www.samajalive.in
Sunday, December 7, 2025
13.1 C
Bhubaneswar

ଅସମାହିତ ମୌଳିକ ସମସ୍ୟାରେ ଜର୍ଜରିତ ଝାଙ୍କରପାଲି ପଞ୍ଚାୟତରେ ୨୭ ଜଣ ସରପଞ୍ଚ ପ୍ରାର୍ଥୀ; ରାଜ୍ୟରେ ରେକର୍ଡ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ ସ୍ଥିତ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଆଦିବାସୀ ବହୁଳ ଗ୍ରାମ ପଞ୍ଚାୟତ। ନାନାବିଧ ମୌଳିକ ସମସ୍ୟାରେ ଜର୍ଜରିତ ଏହି ଗ୍ରାମପଞ୍ଚାୟତର ସରପଞ୍ଚ ପଦ ପାଇଁ ଚଳିତ ନିର୍ବାଚନରେ ୨୭ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଚହଳ ସୃଷ୍ଟି କରି ଏହି ପଞ୍ଚାୟତ ସବୁଆଡେ ଚର୍ଚ୍ଚାର ଶୀର୍ଷରେ ରହିଛି। ୨୭ ଜଣ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ ଗତ ନିର୍ବାଚନରେ ବିଜେପି ଟିକେଟରେ ରେଙ୍ଗାଲି ଜୋନ୍‍(୨)ରୁ ବିଜୟୀ ହୋଇଥିବା ବିଜେପିର ଫାୟାର୍‍ ବ୍ରାଣ୍ଡ୍‍ ଯୁବନେତ୍ରୀ କୁହାଯାଉଥିବା ସୁଶ୍ରୀ ଉତ୍ପଲା ଧୁରୁଆ ଅନ୍ୟତମ। ଉତ୍ପଲା ଧୁରୁଆଙ୍କ ପାଇଁ ଏହି ନିର୍ବାଚନ ଅଗ୍ନି ପରୀକ୍ଷା ଓ ସମ୍ମାନର ପ୍ରଶ୍ନ। ସୁଶ୍ରୀ ଧୁରୁଆଙ୍କ ବ୍ୟତୀତ ପୂର୍ବତନ ସମିତି ସଭ୍ୟ ସନାତନ ମିର୍ଦ୍ଧା, ପୂର୍ବତନ ସରପଞ୍ଚ ଫକିର ମୋହନ ସାହୁ ମଧ୍ୟ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ମଧ୍ୟରେ କେତେ ସରକାର ଗଲେ ଆସିଲେ, କେତେ ନିର୍ବାଚନ ଆସିଲା ଗଲା, ସରକାର ବଦଳିଛି ନେତା ବଦଳିଛନ୍ତି। ଗ୍ରାମାଞ୍ଚଳ ବିଶେଷତଃ ଜନଜାତି ଅଧ୍ୟୁଷିତ ଅଞ୍ଚଳର ବିକାଶ ପାଇଁ ଅଜସ୍ର ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି କିନ୍ତୁ ୧୯୬୭ ମସିହାରେ ଗଠିତ ହୋଇଥିବା ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ମୌଳିକ ସମସ୍ୟାର ସମଧାନ ଏଯାବତ୍‍ ହୋଇ ପାରିନାହିଁ। ଅନେକ ସୀମାନ୍ତ ଗାଁକୁ ବିକାଶ ଆଲୋକ ଅପହଞ୍ଚ। ପଞ୍ଚାୟତର ଭୋଟର ସଂଖ୍ୟା ୫୦୫୯।

ଏହି ପଞ୍ଚାୟତର ଫଟାଟାଙ୍ଗର ଗାଁକୁ ନିତି ଦିନିଆଁ ରାସ୍ତା ନାହିଁ। ଧର୍ସା ଭଳି ରାସ୍ତା ଉପରେ ନିର୍ଭର କରନ୍ତି ଗାଁ ଲୋକେ। କେହି ଗୁରୁତର ଅସୁସ୍ଥ ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ବାସୁପାଲିକୁ ଅସୁସ୍ଥ ଗୁରୁତର ରୋଗୀଙ୍କୁ ଖଟରେ ବୋହି ଆଣିବାକୁ ପଡେ। ଠିକ୍‍ ସେହିପରି ସହସିଆମାଲ୍‍ ଗାଁ ପାଖରେ ଥିବା ନାଳ ଉପରେ ଗତ ୧୫/୨୦ ବର୍ଷ ହେଲା କଲଭର୍ଟ ଅଧାପନ୍ତରିଆରେ ପଡିଥିବାରୁ ଏହି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ଭଳି ସ୍ଥିତିରେ ରହିଛି। ଫଟାଟାଙ୍ଗର ଗାଁ ଭଳି ଏହି ଗାଁକୁ ମଧ୍ୟ ଅର୍ଦ୍ଧ ନିର୍ମିତ କଲଭର୍ଟ ଯୋଗୁ ଆମ୍ବୁଲାନ୍ସ ଯାଇପାରେ ନାହିଁ। ପଟାମାଲ ପର୍ଯ୍ୟନ୍ତ ଗୁରୁତର ଅସୁସ୍ଥଙ୍କୁ ଖଟରେ ବୋହି ଆଣିବାକୁ ପଡୁଛି। ଠିକ୍‍ ସେହିପରେ ପଞ୍ଚାୟତର ସୀମାନ୍ତରେ ଥିବା ଟାଙ୍ଗରପାଲି ଗ୍ରାମରୁ ପଞ୍ଚାୟତ ସଦର ମହକୁମାକୁ ଉପଯୁକ୍ତ ରାସ୍ତା ନାହିଁ। ଗାଁ ମୁଣ୍ଡରେ ଥିବା ନାଳ ଉପରେ ଗତ ୨୦ ବର୍ଷ ହେଲା ଏକ କଲଭର୍ଟ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। ଗାଁ ଲୋକେ ଜଙ୍ଗଳ ବିଭାଗ ଅଧିନରେ ଥିବା ରାସ୍ତାରେ ଯାତାୟତ କରୁଛନ୍ତି।

- Advertisement -

ଚନ୍ଦନିମାଲ ଗାଁକୁ ଯାତାୟାତ ପାଇଁ ଉପଯୁକ୍ତ ରାସ୍ତା ନାହିଁ। ଥପାପାଲି ଗ୍ରାମର ଜୁହ୍ନାପଡା, ଲାକ୍ନାପଡ, ବାସୁପାଲି ମୌଜାର କଟାପଡା, ଡହିଉପର, ସାଲେଡୁଙ୍ଗୁରି ଆଦି ପଡାଗ୍ରାମକୁ ଯାତାୟତ ପାଇଁ ରାସ୍ତା ଥାଇ ନଥିଲା ସଦୃଶ। ଲୋକେ ଧର୍ସା ଭଳି ରାସ୍ତାରେ ଯାତାୟତ କରୁଛନ୍ତି। କୁସୁମଡିହି, ଗୁମଲୋଇ, ସୁକୁପଡା, ରୁନିମହୁଲ, ସହସିଆମାଲ, ସାଲେଡୁଙ୍ଗୁରି, ଫଟାଟାଙ୍ଗର ଆଦି ଗ୍ରାମରେ ଗ୍ରୀଷ୍ମଋତୁରେ ଉତ୍କଟ ପିଇବା ଏବଂ ଗାଧୋଇବା ପାଣି ସମସ୍ୟା ଲାଗି ରହୁଛି। ଏହି ପଞ୍ଚାୟତର ଝାଙ୍କରପାଲି, ସର୍ଗିପାଲି, କଟାପାଲି ଏବଂ ବାସୁପାଲି ଗ୍ରାମକୁ ଛାଡିଦେଲେ ଅନ୍ୟ କୌଣସି ଗ୍ରାମରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବିଶୁଦ୍ଧ ପାନିୟ ଜଳ ଯୋଗାଣ ର ବ୍ୟବସ୍ଥା ନାହିଁ। ଝାଙ୍କରପାଲି ପଞ୍ଚାୟତରେ ଏପର୍ଯ୍ୟନ୍ତ କଲ୍ୟାଣମଣ୍ଡପ ନିର୍ମାଣ ହୋଇ ନାହିଁ। ପଞ୍ଚାୟତର ଏକମାତ୍ର ହାଇସ୍କୁଲର ଶ୍ରେଣୀ କୋଠରୀର ଅଭାବ ଥିବା ବେଳେ ପାଚେରୀ ଅସମ୍ପୁର୍ଣ ଅବସ୍ଥା ରେ ପଡିରହିଛି। ପ୍ରତି ରାଜସ୍ୱ ଗ୍ରାମରେ ଖେଳ ପଡିଆ ନିର୍ମାଣ ପାଇଁ ସରକାର ଘୋଷଣା କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ପଞ୍ଚାୟତରେ ଉପଯୁକ୍ତ ଖେଳପଡିଆ ନାହିଁ। ପଞ୍ଚାୟତ ସଦର ମହକୁମାରେ ଏଏନ୍‍ଏମ୍‍ ସେଣ୍ଟର ଅଛି କିନ୍ତୁ ଏଏନ୍‍ଏମ୍‍ ରହୁନାହନ୍ତି। ଏସବୁ ମୌଳିକ ଜନସମସ୍ୟାର ପ୍ରତିକାର ତଥା ସମାଧାନ ଦୀର୍ଘ ବର୍ଷ ଧରି ହୋଇ ପାରି ନ ଥିବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏସବୁ ସମସ୍ୟାର ସମଧାନ କରିବା ଚ୍ୟାଲେଞ୍ଜ୍‍ ରହିବ।

ଏହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ୨୭ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିବା ଫଳରେ ଏହା ରାଜ୍ୟରେ ରେକର୍ଡ ସୃଷ୍ଟି କରିଛି। ତେବେ ଏତେ ସଂଖ୍ୟକ ପ୍ରାର୍ଥୀ ଛିଡା ହେବାର କାରଣ କଣ ବୋଲି ସଚେତନ ନାଗରିକ, ବୁଦ୍ଧିଜୀବି ମହଲରେ ଏହାକୁ ନେଇ ନାନା ପ୍ରକାର ଆଲୋଚନା ପର୍ଯ୍ୟାଲୋଚନା ଅବ୍ୟାହତ ରହିଛି। ଝାଙ୍କରପାଲି ପଞ୍ଚାୟତରେ ରାଜନୈତିକ ସଚେତନତା ଅଧିକ ଥିବାରୁ ଏତେ ସଂଖ୍ୟକ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ବୋଲି କେତେକ ମହଲରେ ମତପ୍ରକାଶ ପାଉଥିବା ବେଳେ ଆଉ କେତକ ମହଲରେ ଏହି ପଞ୍ଚାୟତରେ ବ୍ୟାପକ ସଂଖ୍ୟକ ପଥର ଖାଦାନ, କ୍ରସର ଏବଂ ପାଉଁଶ ପରିବହନ ଆଦି ବ୍ୟବସାୟରୁ ମିଳୁଥିବା ଲାଭ ଓ ଲୋଭ ଯୋଗୁଁ ପ୍ରାର୍ଥୀ ସଂଖ୍ୟା ଏତେ ବୃଦ୍ଧି ପାଇଛି ବୋଲି ମତପ୍ରକାଶ ପାଉଛି। ଏଭଳି ନାନାମୁନିଙ୍କ ନାନାମତ ରିତିରେ ୨୭ ସରପଞ୍ଚ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ୨୭ ଜଣ ପ୍ରାର୍ଥୀ ଥିବାରୁ ଭୋଟର୍‍ କେଉଁ ପ୍ରାର୍ଥୀକୁ ବିଜୟୀ କରାଇବେ ତାହା ସମୟ ହିଁ କହିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories