www.samajalive.in
Friday, December 12, 2025
15.1 C
Bhubaneswar

ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ, ଦୁର୍ଘଟଣାକୁ ଆମନ୍ତ୍ରଣ

ଆଠଗଡ :  ଆଠଗଡ ସହର ମଧ୍ୟ ଦେଇ ଯାଇଥିବା ପୁରୁଣା କଟକ-ସମ୍ବଲପୁର ରାସ୍ତାର ନବୀକରଣ କାମ ଚାଲୁଥିବାବେଳେ କେତେକ ସ୍ଥାନରେ ରାସ୍ତା ଉପରେ ବିଦ୍ୟୁତ ଖୁଣ୍ଟ ଥାଇ ପିଚୁ କରି ଦିଆଯାଇଥିବାରୁ ସେ ସ୍ଥାନରେ ବଡ ଧରଣର ଦୁର୍ଘଟଣା ଆଶଙ୍କା ପ୍ରକାଶ ପାଉଛି । ରାସ୍ତାରୁ ଖୁଣ୍ଟ ନହଟାଇ କେମିତି ଓ କାହିଁକି ଠିକା ସଂସ୍ଥାକୁ ପିଚୁ କରିବାକୁ ପୂର୍ତ୍ତବିଭାଗ କର୍ତୃପକ୍ଷ ଅନୁମତି ଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ଖୁଣ୍ଟଗୁଡିକରେ ୩୩ ଓ ୧୧ କେଭିର ଉଚ୍ଚ ଶକ୍ତିସମ୍ପନ୍ନ ବିଦ୍ୟୁତ ସରବରାହ ହେଉଥିବାରୁ ଦୁର୍ଘଟଣା ଘଟିଲେ ବଡ ଧରଣର କ୍ଷୟକ୍ଷତିର ଆଶଙ୍କା ରହିଛି ।
ଧବଳେଶ୍ଵର ନିକଟସ୍ଥ ନୂଆପାଟଣାଠାରୁ ଆଠଗଡ ପର୍ଯ୍ୟନ୍ତ ୨୨ କିମି ରାସ୍ତାକୁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟରେ ପ୍ରଶସ୍ତିକରଣ ଓ ସୁଦୃଢୀକରଣ କାମ ବର୍ଷେରୁ ଅଧିକ ସମୟ ହେଲା ଚାଲିଛି । ବର୍ତ୍ତମାନ ସୁଦ୍ଧା କାମ ଅଧା ବି ଶେଷ ହୋଇ ନଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ ଶେଷ ହେବା ସମ୍ଭବପର ହେବ ନାହିଁ । ଏପଟେ ଆଠଗଡ ସହରର କନ୍ତୋଲ ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାର ଅନେକ ସ୍ଥାନରେ ବିଶେଷ କରି କନ୍ତୋଲ-କରିକୋଲ ମଧ୍ୟବର୍ତ୍ତୀ ୨ କିମି ରାସ୍ତା ମଧ୍ୟରେ ବହୁ ବିଦ୍ୟୁତ ଖୁଣ୍ଟ  ରସ୍ତା ଉପରୁ ସ୍ଥାନାନ୍ତର କରାନଯାଇ ପିଚୁ କାମ କରି ଦିଆଯାଇଛି । ସେହି ରାସ୍ତାରେ ଦିନରାତି ଅହରହ ଶତାଧିକ ଗାଡିମଟର ଚଳାଚଳ କରୁଥିବାରୁ ଯେ କୌଣସି ମୁହୂର୍ତ୍ତରେ ଦୁର୍ଘଟଣା ଓ ଧନଜୀବନ ହାନୀ ଆଶଙ୍କାକୁ ଏଡାଇ ଦେଇ ହେବନି । ଏହି ରାସ୍ତା ପ୍ରଶସ୍ତିକରଣ ଓ ସୁଦୃଢୀକରଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଗତ ୭-୮ ଦିନ ପୂର୍ବରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ  ଉମାକାନ୍ତ ରାଜଙ୍କ ଅଧ୍ୟକ୍ଷତାରେ ହୋଇଥିଲା। ସେଥିରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସମେତ ପୂର୍ତ୍ତ, ବିଦ୍ୟୁତ ବିଭାଗ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଉକ୍ତ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର କରି ରାସ୍ତା କାମ କିପରି ଯଥାଶୀଘ୍ର ଶେଷ ହେବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ତେବେ ସମୀକ୍ଷା ବୈଠକର ୭ ଦିନ ପରେ ମଧ୍ୟ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ଉଠାଇବାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଆଠଗଡ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ଦିନେଶ କୁମାର ସାହୁ ଓ ଟାଟା ପାୱାର ଆଠଗଡ ଉପଖଣ୍ଡ ସହକାରୀ ନିର୍ବାହୀଯନ୍ତୀ ଇଂ ସନ୍ତୋଷ କୁମାର ସାମନ୍ତରାୟଙ୍କୁ ପଚାରିବାରେ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ଖୁଣ୍ଟ ସ୍ଥାନାନ୍ତର ହେବ ବୋଲି ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ । ଟେଣ୍ଡର ପ୍ରକ୍ରିୟା କେବେ ଶେଷ ହେବ ଓ ଖୁଣ୍ଟ କେବେ ସୁଦ୍ଧା ସ୍ଥାନାନ୍ତରିତ ହେବ ସେ ବାବଦରେ ସେମାନେ କିଛି ସ୍ପଷ୍ଟ ସୂଚନା ଦେଇ ପାରିନଥିଲେ। ତେବେ ପଥଚାରୀ, ବାଇକ୍ ଆରୋହୀ ଓ ଗାଡିମଟର ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାସ୍ତା ଉପରେ ରହିଥିବା ବିଦ୍ୟୁତ ଖୁଣ୍ଟ ଗୁଡିକୁ ଆବଧ କରିବା ଓ ସୂଚନା ଫଳକ ଲଗାଇବାକୁ ପୂର୍ତ୍ତବିଭାଗ ପଦକ୍ଷେପ ନେବା ଲାଗି ସାଧାରଣରେ ଦାବି ହେଉଛି । ନଚେତ ଏଥିପାଇଁ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଲେ ପୂର୍ତ୍ତବିଭାଗ ଦାୟୀ ରହିବେ ବୋଲି କରିକୋଲ ଗ୍ରାମବାସୀ ଚେତାଇ ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories