଦ୍ୟୁତ ନିରାପତ୍ତା ସମ୍ପର୍କିତ ଉପାୟ ଉପରେ ଏକ ପାୱାର ପଏନ୍ଟ ଉପସ୍ଥାପନ କରିଥିଲେ। ମଣ୍ଡଳର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିଲେ।



