କଟକଣା କୋହଳ ହେବା ପରେ ଗାଁ ଗାଁରେ ଜମୁଛି ପ୍ରଚାର; ସ୍ଥିତି ରକ୍ଷା ପାଇଁ ସବୁ ଦଳ ପ୍ରାର୍ଥୀଙ୍କ ଆପ୍ରାଣ ଉଦ୍ୟମ

କମ୍ପୁଛି ଗାଁ ଦାଣ୍ଡ, ପ୍ରାର୍ଥୀଙ୍କ ପ୍ରଚାରକୁ ନେଇ ଜନସାଧାରଣ ଅତିଷ୍ଠ 

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଥିବାବେଳେ ଗାଁ ଗଣ୍ଡାରେ ଡ଼ାକବାଜି ଯନ୍ତ୍ର ପ୍ରଚାରକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଲେଣି । ପ୍ରାର୍ଥୀମାନେ ବ୍ୟାପକ ଅର୍ଥ ବିନିଯୋଗ କରି ଭୋଟ ହାତେଇବା ପାଇଁ ଚାହିଁ ବସିଥିବାବେଳେ ଭୋଟରମାନେ କିନ୍ତୁ ସବୁ ପ୍ରାର୍ଥୀଙ୍କଠାରୁ ପଇସା ଟାଣିବା ଚକରରେ ରହିଛନ୍ତି । ପ୍ରାର୍ଥୀମାନଙ୍କ ସହିତ ଛାମୁଆ କର୍ମୀମାନେ ଘରକୁ ଘର ଦଳ ଦଳ ହୋଇ ପହଞ୍ଚି ଭୋଟ ଦେବା ପାଇଁ କାକୁତି ମିନତି ହେଉଛନ୍ତି । ଯାହାଦ୍ୱାରା ଲୋକମାନେ ଘରେ ଶାନ୍ତିରେ ରହିପାରୁନାହାନ୍ତି । ବେଗୁନିଆ ବ୍ଲକରେଥିବା ତିନୋଟି ଜିଲ୍ଲା ପରିଷଦ ଯୋନରେ ଏବେ ପ୍ରଚାର ଜୋର ଧରିଥିବାବେଳେ ଦଳୀୟ ନେତୃତ୍ବଙ୍କ ଆଖିରୁ ନିଦ ହଜିଯାଇଛି । କିପରି ଭାବେ ନିଜ ସମର୍ଥକ ପ୍ରାର୍ଥୀଙ୍କୁ ଜିତାଇବେ ତାହା ନେତାମାନଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି । ବିଭିନ୍ନ ପଞ୍ଚାୟତରେ ଦୁଇଟି ଦଳ ମଧ୍ୟରୁ ଏକାଧିକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବାରୁ ତାହାକୁ ନେଇ ଗଣିତ ଭୁଲ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚାଜୋର ଧରିଛି । ପଞ୍ଚାୟତ ମହାସଂଗ୍ରାମ ଯୋଗୁଁ ଘମାଘୋଟ ଲଢେଇ ମଧ୍ୟରେ ଗାଁ ପରିବେଶ ଦୁଲୁକି ଉଠୁଛି । ପ୍ରାର୍ଥୀମାନଙ୍କର ସଭା ସମିତି ସାଙ୍ଗକୁ ବିଭିନ୍ନ ପ୍ରକାର ପ୍ରତିଶ୍ରୁତିରେ ଗାଁ ଦାଣ୍ଡ କମ୍ପୁଛି । ନିଜ ନିଜ ସମର୍ଥକଙ୍କୁ ନେଇ ଜୋରଦାର ପ୍ରଚାର ଚାଲିଛି । ନିର୍ବାଚନ ପ୍ରଚାର ସାମାନ୍ୟ କୋହଳ ହେବା ପରେ ପ୍ରାର୍ଥୀମାନଙ୍କ ସହ ସମର୍ଥକମାନଙ୍କ ମୁହଁରେ ଉତ୍ସାହ ଦେଖାଦେଇଛି । ବେଗୁନିଆ ବ୍ଲକ ଅନ୍ତର୍ଗତ ୨୨ନଂ ଜିଲ୍ଲାପରିଷଦ ଜୋନରେ ବିଜେଡିର ପ୍ରକାଶ ଚନ୍ଦ୍ର ସାହୁ ବିଜେପିର ସରୋଜ କୁମାର ମହାପାତ୍ର କଂଗ୍ରେସର ମଦନମୋହନ ସାହୁ ପ୍ରତିଦ୍ବନ୍ଦିତା କରୁଥିବାବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ସର୍ବେଶ୍ୱର ଜେନା ପ୍ରତିଦ୍ବନ୍ଦିତା କରୁଛନ୍ତି। ଏହି ଜୋନରେ ବିଜେଡି ବିଜେପି ମଧ୍ୟରେ ଲଢେଇ ହେଉଥିବାର ଜଣାପଡିଛି । ୨୩ ନଂ ଜୋନରେ ବିଜେଡିର ଅନାଦି ସାହୁ, ବିଜେପିର ଜିତେନ୍ଦ୍ର କୁମାର ସାହୁ, କଂଗ୍ରେସର ଅମଜାଦ ଖାଁ, ବିଜେପିର ଅସନ୍ତୁଷ୍ଟ ପ୍ରାର୍ଥୀ ଆଡଭୋକେଟ ପ୍ରଦୀପ୍ତ ମଙ୍ଗରାଜଙ୍କ ସହିତ ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ଅବିନାଶ ପ୍ରଧାନ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ଜୋନରେ ବିଜେଡି ନେତା ତଥା ବ୍ଲକ ବିଜେଡି ସଭାପତି ଅନାଦି ସାହୁଙ୍କ ପଲା ଭାରି ରହିଥିବାର ସର୍ବସାଧାରଣରେ ହେଉଥିବା ଅଲୋଚନାରୁ ଜଣାପଡିଛି । ୨୪ ନଂ ଜୋନରେ ବିଜେଡିର ତନୁଜା ପାଟଶାଣୀ, ବିଜେପିର ଶ୍ୱେତସିନୀ ରଣବିଜୁଳି, କଂଗ୍ରେସର ରିତା ପାଇକରାୟ ସହିତ ବିଜେପି ସଙ୍ଗଠନରେ ସମ୍ପୃକ୍ତ ରହି ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ଏବେ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦିତା କରୁଥିବା ଭବାନୀ ଚମ୍ପତ୍ତିଙ୍କ ସହିତ ଅନ୍ୟ ଦୁଇଜଣ ବିନୋଦିନି ସାମନ୍ତରାୟ ଏବଂ ଚାରୁଲତା ବେହେରା ମଧ୍ୟ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏଠାରେ ବିଜେପି ପ୍ରାର୍ଥିନୀ ସମ୍ପୂର୍ଣ୍ଣ ନବାଗତ ହୋଇଥିବାରୁ ଏବଂ ଦଳୀୟ ସଙ୍ଗଠନରେ ନଥିବା ବେଳେ ଭବାନୀ ଚମ୍ପତ୍ତିଙ୍କ ସ୍ୱାମୀ ସିକୋ ସରପଞ୍ଚ ଥିଲେ ଏବଂ ବିଜେପି ସଙ୍ଗଠନରେ ମଧ୍ୟ ଥିଲେ । କିନ୍ତୁ ଶ୍ୱେତସିନୀ ବିଜେପି କାର୍ଯ୍ୟକାରିଣୀ ସଦସ୍ୟଙ୍କର ସମ୍ପର୍କୀୟ ହୋଇଥିବାରୁ ଏଠାରେ ତାଙ୍କୁ ଟିକେଟ ଦିଆଯାଇଛି । ଫଳରେ ଏଠାରେ ବିଜେପି ଅସନ୍ତୁଷ୍ଟ ଏବଂ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଲଢେ଼ଇ ହେଉଥିବାବେଳେ ଜିତାପଟ କାହାର ହେବ ତାହା ଭୋଟ ସରିଲେ ଜଣାପଡିବ।

prayash

ଫେବୃଆରୀ ୧୮ ତାରିଖରେ ବେଗୁନିଆ ବ୍ଲକର ୨୧ ଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପ୍ରତ୍ୟେକ ପଞ୍ଚାୟତରେ ଶାସକ ଦଳର ଏକାଧିକ ପ୍ରାର୍ଥୀ ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି । ସବୁ ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ଗହଣରେ ଗାଁକୁ ଗାଁ ବୁଲି ଭୋଟରଙ୍କଠାରୁ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । କିନ୍ତୁ ବିଧାୟକ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କ ସହିତ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଥିବାବେଳେ ପଞ୍ଚାୟତରେ ପ୍ରାର୍ଥୀ ହୋଇଥିବା ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କ ସହିତ ଦେଖିବାକୁ ମିଳୁନଥିବା ରାଜନୈତିକ ମହଲରେ ଚର୍ଚ୍ଚାହେଉଛି । ଏପରିକି ଶାସକ ଦଳର ପ୍ରାର୍ଥୀମାନେ ଦଳୀୟ ଟିକେଟ ପାଇ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ୁଥିବାବେଳେ ସେମାନେ ପଞ୍ଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ହୋଇଥିବା କେଉଁ ପ୍ରାର୍ଥୀଙ୍କୁ ଧରି ବୁଲିବେ ତାହା ମଧ୍ୟ ଜାଣି ପାରୁନାହାନ୍ତି । ବିଜେଡିର ଦୁଇଗୋଷ୍ଠୀ ନିର୍ବାଚନ ଯୁଦ୍ଧରୁ ବିଜେପି ଏବଂ କଂଗ୍ରେସ ଫାଇଦା ନେବା ପାଇଁ ଚାହିଁ ବସିଥିବାବେଳେ ବିଜେପିର ଦଳୀୟ ପ୍ରାର୍ଥୀ ଚୟନ ଠିକ ଭାବରେ ହୋଇ ନଥିବାରୁ ଏବଂ ପ୍ରଦୀପକୁମାର ସାହୁଙ୍କ ବିଜେଡିରେ ଯୋଗଦାନ ପରେ ଏଠାରେ କଂଗ୍ରେସର ମଙ୍ଗ ଧରିବାକୁ କେହି ନଥିବାରୁ କଷ୍ଟକର ହେବ ବୋଲି ଆଲୋଚନା ହେଉଛି । ପ୍ରାର୍ଥୀମାନଙ୍କର ହାର ଜିତ ଖୁବ କମ ଭୋଟ ବ୍ୟବଧାନରେ ହେବ ବୋଲି ସମୀକ୍ଷକମାନେ ଆଶା ପୋଷଣ କରିଛନ୍ତି।

kalyan agarbati

Comments are closed.