ପଞ୍ଚାୟତ ନିର୍ବାଚନ ପାଇଁ ଉଚ୍ଚନ୍ୟାୟାଳୟରେ ବଢ଼ୁଛି ମାମଲା
ମାମଲାର ବିବରଣୀ ଜଣାଇବାକୁ ଜିଲାପାଳଙ୍କୁ ନିର୍ଦେଶ
![](https://samajalive.in/wp-content/uploads/2022/01/electoin-650x430.jpg)
ଭୁବନେଶ୍ୱର:ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଠିକଣା ସମୟ ମଧ୍ୟରେ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବାବେଳେ ଏବେ ପଛୁଆବର୍ଗଙ୍କ ସଂରକ୍ଷଣକୁ ନେଇ କେଁ ପଶିଛି। ଏହାକୁ ନେଇ ଉଚ୍ଚନ୍ୟାୟାଳୟରେ ମାମଲା ସଂଖ୍ୟା ବଢ଼ି ଚାଲିଛି। ପରିସ୍ଥିତି ଏପରି ହେଲାଣି ଯେ ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ମଧ୍ୟବର୍ତ୍ତୀକାଳୀନ ରାୟ ପର୍ଯ୍ୟନ୍ତ କଥା ଗଲାଣି। କେଉଁ ଜିଲାରେ ପଞ୍ଚାୟତ ନିର୍ବାଚନକୁ ନେଇ କି ପ୍ରକାର ମାମଲା କେଉଁ ସ୍ଥିତିରେ ରହିଛି ତାହା ସଠିକ୍ ସମୟରେ ଆୟୋଗଙ୍କ ନଜରକୁ ଆସୁନାହିଁ। ତେଣୁ ଏହାର ଜବାବ ଦେବା ବେଳକୁ ସମୟ ଗଡିଯାଉଛି। ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ଜିଲାପାଳଙ୍କଠାରୁ ମାମଲାର ତ୍ବରିତ ବିବରଣୀ ଲୋଡାଯାଇଛି।
ମଙ୍ଗଳବାର ଆୟୋଗଙ୍କ ପକ୍ଷରୁ ସଚିବ ରବିନାରାୟଣ ସାହୁ ଜିଲାପାଳମାନଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ ପଞ୍ଚାୟତ ନିର୍ବାଚନକୁ ନେଇ ଉଚ୍ଚନ୍ୟାୟାଳୟରେ ମାମଲା ସଂଖ୍ୟା ବଢ଼ି ଚାଲିଛି। କେତେକ ମାମଲାରେ ରାଜ୍ୟ ନିର୍ବାଚନ ଆୟୋଗ ବିପକ୍ଷ(ଅପୋଜିଟ୍ ପାର୍ଟି) ବୋଲି ରହିଥିବାବେଳେ ଆଉ କେତେକ କ୍ଷେତ୍ରରେ ଜିଲାପ୍ରଶାସନ ପକ୍ଷରୁ ବିପକ୍ଷ ଦର୍ଶାଯାଇଛି। ଯଦି କୌଣସି ମାମଲାରେ କିଛି ବି ମଧ୍ୟବର୍ତ୍ତୀକାଳୀନ ନିର୍ଦେଶନାମା ରହିଛି ବା ସ୍ଥଗିତାଦେଶ ରହିଛି ସେସବୁର ତଥ୍ୟ ନିର୍ବାଚନ ଆୟୋଗଙ୍କୁ ତୁରନ୍ତ ଜଣାଇବାକୁ କୁହାଯାଇଛି। ଶ୍ରୀ ସାହୁ ଦର୍ଶାଇଛନ୍ତି ଯେ ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ପଞ୍ଚାୟତ ନିର୍ବାଚନ ମାମଲାରେ ଯାହାସବୁ ନିର୍ଦେଶ ଆସିଛି ସେ ସବୁ ରାୟ ଆୟୋଗଙ୍କ ନିକଟରେ ଉପଲବ୍ଧ ନାହିଁ। ଯଦି କୌଣସି ଜିଲାରେ ପଞ୍ଚାୟତ ନିର୍ବାଚନ ସମ୍ପର୍କିତ ଉଚ୍ଚନ୍ୟାୟାଳୟ ବା ଅଦାଲତର କୌଣସି ରାୟ ରହିଛି ତାହା ନିର୍ଦିଷ୍ଟ ଫର୍ମାଟରେ ଆୟୋଗଙ୍କୁ ଜଣାଇବାକୁ ପଡ଼ିବ। କୌଣସି ଜିଲାରେ ମାମଲା ନ ଥିଲେ ମଧ୍ୟ ତାହା ଦର୍ଶାଇବାକୁ ପଡ଼ିବ। ଏ ସମସ୍ତ ତଥ୍ୟ ଆସନ୍ତା ୭ ତାରିଖ ଅପରାହ୍ଣ ୪ଟା ସୁଦ୍ଧା ଆୟୋଗଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ଆବଶ୍ୟକ ବୋଲି ଶ୍ରୀ ସାହୁ ଚିଠିରେ ଦର୍ଶାଇଛନ୍ତି।
Comments are closed.