ବାରଣ୍ଡାରେ ବସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ମଙ୍ଗଳବାର ଛାତ୍ରଛାତ୍ରୀମାନେ ଅବ୍ୟବସ୍ଥା ଘେରରେ ପରୀକ୍ଷା ଦେଇଥିବାର ଦେଖିବାକୁ ମିଳିଛି । ଯୁକ୍ତ ତିନି ପ୍ରଥମ ସେମିଷ୍ଟାର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ସମ୍ବଲପୁର ଜିଲା କଦଳୀଗଡ ସ୍ଥିତ ଅଚ୍ୟୁତ ମହାବିଦ୍ୟାଳୟ ଓ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ସର୍ବମୋଟ ୨୫୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ମହାବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି । ମିଳିଥିବା ସୁଚନା ଅନୁଯାୟୀ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ନିର୍ବାଚନ ପରିଚାଳନା କରିବାକୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି । ସେଥିପାଇଁ ମହାବିଦ୍ୟାଳୟର ଗୋଟିଏ ଅଂଶର କୋଠରୀ ଗୁଡିକୁ ନିର୍ବାଚନ କମିଶନରଙ୍କ ନିୟମ ଅନୁଯାୟୀ ଷ୍ଟ୍ରଙ୍ଗରୁମ ପାଇଁ ପ୍ରସ୍ତୁତ କରାଯାଉଛି ।

ମତଦାନ ସରି ଗଣତି ସରିବା ପର୍ଯ୍ୟନ୍ତ ମହାବିଦ୍ୟାଳୟର ସମ୍ପୃକ୍ତ ଅଂଶକୁ ନିଷିଦ୍ଧାଞ୍ଚଳ କରାଯିବ । ଫଳରେ ମହାବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଯୋଗୁଁ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ବାଧ୍ୟ ହୋଇ ବାରଣ୍ଡାରେ ପିଲାଙ୍କୁ ବସାଇ ପରୀକ୍ଷା କରାଇଥିବା ଦେଖିବାକୁ ମିଳିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଜିଲାର ନୋଡାଲ ମହାବିଦ୍ୟାଳୟ ହୋଇଥିବାବେଳେ ଏଠାରୁ ସମଗ୍ର ଜିଲାର ମହାବିଦ୍ୟାଳୟଗୁଡିକର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସବୁ ପରିଚାଳିତ ହୋଇଥାଏ । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପରୀକ୍ଷା ଦେଉଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହି ନୋଡାଲ ମହାବିଦ୍ୟାଳୟରେ ଆଗକୁ ହେବାକୁ ଥିବା ସମସ୍ତ ପରୀକ୍ଷା ମଧ୍ୟ ଛାତ୍ରଛାତ୍ରୀଙ୍କୁ ବାରଣ୍ଡାରେ ହିଁ ଦେବାକୁ ପଡିବ ବୋଲି ଜଣାଯାଇଛି ।

ଏବେଠୁ ଜିଲାରେ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ମାସ ଆଡକୁ ଗ୍ରୀଷ୍ମ ପ୍ରବାହ ବଢିବାର ଆକଳନ କରାଯାଉଛି । ସେହିପରି ଆଗକୁ ଯୁକ୍ତଦୁଇ ପରୀକ୍ଷା ଥିବାବେଳେ ଏହି କେନ୍ଦ୍ରରେ ୬୮୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ରହିଛି । ତେଣୁ ପରୀକ୍ଷା ପରିଚାଳନା ନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ରହିଥିବା ଜଣାଯାଇଛି । ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ କି ନିର୍ବାଚନ ପରିଚାଳନା ପାଇଁ ଜିଲା ପ୍ରଶାସନ ଯେକୌଣସି କୋଠାକୁ ବ୍ୟବହାର କରିପାରିବ । ଆଗାମୀ ନିର୍ବାଚନ ପାଇଁ ମହାବିଦ୍ୟାଳୟର କୋଠରୀ ଗୁଡିକୁ ସିଲ କାର୍ଯ୍ୟ ଚାଲୁ ରହିଛି ,ତେଣୁ ବାଧ୍ୟ ହୋଇ ବାରଣ୍ଡାରେ ପରୀକ୍ଷା କରୁଛୁ ବୋଲି ସେ ପ୍ରକାଶ କରିଥିଲେ ।

Comments are closed.